fbpx

ସିନ୍ଧିଆ ହେବେ ମୁଖ୍ୟମନ୍ତ୍ରୀ, ଶିବରାଜ ଯିବେ ଦିଲ୍ଲୀ: BJP ଆପ୍ଲାଏ କରିବ ନୂଆ ଫର୍ମୂଲା, କଂଗ୍ରେସକୁ ଲାଗିବ ବଡ଼ ଝଟକା!

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶରେ ରାଜନୀତିର ତାତି ଦେଖିବାକୁ ମିଳିଛି । ଏହା ମଧ୍ୟରେ ଚଳିତ ବର୍ଷ ହେବାକୁ ଥିବା ୯ଟି ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟରୁ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ଫଳାଫଳ ଘୋଷଣା ସରିଲାଣି । ଆଗକୁ ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମ ଆଦି ୬ଟି ରାଜ୍ୟରେ ନିର୍ବାଚନ ହେବାର ଅଛି । ତେଣୁ ବିଜେପି ନୂଆ ରାଜ୍ୟ ଦଖଲ ପ୍ରୟାସରେ ରହିଥିବା ବେଳେ ବିରୋଧୀ ଦଳମାନେ ମଧ୍ୟ ଅନୁରୂପ ପ୍ରୟାସ ଆରମ୍ଭ କରିଦେଇଛନ୍ତି ।

ତେବେ ଏହା ମଧ୍ୟରେ ମଧ୍ୟପ୍ରଦେଶ ରାଜନୀତିକୁ ନେଇ ଏକ ବଡ଼ ଚର୍ଚ୍ଚା ସାମ୍ନାକୁ ଆସିଛି । ଚଳିତ ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ପୂର୍ବ ପରି ଏଥର ମଧ୍ୟ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ । ଏହି ଚର୍ଚ୍ଚା ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନେଇ ଉଠିଛି । ତେବେ ନିର୍ବାଚନ ପୂର୍ବରୁ ବିଜେପି ସାଙ୍ଗଠନିକ ସ୍ତରରେ ଏକ ବଡ଼ଧରଣଣର ପରିବର୍ତ୍ତନ କରିବାର ସମ୍ଭାବନା ରହିଛି ।

ଏକ ବିଶେଷ ସୂତ୍ର ମୁତାବକ, ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ତେବେ ସିନ୍ଧିଆଙ୍କ ସପକ୍ଷରେ ଭଲ ଜନସମର୍ଥନ ରହିଥିବା ସର୍ଭେରୁ ଜଣାପଡ଼ିଛି । ଗତ ୨୦୧୮ ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦ ନ ମିଳିବା ଓ ଦଳରେ ଅଣଦେଖା କାରଣରୁ ଗତ ୨୦୧୯ରେ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇ ପରବର୍ତ୍ତୀ ସମୟରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ସିନ୍ଧିଆ ବିଜେପିକୁ ଆସିବା ପରେ ନିଜର ସମର୍ଥକ ବିଧାୟକଙ୍କୁ ସାଙ୍ଗରେ ନେଇ ଆସିଥିଲେ । ଫଳରେ କଂଗ୍ରେସର ଦୁର୍ଗ ଭୁଶୁଡ଼ି ପଡ଼ିଥିଲା ଓ ମୁଖ୍ୟମନ୍ତ୍ରୀ କମଲନାଥ ସରକାରର ପତ୍ତନ ଘଟିଥିଲା । ଏକଦା ରାହୁଲ ଗାନ୍ଧିଙ୍କ ଅତ୍ୟନ୍ତ ବିଶ୍ୱସ୍ତ କୁହାଯାଉଥିବା ସିନ୍ଧିଆଙ୍କୁ ଅଣଦେଖା କରି କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେବା ସିନ୍ଧିଆଙ୍କ ପକ୍ଷେ ଅହସ୍ୟ ହୋଇପଡ଼ିଥିଲା । ମଧ୍ୟପ୍ରଦେଶ ପରି ରାଜସ୍ଥାନରେ ମଧ୍ୟ ଅଶୋକ ଗେହଲଟ-ସଚିନ ପାଇଲଟଙ୍କ ମଧ୍ୟରେ ଆଜି ପର୍ଯ୍ୟନ୍ତ ଶୀତଳଯୁଦ୍ଧ ଜାରି ରହିଛି ।

ତେବେ ଚର୍ଚ୍ଚା ମୁତାବକ, ସିନ୍ଧିଆ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳି ପାରନ୍ତି । ଅନ୍ୟପକ୍ଷରେ ୨୦୨୪ ନିର୍ବାଚନରେ ଗୁରୁଦାୟିତ୍ୱ ବହନ ପାଇଁ ଶିବରାଜ ଦିଲ୍ଲୀ ରାଜନୀତିରେ ମନୋନିବେଶ କରିପାରନ୍ତି । ସିନ୍ଧିଆଙ୍କୁ ନେଇ ହେଉଥିବା ଏହି ନୂଆ ଚର୍ଚ୍ଚା ଏବେ କଂଗ୍ରେସର ନିଦ ଉଡ଼ାଇ ଦେଇଛି । ତେବେ କଂଗ୍ରେସ ଶିବରାଜଙ୍କ ଅପେକ୍ଷା ସିନ୍ଧିଆଙ୍କୁ ଏବେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଗ୍ରହଣ କରୁଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଗତ କିଛିମାସ ମଧ୍ୟରେ ଏମପି ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ଭାଜପା ଓ ସଂଘ ମଧ୍ୟରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇସାରିଛି ।

ତେବେ ଯଦି ବିଜେପି ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରେ, ତେବେ ଏହା କଂଗ୍ରେସ ପାଇଁ ହତାଶ ଭାବ ପରିସ୍ଥିତି ସୃଷ୍ଟି କରିବ । କାରଣ କଂଗ୍ରେସର ପ୍ରତ୍ୟେକ ରଣନୀତି ବିଷୟରେ ପୂର୍ବରୁ ସିନ୍ଧିଆ ଭଲଭାବେ ଅବଗତ ଅଛନ୍ତି । ତେଣୁ ସିନ୍ଧିଆଙ୍କୁ ଏହି ଦାୟିତ୍ୱ ମିଳିଲେ ସେ ବିଜେପିକୁ ଆହୁରି ମଜବୁତ କରିପାରିବେ ବୋଲି କୁହାଯାଉଛି । ସିନ୍ଧିଆଙ୍କୁ ଏହି ଦାୟିତ୍ୱ ମିଳିଲେ କଂଗ୍ରେସ ନେତାମାନେ ବିଜେପି ଆଡ଼କୁ ଢଳିବାର ସମ୍ଭାବନା ରହିଛି । ସେହିପରି ଶିବରାଜଙ୍କୁ କେନ୍ଦ୍ର ରାଜନୀତିରେ ପ୍ରବେଶ କରାଇଲେ ତାହା ଦଳକୁ ଲୋକସଭା ନିର୍ବାଚନରେ ଫାଇଦା ଦେବ । ତେବେ ଏନେଇ ଦଳ ପକ୍ଷରୁ ଅଫିସିଆଲ ଭାବେ କୌଣସି ବୟାନ ସାମ୍ନାକୁ ଆସିନାହିଁ । ଆଗାମୀ ଦିନରେ ଦଳ କ’ଣ ନିଷ୍ପତ୍ତି ନେଉଛି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.