ଦଳ ଛାଡ଼ିବା ପରେ ବିଜେପିକୁ ଭଲକି ଧିୋଇଲେ ଅନ୍ନାମଲାଇ, ଦେଲେ ସାଂଘାତିକ ବୟାନ, ୨୦୩୧ ନିର୍ବାଚନକୁ ନେଇ କଲେ ବଡ଼ ଘୋଷଣା
ଦଳ ଛାଡ଼ିବା ପରେ ବିଜେପିକୁ ଭଲକି ଧିୋଇଲେ ଅନ୍ନାମଲାଇ, ଦେଲେ ସାଂଘାତିକ ବୟାନ
ଓଡ଼ିଶା ଭାସ୍କର ଡେସ୍କ: ତାମିଲନାଡୁ ବିଜେପିର ପୂର୍ବତନ ସଭାପତି କେ. ଅନ୍ନାମଲାଇ ଗେରୁଆ ଦଳ ଛାଡ଼ିବା ପରେ ଗତକାଲି ନିଜର ପ୍ରଥମ ପ୍ରମୁଖ ସାଧାରଣ ସଭାରେ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, “ପ୍ରତିଥର ଧର୍ମକୁ ପ୍ରଦର୍ଶନ କରିବା ବା ବାରମ୍ବାର ଦେଖାଇବାର କୌଣସି ଆବଶ୍ୟକତା ନାହିଁ ।” ଜଣେ ‘ସତ୍ୟ ହିନ୍ଦୁ’ର ସଂଜ୍ଞା ବୁଝାଇ ସେ କହିଛନ୍ତି ଯେ, ସେ ଯେତେବେଳେ ବି ଘରୁ ବାହାରକୁ ଗୋଡ଼ କାଢ଼ନ୍ତି, ସେତେବେଳେ ନିଜର ଜାତି ଏବଂ ଧର୍ମକୁ ଘର ଭିତରେ “ତାଲା ପକାଇ” ଆସନ୍ତି ।
ପୋଲ୍ଲାଚିଠାରେ ତାଙ୍କ ସଂଗଠନ ‘ୱି ଦି ଲିଡର୍ସ’ (We the Leaders) ର ପ୍ରଥମ ନିଶାମୁକ୍ତି ସମ୍ମିଳନୀରେ ସେ ଏହି ଭାଷଣ ଦେଇଛନ୍ତି । ଏହାସହ ସେ ଜଣେ ଗର୍ବିତ ରାଷ୍ଟ୍ରବାଦୀ, ଭାରତୀୟ ଏବଂ ହିନ୍ଦୁ ବୋଲି ମଧ୍ୟ ଦୋହରାଇଛନ୍ତି । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜୁନ୍ ମାସରେ ତାମିଲନାଡୁ ନିର୍ବାଚନରେ ବିଜେପିର ଖରାପ ପ୍ରଦର୍ଶନ ପରେ ସେ ଇସ୍ତଫା ଦେଇଥିଲେ । କେନ୍ଦ୍ରୀୟ ନେତୃତ୍ୱ ସହ ଆଦର୍ଶଗତ ଏବଂ ରଣନୀତିକ ମତଭେଦ କାରଣରୁ ସେ ଦଳ ଛାଡ଼ିଥିଲେ ।
ନିଜ ସଂଗଠନକୁ ନେଇ କଣ କହିଲେ ଅନ୍ନାମଲାଇ?
ବିଜେପିରୁ ବାହାରିବା ପରେ ଅନ୍ନାମଲାଇ ‘ୱି ଦି ଲିଡର୍ସ’ ନାମରେ ଏକ ଜନ ରାଜନୈତିକ ଆନ୍ଦୋଳନ ପ୍ରତିଷ୍ଠା କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ସେ ଏହି ଆନ୍ଦୋଳନରେ ସାମିଲ ହେବା ପାଇଁ କାହାକୁ ନିମନ୍ତ୍ରଣ କରିନାହାନ୍ତି । ତେବେ ଆଗାମୀ ୫ ବର୍ଷ ମଧ୍ୟରେ ଏହି ଆନ୍ଦୋଳନ ଏକ ରାଜନୈତିକ ଦଳରେ ପରିଣତ ହେବ ଏବଂ ତାମିଲନାଡୁର ପରବର୍ତ୍ତୀ ବିଧାନସଭା ନିର୍ବାଚନ ଲଢ଼ିବ ।
Uttarakhand Govt.
ଅନ୍ନାମଲାଇ କହିଛନ୍ତି, “ମୁଁ ‘ୱି ଦି ଲିଡର୍ସ’ରେ ଆପଣମାନଙ୍କ ମଧ୍ୟରୁ ଜଣେ । ଆଗାମୀ ୬ ମାସ ମଧ୍ୟରେ ଆମକୁ ୫୦ ଲକ୍ଷ ଗଛ ଲଗାଇବାକୁ ଯୋଜନା କରିବାକୁ ହେବ ।” ଏହି ସଂଗଠନରେ ୧୭ ପ୍ରତିଶତ ମହିଳା ଥିବାବେଳେ, ୧୪ ପ୍ରତିଶତ ୧୮-୨୫ ବର୍ଷର ଯୁବପିଢ଼ି ଏବଂ ୫୪ ପ୍ରତିଶତ ସଦସ୍ୟ ୩୫ ବର୍ଷରୁ କମ୍ ବୟସର ଅଟନ୍ତି ।
୨୦୩୧ ରେ ଆସିବ ବଡ଼ ପରିବର୍ତ୍ତନ
ଅନ୍ନାମଲାଇଙ୍କ ଅନୁଯାୟୀ, ଗତ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ସରକାର ବଦଳାଇବାରେ ୩୯ ବର୍ଷରୁ କମ୍ ବୟସର ଯୁବକମାନେ ଏବଂ ଜେନ-ଜି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେହିପରି ଆଗାମୀ ୨୦୩୧ ନିର୍ବାଚନରେ ଯୁବପିଢ଼ି ପୁଣି ଏକ ବଡ଼ ପରିବର୍ତ୍ତନ ଆଣିବେ ଏବଂ ତାଙ୍କ ସଂଗଠନ ଉପଯୁକ୍ତ ସମୟରେ ରାଜନୈତିକ ଦଳରେ ରୂପାନ୍ତରିତ ହୋଇ ଶାସନ କ୍ଷମତାକୁ ଆସିବ ।
ତାମିଲନାଡ଼ୁରେ ବିଜୟଙ୍କ ବଡ଼ ବିଜୟ
ନିକଟରେ ତାମିଲନାଡୁ ନିର୍ବାଚନରେ ଅଭିନେତାରୁ ରାଜନେତା ବନିଥିବା ବିଜୟଙ୍କ ରାଜନୈତିକ ଦଳ ‘ଟିଭିକେ’ ବଡ଼ ବିଜୟ ହାସଲ କରିଛି ଏବଂ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହାର ଠିକ୍ ଦୁଇ ମାସ ମଧ୍ୟରେ ଅନ୍ନାମଲାଇଙ୍କ ଏହି ବୟାନ ତାମିଲନାଡୁ ରାଜନୀତିକୁ ପୁଣି ଉଷ୍ମ କରିଦେଇଛି ।

