fbpx

ପୁରୀ ପୋଲିସର ବର୍ବରତା, ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ(ଓଡ଼ିଶା ଭାସ୍କର): ଲୋକଙ୍କୁ ସୁରକ୍ଷା ଦେବାକୁ ପୋଲିସ୍ ଅଛି! କିନ୍ତୁ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଖାକି ପୋଷାକରେ ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରୁଛି ପୋଲିସ୍ । ଏଭଳି ବାରମ୍ବାର ଘଟୁଛି । ଯେତେ ପ୍ରତିବାଦ ଓ ଆନ୍ଦୋଳନ ପରେ ମଧ୍ୟ କିଛିଦିନ ପରେ ପୋଲିସ୍ ପୁଣି ଭୁଲିଯାଉଛି ନିଜ କର୍ତ୍ତବ୍ୟ । ଆଜି ଏଭଳି କାଣ୍ଡ ଭିଆଇଛି ପୁରୀ ପୋଲିସ୍ । ପ୍ରଥମେ ପରିବା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ପରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିର୍ଧୁମ୍ ମାଡ଼ ମାରି ଆହତ କରିଛି ପୁରୀ ପୋଲିସ୍ ।

ଅଭାବନୀୟ ଘଟଣାକ୍ରମରେ ଆଜି ସକାଳୁ ପୁରୀ- କୁମ୍ଭାରପଡ଼ା ଥାନା ପୋଲିସ୍ ଜଣେ ପରିବା ବ୍ୟବସାୟୀଙ୍କୁ ଏଭଳି ମାଡ଼ ମାରିଲା ଯେ ବିଚରା ଗୁରୁତର ଆହତ ବ୍ୟକ୍ତି ଚେତାଶୂନ୍ୟ ହୋଇପଡ଼ିଲେ । କଥା ଏତିକିରେ ଅଟକିଲାନି କି ପୋଲିସ୍ ମାନଙ୍କର ମନ ସନ୍ତୋଷ ହେଲାନି । କୌଣସି ନା କୌଣସି ଆଳ ଦେଖାଇ ଅନ୍ୟମାନଙ୍କୁ ମଧ୍ୟ ଧମକାଇବା ସହ ମାଡ଼ ମାରୁଥିବା ଅଭିଯୋଗ ହୋଇଛି । ଏହାର କିଛି ସମୟ ପରେ ସେଠାରେ ପହଞ୍ôଚଥିଲେ ‘ଧରିତ୍ରୀ’ର ପୁରୀ ବ୍ୟୁରୋ ପ୍ରତିନିଧି ତଥା ସାମ୍ବାଦିକ ଦତ୍ତାତ୍ରେୟ ନାୟକ । ସେତେବେଳକୁ ପୂର୍ବରୁ ଆକ୍ରମଣ କରିଥିବା ପରିବା ବ୍ୟବସାୟୀଙ୍କ ଭାଇକୁ ପୋଲିସ୍ ମାଡ଼ ମାରୁଥିଲା । ଏନେଇ ସାମ୍ବାଦିକ ଦତ୍ତାତ୍ରେୟ ନିଜର ପରିଚୟ ଦେଇ ପୋଲିସ୍ କୁ ପଚାରିଥିଲେ କାହିଁକି ମାଡ଼ ମାରୁଛ? ବାସ୍ ଏତିକି କଥାରେ ଉପସ୍ଥିତ ପୋଲିସ୍ ମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ ବଦଳରେ ସାମ୍ବାଦିକ ଦତ୍ତାତ୍ରେୟଙ୍କୁ ଘେରି ପ୍ରବଳ ମାଡ଼ ମାରିଥିଲେ । ପୋଲିସ୍ ମାଡ଼ ମାରିବା ବେଳେ ସେଠାରେ ବିଭାଗୀୟ ଉଚ୍ଚ ଅଫିସର୍ ମାନେ ମଧ୍ୟ ରହିଥିବା କୁହାଯାଉଛି । ସିଟି ଡିଏସପି ଓ ଆଇଆଇସି ମଧ୍ୟ ନିରବ ଦର୍ଶକ ସାଜିଥିଲେ । କିନ୍ତୁ କେହି କିଛି ଶୁଣିନଥିଲେ । ଏଭଳି ବର୍ବରୋଚିତ ଆକ୍ରମଣରେ ଦତ୍ତାତ୍ରେୟ ମଧ୍ୟ ଆହତ ହୋଇଥିଲେ ଏବଂ ପରେ ସେ ସେଠାରେ ଧାରଣାରେ ବସିଥିଲେ । ଏନେଇ କୁମ୍ଭାରପଡ଼ା ଥାନାରେ ଦତ୍ତାତ୍ରେୟ ଏତଲା ଦେଇଛନ୍ତି ।

ଅନ୍ୟପକ୍ଷରେ ପୁରୀ ଏସପି ଡ. କନୱର ବିଶାଳ ସିଂ ଘଟଣାକୁ ଗୁରୁତ୍ୱର ସହ ନେବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ କେଉଁ ଭୁଲ୍ ପାଇଁ ପ୍ରାଣାନ୍ତକ ଆକ୍ରମଣ କରି ଭ୍ୟାନ୍ ଭିତରକୁ ଭିଡ଼ି ନିଆଗଲା ସେନେଇ ପ୍ରଶ୍ନ କରୁଛି ସାମ୍ବାଦିକ ମହଲ । ପୁରୀରେ କଣ ବ୍ରିଟିଶ୍ ଶାସନ ଚାଲିଛି? ନିଜ କର୍ତ୍ତବ୍ୟ ଭୁଲି ଏଭଳି କାଣ୍ଡ ଘଟାଇଥିବା ସମ୍ପୃକ୍ତ ପୁଲିସ୍ ଓ ବିଭାଗୀୟ ଅଧିକାରୀଙ୍କୁ ଗିରଫ କରାଯାଉ ବୋଲି ଦାବି ତେଜିବାରେ ଲାଗିଛି ।

Get real time updates directly on you device, subscribe now.