ଜାପାନ ଏବେ ମାଲାମାଲ୍, ସମୁଦ୍ର ତଳେ ମିଳିଲା ବିପୁଳ ‘ଅଦୃଶ୍ୟ ସୁନା’ ଭଣ୍ଡାର, ଖଣି ଖନନ ନେଇ ବଢ଼ିଲା ଆଶା
ଜାପାନ ଏବେ ମାଲାମାଲ୍, ସମୁଦ୍ର ତଳେ ମିଳିଲା ବିପୁଳ ‘ଅଦୃଶ୍ୟ ସୁନା’ ଭଣ୍ଡାର,
ଓଡ଼ିଶା ଭାସ୍କର ଡେସ୍କ: ଜାପାନ ନିକଟସ୍ଥ ସମୁଦ୍ର ଗର୍ଭରେ ଏକ ବଡ଼ ଏବଂ ଐତିହାସିକ ସଫଳତା ମିଳିଛି। ସାମ୍ନାକୁ ଆସିଥିବା ବୈଜ୍ଞାନିକ ରିପୋର୍ଟ ଅନୁଯାୟୀ, ଜାପାନ ଏକ ବିଶାଳ ସାମୁଦ୍ରିକ ସୁନା ଭଣ୍ଡାର ଉପରେ ବସିଛି। ଜାପାନର ଦକ୍ଷିଣ-ପୂର୍ବ ଉପକୂଳରେ ପାଣି ଭିତରେ ବୁଡ଼ି ରହିଥିବା ଏକ ଆଗ୍ନେୟଗିରି କ୍ରେଟର (Volcanic Crater) ମଧ୍ୟରେ ବହୁ ପରିମାଣର ସୁନା ସକ୍ରିୟ ଭାବେ ଗଠନ ହେଉଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି। ଏହି ସ୍ଥାନରେ ଥିବା ‘ବ୍ଲାକ୍ ସ୍ମୋକର ଚିମନି’ ଏବଂ ‘ହାଇଡ୍ରୋଥର୍ମାଲ୍ ମାଉଣ୍ଡ’ ରୁ ପ୍ରଚୁର ପରିମାଣର ସୁନା ନିର୍ଗତ ହେଉଛି।
କଣ ଏହି ‘ଅଦୃଶ୍ୟ ସୁନା’?
ଏହି ସାମୁଦ୍ରିକ ଉତ୍ସଗୁଡ଼ିକରୁ କେବଳ ସୁନାର କୁନି କୁନି କଣିକା ବାହାରୁ ନାହିଁ, ବରଂ ଏଠାରେ ବହୁ ପରିମାଣରେ ‘ଅଦୃଶ୍ୟ ସୁନା’ ତିଆରି ହେଉଛି। ଏହି ସୁନା ଏତେ ସୂକ୍ଷ୍ମ ଯେ ଏହାକୁ ଖାଲି ଆଖିରେ କିମ୍ବା ସାଧାରଣ ମାଇକ୍ରୋସ୍କୋପ୍ ସାହାଯ୍ୟରେ ଦେଖିବା ସମ୍ଭବ ନୁହେଁ।
ଏହା ସମୁଦ୍ର ଶଯ୍ୟାରେ ଥିବା ବିଭିନ୍ନ ଖଣିଜ ପଦାର୍ଥ ମଧ୍ୟରେ ଲୁଚି ରହିଥାଏ। ବିଶ୍ୱର ବିଭିନ୍ନ ସ୍ଥାନ ସହ ତୁଳନା କଲେ, ଏହି କ୍ରେଟରରେ ମିଳିଥିବା ଗୁପ୍ତ ସୁନାର ଘନତ୍ୱ ସାରା ବିଶ୍ୱରେ ସବୁଠାରୁ ଅଧିକ ବୋଲି ଜଣାପଡ଼ିଛି।
ଆବିଷ୍କାରର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ
ଏହି ସ୍ଥାନଟି ହେଉଛି ‘ହିଗାଶି-ଆଓଗାଶିମା ହାଇଡ୍ରୋଥର୍ମାଲ୍ ଭେଣ୍ଟ ଫିଲ୍ଡ’, ଯାହା ଜାପାନର ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ ଅଧୀନରେ ଆସେ ଏବଂ ଟୋକିଓଠାରୁ ପ୍ରାୟ ୩୫୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ। ଜାପାନର ଶିଜୁଓକା ୟୁନିଭର୍ସିଟି, ୱାସେଦା ୟୁନିଭର୍ସିଟି ଏବଂ ଦି ୟୁନିଭର୍ସିଟି ଅଫ୍ ଟୋକିଓର ଗବେଷକମାନେ ଏହି ପଥର ନମୁନା ସଂଗ୍ରହ କରି ଅନୁସନ୍ଧାନ କରିଛନ୍ତି।
Uttarakhand Govt.
