fbpx

ଶେଷ ହେଲା ଅଗ୍ନି ଭୈରବଙ୍କ ପ୍ରସିଦ୍ଧ ଝାମୁଯାତ୍ରା: ସାମିଲ ହୋଇଥିଲେ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁ

ଲାଞ୍ଜିଗଡ: ଶେଷ ହୋଇଛି ଲାଞ୍ଜିଗଡର ଅଗ୍ନି ଭୈରବ ଦେବଙ୍କ ଅଲୌକିକ ଝାମୁ ଯାତ୍ରା । ଅଗ୍ନି ଭୈରବଙ୍କ କାଳେସୀ ସେହି ଡହ ଡହ ତତଲା ରଡ ଉପରେ ଚାଲିବାର ଦୃଶ୍ୟ ହିଁ ସମସ୍ତଙ୍କ ପାଇଁ ଆକର୍ଷଣ କେନ୍ଦ୍ର ପାଲଟିଛି । ଏହି ଯାତ୍ରାରେ ପ୍ରାୟ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ପହଞ୍ଚି ଆଶୀର୍ବାଦ କାମନା କରିଥିଲେ ।

କଳାହାଣ୍ଡି ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାଟି, ପାଣି, ପବନ, ଗଛ, ଲତା, ପାହାଡ, ପର୍ବତ ସମସ୍ତେ ଆଧ୍ୟାତ୍ମିକତାର ହିଲ୍ଲୋଳରେ ପରିପୁଷ୍ଟ । ଏହିପରି ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ ଆଉ ଏକ ଅଞ୍ଚଳ ହେଉଛି ଐତିହାସିକ ଲାଞ୍ଜିଗଡ଼ ସହର । ଏଠାକାର ପରମ ଆରାଧ୍ୟ ଅଗ୍ନି ଭୈରବଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପ୍ରତିବର୍ଷ ଭଳି ମହା ସମାରୋହରେ ପାଳିତ ହୋଇଯାଇଛି । ଲାଞ୍ଜିଗଡସ୍ଥିତ ଭୈରବ ଦେବଙ୍କ ପ୍ରସିଦ୍ଧ ଝାମୁଯାତ୍ରାର ଏକ ଅଲୌକିକ ଆକର୍ଷଣ ଯୋଗୁଁ ଏଠାକୁ କଳାହାଣ୍ଡି, ରାୟଗଡା ତଥା ନବରଙ୍ଗପୁର ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଭୈରବ ଦେବଙ୍କ ଝାମୁଯାତ୍ରା ପାଇଁ ଲାଞ୍ଜିଗଡ ଉତ୍ସବ ମୁଖର ହୋଇ ଉଠିଥିଲା । ଅଗ୍ନି ଭୈରବଙ୍କ କାଳେସୀ ଡହଡହ ତତଲା ରଡ ନିଆଁ ଉପରେ ଚାଲିବା ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା । ଏହି ସମୟରେ ଶ୍ରଦ୍ଧାଳୁଙ୍କ ହର୍ଷଧ୍ୱନୀ ସହିତ ଡମବାଜା, ଘୁମୁରା ଓ କୀର୍ତ୍ତନର ଶବ୍ଦରେ ଚତୁର୍ଦିଗ ଗୁଞ୍ଜରି ଉଠୁଥିଲା ।

ତେବେ ଯାତ୍ରାରେ ପୂଜକ ଅଭିମନ୍ୟୁ ପାତ୍ର, ହରିଶ୍ଚନ୍ଦ୍ର ମୁଣ୍ଡଛିନା, ଜମ୍ବେଶ୍ୱର ପୁଝାରୀ, କୁନାଲ ପ୍ରଧାନୀ ପ୍ରମୁଖ ପୂଜାର୍ଚ୍ଚନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଲାଞ୍ଜିଗଡ଼ର ହରିହର ସାଂସ୍କୃତିକ ଅନୁଷ୍ଠାନ, ଲାଞ୍ଜିଗଡ଼ ଯୁବକ ସଂଘର କର୍ମକର୍ତ୍ତାଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ବିଶ୍ୱନାଥପୁର, ବନ୍ଧପାରି ଓ ବଳଭଦ୍ରପୁରଠାରେ ମଧ୍ୟ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

Get real time updates directly on you device, subscribe now.