fbpx

ଓଡ଼ିଶାର ଛାତ୍ରଛାତ୍ରୀ କେବଳ ପରୀକ୍ଷା ଦେଇ ଚାଲିଥିବେ, କିନ୍ତୁ ଚାକିରି ପାଇବେ ନାହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ରାଜ୍ୟରେ ନିଯୁକ୍ତିକୁ ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ପ୍ରତ୍ୟେକ ବର୍ଷ ସରକାରୀ ବିଜ୍ଞାପନ ବାହାରୁଛି, ହଜାର ହଜାର ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରୁଛନ୍ତି । ତେବେ ଅନୁଷ୍ଠିତ ହେଉଥିବା ପରୀକ୍ଷାରେ କମ୍ ସଂଖ୍ୟାରେ ପିଲା ପାସ୍ କରୁଛନ୍ତି । କମ୍ ସଂଖ୍ୟକ ପିଲାଙ୍କୁ ପାସ୍ କରାଇ ଏକ ପ୍ରକାର ଫିକ୍ସିଂ କରାଯାଉଛି । ଜାଣିଶୁଣି ପଦବୀ ଫାଙ୍କା ରଖିବାକୁ ପ୍ରୟାସ କରାଯାଉଥିବା ଅଭିଯୋଗ ଆଣିଛନ୍ତି ଅନେକ ବେକାର ଯୁବକଯୁବତୀ ।

ବର୍ତ୍ତମାନ ରାଜ୍ୟରେ ବହୁ ସଂଖ୍ୟାରେ ପଦ ଖାଲି ପଡ଼ିଥିବା ବେଳେ ସରକାରୀ ସ୍ତରରେ ଏନେଇ କୌଣସି ଗୁରୁତ୍ୱ ଦିଆଯାଉନି । ଖାଲି ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଠିକଭାବେ କାର୍ଯ୍ୟକାରୀ କରାଯାଉ ନାହିଁ । ଶିକ୍ଷକ ପଦବୀ ପାଇଁ ଗତ ଅଗଷ୍ଟ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧୨୬୦ କ୍ରୀଡ଼ା ଶିକ୍ଷକ, ୨୦୫୫ ହିନ୍ଦୀ ଶିକ୍ଷକ, ୧୩୦୪ ସଂସ୍କୃତ ଶିକ୍ଷକ ପାଇଁ ଆଶାୟୀମାନେ ଆବେଦନ କରିଥିଲେ । ମାତ୍ର ଗତ ଅକ୍ଟୋବର ମାସ ୪ ଓ ୫ ତାରିଖରେ ଅନୁଷ୍ଠିତ ସିବିଟି ଟେଷ୍ଟରେ କ୍ରୀଡ଼ାରେ ୫୫୦ ଜଣ ଓ ହିନ୍ଦୀ ୯୫୩ ଜଣ ପାସ୍ କରିଛନ୍ତି । ମୋଟ ୪୬୬୯ ପଦବୀ ବାହରିଥିବା ବେଳେ ୧୫୦୩ ଜଣ ପାସ୍ କରିଛନ୍ତି । ଅର୍ଥାତ ମୋଟ ପଦର ଅଧା ଛାତ୍ରଛାତ୍ରୀ ପାସ୍ କରିନାହାନ୍ତି । ଜାଣିଶୁଣି ପିଜି ଲେବଲର କଷ୍ଟସାଧ୍ୟ ପ୍ରଶ୍ନ ପରୀକ୍ଷାରେ ଆସୁଛି । ବେକାରୀଙ୍କ ଅଭିଯୋଗକୁ ସାମୟିକ ଭାବେ ଦୂର କରିବା ପାଇଁ ଏକ ଷଡ଼ଯନ୍ତ୍ର ହେଉଛି ବୋଲି ବେକାର ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ଅଭିଯୋଗ ପଛର ସତ୍ୟତା ଉପରେ । ଯଦି ଏହା ସତ, ତେବେ ଏଥିପାଇଁ ଦାୟୀ କିଏ? ଏହି ଷଡ଼ଯନ୍ତ୍ର ଫଳରେ ହଜାର ହଜାର ଗରିବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଉଛି । ଆଉ ଯଦି ଏହା ମିଥ୍ୟା, ତେବେ ସରକାରଙ୍କ ତରଫରୁ ଏନେଇ ଛାତ୍ରଛାତ୍ରୀଙ୍କୁ ସଠିକ୍ ସ୍ପଷ୍ଟିକରଣ ଦେବାକୁ ଦାବି ହେଉଛି ।

Get real time updates directly on you device, subscribe now.