ଅତ୍ୟନ୍ତ ସୂକ୍ଷ୍ମ ସୁନା କଣିକାଗୁଡ଼ିକୁ ଚିହ୍ନଟ କରିବା ପାଇଁ ବୈଜ୍ଞାନିକମାନେ Secondary Ion Mass Spectrometry (SIMS) ନାମକ ଏକ ଅତ୍ୟାଧୁନିକ ଓ ସମ୍ବେଦନଶୀଳ ପଦ୍ଧତିର ବ୍ୟବହାର କରିଛନ୍ତି।
‘ଫୁଲ୍ସ ଗୋଲ୍ଡ’ ଭିତରେ ଅସଲି ସୁନା
ଏହି ମାଇକ୍ରୋସ୍କୋପିକ୍ ସୁନା କଣିକାଗୁଡ଼ିକ ପ୍ରକୃତରେ ‘ପାଇରାଇଟ୍’ ନାମକ ଏକ ସଲଫାଇଡ୍ ଖଣିଜ ମଧ୍ୟରେ ବନ୍ଧା ହୋଇ ରହିଛନ୍ତି। ପାଇରାଇଟ୍ ଦେଖିବାକୁ ବେଶ୍ ଚମକଦାର ଏବଂ ସୁନା ଭଳି ହୋଇଥିବାରୁ ଏହାକୁ ସାଧାରଣ ଭାବେ ‘ଫୁଲ୍ସ ଗୋଲ୍ଡ’ ବୋଲି କୁହାଯାଏ।
ମାତ୍ର ଏହି ଗବେଷଣାରୁ ଜଣାପଡ଼ିଛି ଯେ, ଏହି ଫୁଲ୍ସ ଗୋଲ୍ଡ ଭିତରେ ହିଁ ପ୍ରକୃତ ସୁନା ଦୁଇଟି ରୂପରେ ଲୁଚି ରହିଛି । ପ୍ରଥମଟି ନାନୋକଣିକା ଭାବେ ଏବଂ ଦ୍ୱିତୀୟଟି ପାଇରାଇଟ୍ର କ୍ରିଷ୍ଟାଲ ଗଠନ ମଧ୍ୟରେ ପରମାଣୁ ଭାବେ।
ଖଣି ଖନନର ସମ୍ଭାବନା ଓ ବିବାଦ
ବର୍ତ୍ତମାନ ସୁଦ୍ଧା ସମୁଦ୍ର ଗଭୀରରେ କୌଣସି ବାଣିଜ୍ୟିକ ସୁନା ଖଣି କାର୍ଯ୍ୟକ୍ଷମ ନାହିଁ। ତେବେ ହିଗାଶି-ଆଓଗାଶିମା କ୍ରେଟର ଅନ୍ୟ ସାମୁଦ୍ରିକ ଭେଣ୍ଟଗୁଡ଼ିକ ତୁଳନାରେ କମ୍ ଗଭୀରତାରେ ଥିବାରୁ ଏଠାରୁ ସୁନା ବାହାର କରିବା ସହଜ ହୋଇପାରେ। ବର୍ତ୍ତମାନ ବୈଜ୍ଞାନିକମାନେ କମ୍ ଖର୍ଚ୍ଚରେ ଏହି ସୁନା ବାହାର କରିବା ପାଇଁ ଟେକ୍ନୋଲୋଜି ଉପରେ କାମ କରୁଛନ୍ତି।
ଅନ୍ୟପକ୍ଷରେ, ପରିବେଶବିତ୍ ଓ ଆନ୍ତର୍ଜାତୀୟ ବୈଜ୍ଞାନିକ ଦଳ ଏହି ସକ୍ରିୟ ସାମୁଦ୍ରିକ ଅଞ୍ଚଳରେ ଖଣି ଖନନ ନକରିବାକୁ ଚେତାବନୀ ଦେଇଛନ୍ତି, କାରଣ ଏହା ଦ୍ୱାରା ସମୁଦ୍ର ଭିତରେ ଥିବା ଦୁର୍ଲଭ ସାମୁଦ୍ରିକ ଜୀବ ଓ ଇକୋସିଷ୍ଟମ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବାର ବିପଦ ରହିଛି।

