୩୩ ବର୍ଷ ପରେ ବଦଳିଲା ଜନ୍ତରମନ୍ତରର ଚିତ୍ର, ହଟିଲା ବ୍ୟାରିକେଡ୍; ସାଧାରଣ ଲୋକଙ୍କ ପାଇଁ ଖୋଲିଲା ରାସ୍ତା
୧୯୯୩ରୁ ଦେଶର ବିଭିନ୍ନ ଆନ୍ଦୋଳନ ଓ ପ୍ରତିବାଦର ମୁଖ୍ୟ କେନ୍ଦ୍ର ଥିଲା ଜନ୍ତରମନ୍ତର। ଅକ୍ଟୋବରରେ ଧାରଣାସ୍ଥଳ ତାଲିକାରୁ ହଟାଇବା ପରେ ଏବେ ହଟିଛି ସୁରକ୍ଷାର ଏକାଧିକ ସ୍ତରର ବ୍ୟାରିକେଡ୍।
ନୂଆଦିଲ୍ଲୀ: ଦୀର୍ଘ ୩୩ ବର୍ଷର ଇତିହାସରେ ଯୋଡ଼ି ହେଲା ନୂଆ ଅଧ୍ୟାୟ। ଯେଉଁଠି ଦିନେ ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକେ ନିଜ ଦାବି ନେଇ ପହଞ୍ଚୁଥିଲେ, ଯେଉଁଠି ସରକାରଙ୍କ ବିରୋଧରେ ଉଠୁଥିଲା ପ୍ରତିବାଦର ସ୍ୱର, ଏବେ ସେହି ସ୍ଥାନର ଚିତ୍ର ବଦଳିଯାଇଛି।
ଦିଲ୍ଲୀର ପ୍ରସିଦ୍ଧ ଜନ୍ତରମନ୍ତରରୁ ହଟିଛି ସୁରକ୍ଷାର ଲମ୍ବା ବ୍ୟାରିକେଡ୍। ସାଧାରଣ ଲୋକଙ୍କ ସହ ଗାଡ଼ିମୋଟର ଚଳାଚଳ ପାଇଁ ଖୋଲି ଦିଆଯାଇଛି ରାସ୍ତା।
ଏହା ସହ ହଟାଯାଉଛି ଅର୍ଦ୍ଧସାମରିକ ବଳ, କୁଇକ୍ ରେସପନ୍ସ ଟିମ୍ (QRT) ଏବଂ ଦଙ୍ଗା ନିୟନ୍ତ୍ରଣ ଗାଡ଼ିର ମୁତୟନ। ତେବେ କାହିଁକି ବଦଳିଲା ଜନ୍ତରମନ୍ତରର ଚିତ୍ର? ୩୩ ବର୍ଷ ଧରି ଆନ୍ଦୋଳନର ମୁଖ୍ୟ କେନ୍ଦ୍ର ଥିବା ଏହି ସ୍ଥାନରୁ କାହିଁକି ହଟାଗଲା ଧାରଣାସ୍ଥଳର ମାନ୍ୟତା? ଆସନ୍ତୁ ଜାଣିବା।
୩୩ ବର୍ଷର ଇତିହାସରେ ପଡ଼ିଲା ଯବନିକା: ଦିଲ୍ଲୀର ଜନ୍ତରମନ୍ତର କେବଳ ଏକ ରାସ୍ତା କିମ୍ବା ଐତିହାସିକ ସ୍ଥାନ ନୁହେଁ। ଏହା ଦୀର୍ଘ ବର୍ଷ ଧରି ଦେଶର ବିଭିନ୍ନ ଆନ୍ଦୋଳନ ଓ ପ୍ରତିବାଦର ମୁଖ୍ୟ କେନ୍ଦ୍ର ରହିଆସିଛି। ୧୯୯୩ ମସିହାରେ ଜନ୍ତରମନ୍ତରକୁ ଏକ ପ୍ରମୁଖ ଧାରଣାସ୍ଥଳ ଭାବେ ମାନ୍ୟତା ଦିଆଯାଇଥିଲା।
ସେବେଠାରୁ ଏଠାରେ ବର୍ଷସାରା ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଓ ସାଧାରଣ ଲୋକ ନିଜ ଦାବି ନେଇ ଆନ୍ଦୋଳନ କରିଆସୁଥିଲେ। କୃଷକଙ୍କଠାରୁ ଆରମ୍ଭ କରି କର୍ମଚାରୀ, ସାମାଜିକ ସଂଗଠନଠାରୁ ଆରମ୍ଭ କରି ରାଜନୈତିକ ଦଳ ପର୍ଯ୍ୟନ୍ତ, ସମସ୍ତଙ୍କ ପାଇଁ ଏହା ଥିଲା ନିଜ ସ୍ୱର ଉଠାଇବାର ଏକ ପ୍ରମୁଖ ମଞ୍ଚ। ହେଲେ ଏବେ ଏହି ପରିଚୟରେ ବଡ଼ ପରିବର୍ତ୍ତନ ଆସିଛି।
ସାଧାରଣ ଲୋକଙ୍କ ପାଇଁ ଖୋଲିଲା ରାସ୍ତା: ଜନ୍ତରମନ୍ତରରେ ଦୀର୍ଘ ଦିନ ଧରି ସୁରକ୍ଷା ଦୃଷ୍ଟିରୁ ଏକାଧିକ ସ୍ତରର ବ୍ୟାରିକେଡ୍ ଲଗାଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ପୋଲିସ ଓ ସୁରକ୍ଷା ବଳ ମୁତୟନ ରହୁଥିଲେ। ଫଳରେ ଏହି ରାସ୍ତାରେ ସାଧାରଣ ଯାତାୟାତ ଅନେକ ସମୟରେ ପ୍ରଭାବିତ ହେଉଥିଲା।
କିନ୍ତୁ ଏବେ ବ୍ୟାରିକେଡିଂ ହଟାଯିବା ପରେ ଏହି ରାସ୍ତା ସାଧାରଣ ଲୋକ ଓ ଗାଡ଼ିମୋଟର ଚଳାଚଳ ପାଇଁ ଖୋଲା ହୋଇଛି। ଏହା ଫଳରେ ଜନ୍ତରମନ୍ତର ଏବଂ ଏହାର ଆଖପାଖ ଅଞ୍ଚଳରେ ଯାତାୟାତ କରୁଥିବା ଲୋକଙ୍କୁ ଆଶ୍ୱସ୍ତି ମିଳିବ।
