ନିତିନ ନବୀନଙ୍କ ଟିମ୍‌ରେ ଦେଖିବାକୁ ମିଳିପାରେ ଫାୟାରବ୍ରାଣ୍ଡ ଓ ଯୁବ ଚେହେରା!

ମିଳିଥିବା ସୂଚନା ଅନୁସାରେ ନିତିନ ନବୀନଙ୍କ ନୂଆ ଟିମ୍‌ରେ ୩୮ ଜଣ ପଦାଧିକାରୀ ରହିବେ

ନୂଆଦିଲ୍ଲୀ: ଦାୟିତ୍ୱ ନେବାକୁ ୫ ମାସ ହେଲାଣି। ହେଲେ ଆଜି ପର୍ଯ୍ୟନ୍ତ ନୂଆ ଟିମ୍ ଗଠନ କରିପାରି ନାହାନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ଯାହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି। ତେବେ ମିଳିଥିବା ସୂଚନା ଅନୁସାରେ ଆଗକୁ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ଅଧ୍ୟକ୍ଷ ତାଙ୍କ ନୂଆ ଟିମ୍ ଗଠନ କରିପାରନ୍ତି। ଯେଉଁଥିରେ ଫାୟାରବ୍ରାଣ୍ଡ ନେତା କେ. ଆନ୍ନାମଲାଇ, ସ୍ମୃତି ଇରାନୀ, ତେଜସ୍ୱୀ ସୂର୍ଯ୍ୟା, ପୁନମ ମହାଜନ ଆଦିଙ୍କୁ ସ୍ଥାନ ମିଳିପାରେ।

୨୦୨୬ ଜାନୁଆରୀ ୨୦ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ନିତିନ ନବୀନ। ତାଙ୍କ ରଣନୀତିରେ ପଶ୍ଚିମବଙ୍ଗ, ଆସାମ, କର୍ଣ୍ଣାଟକ, ତାମିଲନାଡ଼ୁ ରାଜ୍ୟ ଓ ପଣ୍ଡିଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଥିଲା ନିର୍ବାଚନ। ଆଉ ନିର୍ବାଚନରେ ବିଜେପିକୁ ମିଳିଥିଲା ଅପୂର୍ବ ସଫଳତା। ସବୁଠାରୁ ଚର୍ଚ୍ଚାରେ ଥିଲା ପଶ୍ଚିମବଙ୍ଗ। ଏଠାରେ ପ୍ରଥମ ଥର ବିଜେପି ସରକାର ଗଢ଼ିଛି।

ପୂର୍ବତନ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦ୍ୱରା ଗଢ଼ା ଯାଇଥିବା ଟିମ୍‌କୁ ନେଇ ମୈଦାନକୁ ଓହ୍ଲାଇଥିଲେ ନିତିନ ନବୀନ। ହେଲେ ତାଙ୍କର ନୂଆ ଟିମ୍ କେବେ ଗଢ଼ା ହେବ? ଯାହାକୁ ନେଇ ନାନା ଚର୍ଚ୍ଚା ଚାଲିଥିବା ବେଳେ ନିତିନ ନବୀନ ଖୁବ୍‌ଶୀଘ୍ର ନୂଆ ଟିମ୍ ଗଠନ କରିବେ ବୋଲି ଆଲୋଚନା ହେଉଛି। ଏଥିରେ ଯୁବ ଓ ଫାୟରବ୍ରାଣ୍ଡ ନେତାକୁ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଯୁବ ଚେହେରା ଭିତରୁ ସବୁଠାରୁ ଆଗରେ ଅଛନ୍ତି କେ ଆନ୍ନମଲାଇ।

ମିଳିଥିବା ସୂଚନା ଅନୁସାରେ ନିତିନ ନବୀନଙ୍କ ନୂଆ ଟିମ୍‌ରେ ୩୮ ଜଣ ପଦାଧିକାରୀ ରହିବେ। ସେଥିରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ୧୩, ରାଷ୍ଟ୍ରୀ ମହାସଚିବ ୯, ରାଷ୍ଟ୍ରୀୟ ସଚିବ ୧୫ ଓ କୋଷାଧ୍ୟକ୍ଷ ଜଣେ ରହିବେ। ଏହି ଟିମ୍‌ରେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳ୍ପବ କୁମାର ଦେବ, ରାଷ୍ଟ୍ରୀୟ ମହାସଚିବ ସୁନୀଲ ବଂଶଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ରାଜ୍ୟସଭା ସାଂସଦ ବିନୋଦ ତାୱଡେ, ସାଂସଦ ତେଜସ୍ୱୀ ସୂର୍ଯ୍ୟା, ପୂର୍ବତନ ମନ୍ତ୍ରୀ ସ୍ମୃତି ଇରାନୀ, ତାମିଲନାଡ଼ୁ ପୂର୍ବତନ ଅଧ୍ୟକ୍ଷ କେ. ଆନ୍ନାମଲାଇ, ସତୀଶ ପୁନିଆ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବି. ମୂରଲୀଧରନ, ପୂର୍ବତନ ସାଂସଦ ଲକେଟ ଚାଟାର୍ଜୀ ଓ ପୂର୍ବତନ ସାଂସଦ ପୁନମ ମହାଜନ ପ୍ରମୁଖ ସଦସ୍ୟ ହୋଇପାରନ୍ତି। ଏମାନଙ୍କ ନାଁକୁ ନେଇ ବେଶ ଚର୍ଚ୍ଚା ହେଉଛି। ତେବେ ଦେଖିବାକୁ ଗଲେ ଏମାନଙ୍କ ମଧ୍ୟରେ ଅଧିକାଂଶ ହେଉଛି ଯୁବ ଓ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ଆଗାମୀ ବିଧାନସଭା ନିର୍ବାଚନରେ ଏମାନେ ପ୍ରମୁଖ ଭୂମିକା ନେଇପାରନ୍ତି।

ଆଗକୁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ନିର୍ବାଚନ ହେବାକୁ ଯାଉଛି। ସମ୍ଭବତଃ ନିର୍ବାଚନ ପୂର୍ବରୁ ନିତିନ ନବୀନ ତାଙ୍କ ନୂଆ ଟିମ୍ ଗଠନ କରିଥିବେ। ଆଉ ପୂରା ଦମରେ ଟିମ୍‌କୁ ଧରି ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇବେ।