ଏସ୍ଡିଏମଙ୍କ ମଜାଳିଆ ଆନ୍ଦାଜ ପାଇଁ ଶିବିରରେ ସୃଷ୍ଟି ହେଲା ହାସ୍ୟରୋଳ
ଏସ୍ଡିଏମଙ୍କ ଏପରି ମଜାଦାର କଥା ପରେ ଶିବର ହସ୍ୟରୋଳରେ ପରିଣତ ହୋଇଯାଇଥିଲା। ବୃଦ୍ଧା ମହିଳା ନିଜେ ମଧ୍ୟ ହସି ପକାଇଥିଲେ
ଜୟପୁର: “ବୋହୂ ଯଦି ଗରମ ରୁଟି ନଦେବ, ତା’ହେଲେ ମୋ ପାଖକୁ ପଳାଇ ଆସିବୁ”। ଏକ ସରକାରୀ କାର୍ଯ୍ୟକ୍ରମରେ ଏସ୍ଡିଏମ୍ଙ୍କ ଏପରି ମଜାଳିଆ ଡାଇଲଗ୍ ଆଜିକାଲି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଯେଉଁଥିପାଇଁ ସୋସିଆଲ ମିଡିଆ ୟୁଜରମାନେ ଏସ୍ଡିଏମଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ତା’ହେଲେ ଆସନ୍ତୁ ପୂରା ଘଟଣା ଉପରେ ନଜର ପକାଇବା।
ଘଟଣାଟି ଏମିତି। ରାଜସ୍ଥାନ ଚୋମୁରେ ଜମି ପଟା ବଣ୍ଟନ ଶିବିର ହୋଇଥିଲା। ଏଥିରେ ଅତିଥି ଭାବେ ଏସଡିଏମ୍ ଆଶିଷ ଶର୍ମା ଯୋଗଦେଇଥିଲେ। ଶିବିରରେ ଜଣେ ବୃଦ୍ଧା ମହିଳା ତାଙ୍କ ପୁଅର ନାଁରେ ସବୁ ଜମି କରିଦେଇଥିଲେ। ସେହି ଜମିର କାଗଜପତ୍ର ହସ୍ତାନ୍ତର ବେଳେ ଏସଡିଏମ୍ ଆଶିଷ ଶର୍ମା ହସି ହସି ମଜାଳିଆ ଢ଼ଙ୍ଗରେ ବୃଦ୍ଧାଙ୍କୁ କହିଥିଲେ, ଏବେ ତୁମେ ଜମି ଦେଇଛ… ଯଦି ତୁମର ବୋହୂ ତୁମକୁ ଗରମ ରୋଟି ନପରଷେ, ତେବେ ମୋ ପାଖକୁ ଆସିବ ବୋଲି କହିଥିଲେ।
ଏସ୍ଡିଏମଙ୍କ ଏପରି ମଜାଦାର କଥା ପରେ ଶିବର ହସ୍ୟରୋଳରେ ପରିଣତ ହୋଇଯାଇଥିଲା। ବୃଦ୍ଧା ମହିଳା ନିଜେ ମଧ୍ୟ ହସି ପକାଇଥିଲେ। ସବୁଠାରୁ ଭଲ କଥା ହେଉଛି ଯେ ତାଙ୍କ ପୁଅ ଓ ବୋହୂ ସେଠାରେ ଠିଆ ହୋଇଥିଲେ। ସେମାନେ ମଧ୍ୟ ହସି ହସି ଏସ୍ଡିଏମ୍ଙ୍କ ମନ୍ତବ୍ୟକୁ ଗ୍ରହଣ କରିଥିଲେ।
ଅନେକ ସମୟରେ ବାର୍ଦ୍ଧକ୍ୟ ବେଳେ ବାପା-ମାଆମାନେ ନିଜର ସମ୍ପତ୍ତି ପିଲାଙ୍କୁ ହସ୍ତାନ୍ତର କରିବା ପରେ ଅବହେଳାରେ ସମ୍ମୁଖୀନ ହୁଅନ୍ତି। ଏସଡିଏମ୍ ସେହି ସାମାଜିକ ବାସ୍ତବତାକୁ ହାଲୁକା ଭାବରେ ସ୍ପର୍ଶ କରି ଏହି ମନ୍ତବ୍ୟ ଦେଇଥିଲେ। ଉପସ୍ଥିତ ଲୋକମାନେ ଏହାକୁ ଏକ ମଜାଦାର କଥା ଭାବେ ନେଇଥିଲେ। ଆଉ ମନ ଖୋଲି ହସିଥିଲେ।
କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ସମ୍ପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏସଡିଏମଙ୍କ ଏପରି ବନ୍ତବ୍ୟକୁ ପ୍ରଶଂସା କରୁଛନ୍ତି।
ସୋସିଆଲ ମିଡିଆ ୟୁଜରମାନେ କହିଛନ୍ତି; ସରକାରୀ କାର୍ୟ୍ୟକ୍ରମରେ ଏପରି ହାଲୁକା ମୁହୂର୍ତ୍ତ ବହୁତ କମ୍ ଦେଖାଯାଏ। ଏହି ମନ୍ତବ୍ୟ ପଛରେ ଥିବା ଅନ୍ତଃର୍ନିହିତ ବାର୍ତ୍ତା ବିଷୟରେ ଲୋକମାନେ ଆଲୋଚନା କରୁଛନ୍ତି।


