କ୍ଷମା ମାଗିଲେ ନିର୍ଦ୍ଦେଶକ ବୁଚି ବାବୁ ସାନା; କାଟିଲେ ବିବାଦୀୟ ସିନ୍‌

ଫିଲ୍ମରେ ଏକ ସିନ୍‌ରେ ଯେତେବେଳେ ବିଦ୍ୟୁତ କାଟ୍ ହେଉଛି, ସେତେବେଳେ ଜାହ୍ନବୀ(ଅଚିୟମ୍ମା)ଙ୍କୁ ରାମଚରଣ ଜବରଦସ୍ତି ଚୁମ୍ବନ କରୁଛନ୍ତି। ଯାହାକୁ ନେଇ ବିବାଦ ଦେଖା ଦେଇଥିଲା

ହାଇଦ୍ରାବାଦ: ରାମଚରଣ ଓ ଜାହ୍ନବୀ କପୁରଙ୍କ ‘କିସ୍‌’ ସିନକୁ ନେଇ ସାଉଥ୍‌ରେ ଝଡ଼। ସୋସିଆଲ ମିଡ଼ିଆରେ ତେଜୁଛି ଅସନ୍ତୋଷ। ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ‘ପେଦ୍ଦି’ ଚଳଚ୍ଚିତ୍ର ନିର୍ଦ୍ଦେଶକ ବୁଚି ବାବୁ ସାନା କ୍ଷମା ପ୍ରାର୍ଥନା କରିଛନ୍ତି। ରାମଚରଣ ଓ ଜାହ୍ନବୀ କପୁରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ମହିଳାମାନଙ୍କୁ ଆପତ୍ତିଜନକ ଭାବେ ଚିତ୍ରଣ କରାଯାଇଥିବାରୁ ଏହା ତୀବ୍ର ସମାଲୋଚନାର ଶିକାର ହୋଇଛି।

୧୯୮୦ ଦଶକର ଗ୍ରାମୀଣ ଆନ୍ଧ୍ରପ୍ରଦେଶ ପୃଷ୍ଠଭୂମି ଉପରେ ଆଧାରିତ ଏହି ଫିଲ୍ମରେ ଜାହ୍ନବୀ କପୁର ‘ଅଚିୟମ୍ମା’ ଚରିତ୍ରରେ ନଜର ଆସିଛନ୍ତି। ସେହି ଫିଲ୍ମରେ ଏକ ସିନ୍‌ରେ ଯେତେବେଳେ ବିଦ୍ୟୁତ କାଟ୍ ହେଉଛି, ସେତେବେଳେ ଜାହ୍ନବୀ(ଅଚିୟମ୍ମା)ଙ୍କୁ ରାମଚରଣ ଜବରଦସ୍ତି ଚୁମ୍ବନ କରୁଛନ୍ତି। ଯାହାକୁ ନେଇ ବିବାଦ ଦେଖା ଦେଇଥିଲା। ସୋସିଆଲ ମିଡିଆରେ ଦର୍ଶକମାନେ ଏହି ଦୃଶ୍ୟକୁ ‘ଯୌନ ନିର‌୍ୟାତନା’ ବୋଲି କହି ସମାଲୋଚନା କରିଥିଲେ।

Uttarakhand Govt.

ଦିନକୁ ଦିନ ସମସ୍ୟା ବଢ଼ୁଥିବା ଦେଖି ନିର୍ଦ୍ଦେଶକ ବୁଚି ବାବୁ ସାନା ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ବିବୃତ୍ତି ଜାରି କରି ଭୁଲ ମାଗିଛନ୍ତି। ଆଉ ସେ ଲେଖିଛନ୍ତି, ସିନେମାରେ କାହାରିକୁ ଅସମ୍ମାନିତ ନକରି ମନୋରଞ୍ଜନ ଓ ଦର୍ଶକଙ୍କ ସହ ଯୋଡ଼ି ହେବା ଉଚିତ। “ପେଦ୍ଦି’ ଚଳଚ୍ଚିତ୍ରର କିଛି ନିର୍ଦ୍ଦିଷ୍ଟ ଦୃଶ୍ୟକୁ ନେଇ ମିଳିଥିବା ପ୍ରତିକ୍ରିୟାକୁ ଆମେ ଶୁଣିଛୁ। ଏହାକୁ ଗମ୍ଭୀରତାର ସହ ନେଇଛୁ। ଯଦି ଫିଲ୍ମର କୌଣସି ଅଂଶ ସେଭଳି ମନେ ହୋଇଥାଏ, ତେବେ ଆମେ ଆନ୍ତରିକତାର ସହ କ୍ଷମା ମାଗୁଛୁ। ଫିଲ୍ମର ସେହି ବିବାଦୀୟ ଅଂଶଗୁଡ଼ିକରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି।

ଜୁନ୍ ୪ ତାରିଖରେ ମୁକ୍ତିଲାଭ କରିଥିବା ‘ପେଦ୍ଦି’ ଚଳଚ୍ଚିତ୍ରରେ ଶିବ ରାଜକୁମାର, ଜଗପତି ବାବୁ, ଦିବ୍ୟେନ୍ଦୁ ଓ ବୋମାନ ଇରାନୀ ମଧ୍ୟ ଅଭିନୟ କରିଛନ୍ତି। ଏହି ଫିଲ୍ମକୁ ନେଇ ମିଶ୍ରିତ ତଥା ନକାରାତ୍ମକ ସମୀକ୍ଷା ମିଳିଛି। ତେବେ ଜାହ୍ନବୀ କପୁର ଏହି ବିବାଦ ବାବଦରେ ଏପର‌୍ୟ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାନ୍ତି।