fbpx

ସବ୍‌-ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ, ୨୦୧୪ରୁ ହତ୍ୟା ମାମଲାରେ କଏଦୀ ଜୀବନ ବିତାଉଥିଲା

ଭଞ୍ଜନଗର, (ଭାସ୍କରନ୍ୟୁଜ୍‌): ଭଞ୍ଜନଗର ସବଜେଲ୍‌ ପରିସରରେ ମଙ୍ଗଳବାର ଜଣେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସୁରେନ୍ଦ୍ର ନାଇକ(୭୦) । ସେ ଏକ ହତ୍ୟା ମାମଲାର ଅଭିଯୁକ୍ତଭାବେ ଭଞ୍ଜନଗର ସବଜେଲ୍‌ରେ ବିଚାରାଧୀନ ବନ୍ଦୀ ଜୀବନ ବିତାଉଥିଲେ ।

ମଙ୍ଗଳବାର ସୁରେନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଜେଲ ଫର୍ମାସିଷ୍ଟ ଲୋକନାଥ ପାଢୀ ବିଚାରାଧୀନ ବନ୍ଦୀ ସୁରେନ୍ଦ୍ର ନାଇକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡୁଥିବା ନେଇ ଜେଲ ସୁପରିଟେଣ୍ଡେଣ୍ଟ ଦଣ୍ଡପାଣି ପାତ୍ରଙ୍କୁ ସୂଚୀତ କରିବାପରେ ମଙ୍ଗଳବାର ଅପରାହ୍ନ ସାଢେ ୩ଟାରେ ତାଙ୍କୁ ଜେଲ ପରିସରରୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଆଉ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । କାର୍ଯ୍ୟରତ ଡାକ୍ତରଙ୍କ ସୂଚନା ପ୍ରକାରେ ବିଚାରାଧୀନ ବନ୍ଦୀ ଜଣକ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ଏସଂପର୍କରେ ଭଞ୍ଜନଗର ସ୍ୱତନ୍ତ୍ର ସବଜେଲ୍‌ର ସୁପରିଟେଣ୍ଡେଣ୍ଟ ଦଣ୍ଡପାଣି ପାତ୍ରଙ୍କ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଭଞ୍ଜନଗର ଥାନା ଅନ୍ତର୍ଗତ କୁଶପଲ୍ଳୀ ଗ୍ରାମର ସୁରେନ୍ଦ୍ର ନାଇକ(୭୦) ଜଣେ ମହିଳାଙ୍କୁ ହତ୍ୟା କରିବା ଅଭିଯୋଗରେ ଗତ ୩୦/୦୧/ ୨୦୧୪ ମସିହାରୁ ଭଞ୍ଜନଗର ସବଜେଲରେ ବିଚାରାଧୀନ ବନ୍ଦୀ ଜୀବନ ବିତାଉଥିଲେ ।

ସେ ଜଣେ ଉଚ୍ଚ ରକ୍ତଚାପ ଓ ରକ୍ତହୀନତା ରୋଗରେ ପୀଡିତ ରହି ସବୁବେଳେ ଚିକିତ୍ସିତ ହୋଇଥିଲେ । ମଙ୍ଗଳବାର ହଠାତ୍‌ ତାଙ୍କର ରକ୍ତଚାପ ଅଧିକ ହେବା ସହ ସେ ଅସ୍ୱଭାବିକ ଅବସ୍ଥାକୁ ଆସିବା ଜଣାପଡିବାପରେ ତାଙ୍କୁ ତୁରନ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେଲ ଫର୍ମାସିଷ୍ଟ ଲୋକନାଥ ପାଢୀଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲାବୋଲି ଜେଲ ସୁ ରିଟେଣ୍ଡେଣ୍ଟ ପାତ୍ର ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଏସଂପର୍କରେ ଭଞ୍ଜନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବକୁ ଜବତ କରାଯାଇଛି । ବୁଧବାର ଶବର ପଞ୍ଚନାମା କରାଯିବାସହ ଶବ ବ୍ୟବଚ୍ଛଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବବୋଲି ଭଞ୍ଜନଗର ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.