fbpx

ଆଇପିଏଲ ବିବାଦ ଉପରେ ପ୍ରଥମ ଥର ମୁହଁ ଖୋଲିଲେ ଜାଡେଜା, କହିଲେ- ଯାହା ଘଟିବା କଥା ଘଟି ସାରିଛି…

ନୂଆଦିଲ୍ଲୀ: ଏଜବାଷ୍ଟନରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟରେ ଭାରତ ମଜବୁତ ସ୍ଥିତିରେ ରହିଛି। ଭାରତର ପ୍ରଥମ ଇନିଂସରେ ଋଷଭ ପନ୍ତ ଏବଂ ରବୀନ୍ଦ୍ର ଜାଡେଜା ଶତକ ଅର୍ଜନ କରିଛନ୍ତି। ଉଭୟଙ୍କ ବ୍ୟାଟିଂ ଦମରେ ଭାରତ ୪୦୦ରୁ ଉର୍ଦ୍ଧ୍ଵ ରନ କରି ପାରିଛି।  ଆଇପିଏଲ ବିବାଦ ଉପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଜାଡେଜା। ଏହି ତାରକା ଅଲରାଉଣ୍ଡର କହିଛନ୍ତି, ସେ ମେ ମାସରେ ଅନୁଷ୍ଠିତ ଆଇପିଏଲ ବିବାଦରୁ ବହୁତ ଆଗକୁ ବଢି ସାରିଛନ୍ତି। ପ୍ରଥମ ଥର ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ଵ ନେଇଥିବା ଜାଡେଜା ଜଣେ ଖେଳାଳି ଏବଂ ଅଧିନାୟକ ଭାବେ ଖରାପ ପ୍ରଦର୍ଶନ କରିବା ପରେ ପୂରା ସିଜିନ ଖେଳିବା ତାଙ୍କ ପକ୍ଷେ କଠିନକର ଥିଲା। ତେଣୁ ଅଧିନାୟକ ଦାୟିତ୍ଵ ପୁଣି ଥରେ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦେବା ପାଇଁ ବାଧ୍ୟ ହୋଇଥିଲେ। ତେବେ ତାଙ୍କର କହିବା କଥା ଯାହା ଘଟି ଯାଇଛି ଘଟି ଯାଇଛି।

ଇଂଲଣ୍ଡରେ ଶତକ ହାସଲ ପରେ ଜାଡେଜା ଏଜବାଷ୍ଟନ ଟେଷ୍ଟର ଦ୍ଵିତୀୟ ଦିନର ଖେଳ ପରେ କହିଛନ୍ତି, ସେ ଏହି ଘଟଣାରୁ ଆଗକୁ ବଢି ସାରିଥିଲେ। ତାଙ୍କର ପୂରା ଧ୍ୟାନ ଭାରତ ପାଇଁ ଖେଳିବା ଏବଂ ପ୍ରଦର୍ଶନ କରିବା ଉପରେ ରହିଛି। ଯାହା ହେବା କଥା ଘଟି ସାରିଛି। ବର୍ତ୍ତମାନ ଆଇପିଏଲକୁ ନେଇ ମୁଁ କିଛି ଭାବୁନାହିଁ। ଯେବେ ଆପଣ ଭାରତ ପାଇଁ ଖେଳୁଛନ୍ତି ତେବେ ଆପଣଙ୍କ ପୂରା ଧ୍ୟାନ ଦଳର ବିଜୟ ଉପରେ ହେବା ଉଚିତ୍। ମୁଁ ମଧ୍ୟ ଏମିତି କରିଛି। ଭାରତ ପକ୍ଷରୁ ଖେଳି ଭଲ ପ୍ରଦର୍ଶନ କରିବାରେ ଯେଉଁ ଆତ୍ମ ସନ୍ତୋଷ ମିଳେ ତାହା ଆଉ କଉଠି ମିଳେନି।

ଏହା ଜାଡେଜାଙ୍କ ପ୍ରଥମ ବିଦେଶ ଶତକ ଥିଲା। ସେ ଏମିତି ସମୟରେ ଶତକ ହାସଲ କରିଛନ୍ତି ଯେତେବେଳେ ଭାରତ ପ୍ରଥମ ଦିନରେ ୯୮ ରନରେ ୫ ଓ୍ଵିକେଟ୍ ହରାଇ ସଙ୍କଟରେ ପଡିଥିଲା। ଏହା ଉପରେ ଜାଡେଜା କହିଛନ୍ତି, ଭାରତ ବାହାରେ ଶତକ ଅର୍ଜନ କରିବା ବାସ୍ତବରେ ନିଆରା ଅନୁଭୂତି। ତା ପୁଣି ଇଂଲଣ୍ଡରେ। ଜଣେ ଖେଳାଳି ଭାବେ ଶତକ ମାରିବା ବହୁତ ବଡ କଥା। ଏଥିରୁ ମୋତେ ବହୁତ ଆତ୍ମ ବିଶ୍ଵାସ ମିଳିଛି। ବିଶେଷ କରି ଇଂଲଣ୍ଡରେ ସୁଇଙ୍ଗ ପରିବେଶରେ ୧୦୦ ରନ କରିବା ବହୁତ ଭଲ ଲାଗୁଛି।

 

Get real time updates directly on you device, subscribe now.