CJP ଆନ୍ଦୋଳନ ପରେ ବଦଳିଲା ନିଷ୍ପତ୍ତି: ନିକଟରେ ଜନ୍ତରମନ୍ତରରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ମଧ୍ୟ ପ୍ରତିବାଦ କରିବାକୁ ଉଦ୍ୟମ ହୋଇଥିଲା। CJP (କକ୍ରୋଚ୍ ଜନତା ପାର୍ଟି) ସମେତ ବିଭିନ୍ନ ସଂଗଠନ ନିର୍ବାଚନ ପ୍ରକ୍ରିୟା ସହ ଜଡ଼ିତ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବାକୁ ଚାହିଁଥିଲେ।
ଅକ୍ଟୋବର ୧୦ ତାରିଖ ଆଖପାଖରେ ଏହି ପ୍ରଦର୍ଶନକୁ ନେଇ ଦିଲ୍ଲୀ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ରାଜଧାନୀର ଅନେକ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଏହାପରେ ଅକ୍ଟୋବର ୧୧ ତାରିଖରେ ଦିଲ୍ଲୀ ପୋଲିସ ଜନ୍ତରମନ୍ତରକୁ ଧାରଣା ଓ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନ ତାଲିକାରୁ ହଟାଇ ଦେଇଥିଲା।
ଏବେ ଏହି ୩ଟି ସ୍ଥାନ ଧାରଣାସ୍ଥଳ: ଜନ୍ତରମନ୍ତର ବଦଳରେ ଦିଲ୍ଲୀ ପୋଲିସ ୩ଟି ବିକଳ୍ପ ପ୍ରଦର୍ଶନସ୍ଥଳ ନିର୍ଦ୍ଧାରଣ କରିଛି। ଏଥିରେ ରହିଛି ମଧ୍ୟ ଦିଲ୍ଲୀର ରାମଲୀଳା ମୈଦାନ, ଉତ୍ତର ଦିଲ୍ଲୀର ବୁରାଡ଼ି ମୈଦାନ ଏବଂ ପୂର୍ବ ଦିଲ୍ଲୀର CBD ମୈଦାନ।
ଅକ୍ଟୋବର ୧୧ ତାରିଖରେ ଜାରି ଦିଲ୍ଲୀ ପୋଲିସର ଆଦେଶ ଅନୁସାରେ, ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଠିତ କମିଟିର ସୁପାରିସ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ଅର୍ଥାତ୍ ଏବେ ଜନ୍ତରମନ୍ତରରେ ପୂର୍ବଭଳି ନିର୍ଦ୍ଧାରିତ ଧାରଣାସ୍ଥଳ ଭାବେ ଆନ୍ଦୋଳନ କରିହେବ ନାହିଁ। ଏଥିପାଇଁ ସଂଗଠନଗୁଡ଼ିକୁ ନୂଆ ସ୍ଥାନରେ ଅନୁମତି ନେବାକୁ ପଡ଼ିବ।
ହଟିଲା ପାରାମିଲିଟାରୀ ଫୋର୍ସ: ଧାରଣାସ୍ଥଳ ଭାବେ ଜନ୍ତରମନ୍ତରର ମାନ୍ୟତା ହଟିବା ପରେ ଏଠାକାର ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଛି। ଦୀର୍ଘ ବର୍ଷ ଧରି ଏଠାରେ ମୁତୟନ ଥିବା ପାରାମିଲିଟାରୀ ଫୋର୍ସ, କୁଇକ୍ ରେସପନ୍ସ ଟିମ୍ (QRT) ଏବଂ ଆଣ୍ଟି-ରାଇଟ୍ ଭେହିକିଲ୍କୁ ହଟାଯାଉଛି।
ଏହା ସହ ସୁରକ୍ଷା ପାଇଁ ଲଗାଯାଇଥିବା ଏକାଧିକ ସ୍ତରର ବ୍ୟାରିକେଡ୍ ମଧ୍ୟ ହଟାଇ ଦିଆଯାଇଛି। ଫଳରେ ଦୀର୍ଘ ୩୩ ବର୍ଷ ଧରି ଆନ୍ଦୋଳନର ଏକ ପ୍ରମୁଖ ପରିଚୟ ପାଲଟିଥିବା ଜନ୍ତରମନ୍ତର ଏବେ ଏକ ନୂଆ ରୂପରେ ନଜର ଆସିବ।
ତେବେ ଏହି ପରିବର୍ତ୍ତନ ଯାତାୟାତକୁ ଆଶ୍ୱସ୍ତି ଦେଉଥିବା ବେଳେ ଦିଲ୍ଲୀରେ ଆଗକୁ ଆନ୍ଦୋଳନ ଓ ପ୍ରତିବାଦର ରୂପ କିପରି ରହିବ, ତାହା ଉପରେ ଏବେ ସମସ୍ତଙ୍କ ନଜର


