ମାନସରୋବର ଯାତ୍ରାକୁ ନେଇ ପୁଣି ଗରମ ହେଲା ଭାରତ-ନେପାଳ ସୀମା ବିବାଦ, ମୋଦିଙ୍କୁ ବାଲେନଙ୍କ ନାଲିଆଖି
ଲିପୁଲେଖ ରାସ୍ତାକୁ ନେଇ ଭାରତ-ନେପାଳ ମଧ୍ୟରେ ତିବ୍ରତା, ମାନସରୋବର ଯାତ୍ରା ଉପରେ ନେପାଳର ଆପତ୍ତି
Mansarovar Yatra: ମାନସରୋବର ଯାତ୍ରାର ରାସ୍ତାକୁ ନେଇ ନେପାଳର ବାଲେନ ସରକାର କଡ଼ା ଆପତ୍ତି ପ୍ରକାଶ କରିଛନ୍ତି। ଫଳସ୍ୱରୂପ, ଭାରତ ଏବଂ ନେପାଳ ମଧ୍ୟରେ ଲିପୁଲେଖ ବିବାଦ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ଲିପୁଲେଖ ଘାଟି ଦେଇ କୈଳାସ ମାନସରୋବର ତୀର୍ଥଯାତ୍ରା ପୁନଃ ଆରମ୍ଭ କରିବା ପାଇଁ ଭାରତ ଏବଂ ଚୀନ୍ ଏକ ସହମତିରେ ପହଞ୍ଚିଛନ୍ତି। ବାଲେନ ସରକାର ଦାବି କରିଛନ୍ତି ଯେ, କାଠମାଣ୍ଡୁର ସମ୍ମତି ବିନା ଏହି ତୀର୍ଥଯାତ୍ରା ଆୟୋଜନ କରାଯାଇପାରିବ ନାହିଁ, କାରଣ ଲିପୁଲେଖ ନେପାଳର ଏକ ଅବିଚ୍ଛେଦ୍ୟ ଅଂଶ।
ଏହି ପରିପ୍ରେକ୍ଷୀରେ, ନେପାଳ ସରକାର ଭାରତ ଏବଂ ଚୀନ୍ ଉଭୟକୁ କୂଟନୈତିକ ନୋଟ୍ ପଠାଇଛନ୍ତି। ତେବେ ଭାରତ ଏହି ଅଞ୍ଚଳ ଉପରେ ନେପାଳର ଦାବିକୁ ନିରନ୍ତର ପ୍ରତ୍ୟାଖ୍ୟାନ କରିଆସିଛି। ଚୀନ୍ ମଧ୍ୟ ଏହି ପ୍ରସଙ୍ଗରେ ନେପାଳର ମତକୁ ସ୍ୱୀକାର କରିବା ପାଇଁ କୌଣସି ପଦକ୍ଷେପ ନେଇନାହିଁ। ସେପଟେ ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ, ଗତ କିଛି ବର୍ଷ ଧରି ନେପାଳ ଲିପୁଲେଖ ବିବାଦ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଯାହାଦ୍ଵାରା ମାମଲା ଜଟିଳହେବାରେ ଲାଗିଛି ।
ବିବାଦ କ’ଣ?
ବିବାଦର ମୁଖ୍ୟ କାରଣ ହେଉଛି ଲିମ୍ପିଆଧୁରା, ଲିପୁଲେଖ ଏବଂ କଳାପାଣିର ତ୍ରିକୋଣୀୟ ଜଙ୍କସନ୍, ଯାହା ଭାରତର ଏବଂ ଏହା ଉପରେ ଭାରତର ନିୟନ୍ତ୍ରଣ ମଧ୍ୟ ରହିଛି। ନେପାଳ ୧୮୧୬ ମସିହାର ସୁଗୌଲି ଚୁକ୍ତିନାମାକୁ ଉଦ୍ଧୃତ କରି ଏହି ଅଞ୍ଚଳ ଉପରେ ଦାବି କରୁଛି। ନେପାଳର କହିବା କଥା ହେଉଛି ଯେ ଭାରତ କିମ୍ବା ଚୀନ୍ ମଧ୍ୟରୁ କେହିବି ତାଙ୍କସହମତି ବିନା ଲିପୁଲେଖ ରାସ୍ତା ଦେଇ ବାଣିଜ୍ୟ କିମ୍ବା ଯାତାୟତ କରିପାରିବେ ନାହିଁ ।
ଭାରତ କରିଥିଲା ବିବାଦ ସମାଧାନ ପାଇଁ ପ୍ରୟାସ
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପ୍ରଥମ କାର୍ଯ୍ୟକାଳରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିଲେ । ତେଣୁ ସେ ୨୦୧୪ ମସିହାରେ ନେପାଳ ଗସ୍ତ କରିଥିଲେ। ସେହି ସମୟରେ, ଉଭୟ ରାଷ୍ଟ୍ରର ବୈଦେଶିକ ସଚିବମାନଙ୍କୁ ଏହି ଆଲୋଚନା ପରିଚାଳନା କରିବାର ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପରିସ୍ଥିତି ଏପରି ହେଲା ଯେ ଗୋଟିଏ ବି ବୈଠକ ହୋଇପାରିଲା ନାହିଁ । ଅନ୍ୟପଟେ ମେ ୨୦୨୦ରେ ନେପାଳର ଓଲି ସରକାର ଏପରି ଏକ ପଦକ୍ଷେପ ନେଲେ ଯାହା ସ୍ଥିତିକୁ ଆହୁରି ଖରାପ କରିଦେଲା।
ଓଲି ସରକାରଙ୍କ ଭୁଲ
ଓଲି ସରକାର ଏକ ନୂତନ ମାନଚିତ୍ର ଜାରି କରି ଏହି ତିନୋଟି କ୍ଷେତ୍ରକୁ ନେପାଳର ସୀମା ଭିତରେ ଦେଖାଇଲେ ଏବଂ ସଂସଦ ମଧ୍ୟ ଏହାକୁ ମଞ୍ଜୁରୀ ଦେଇଥିଲା । ଏହା ପରେ ଜୁନ ୨୦୨୦ରେ ନେପାଳ ଏହି ସଂଶୋଧିତ ମାନଚିତ୍ରକୁ ଏହାର ଜାତୀୟ ପ୍ରତୀକରେ ଅନ୍ତର୍ଭୁକ୍ତ କରିବା ପାଇଁ ଏହାର ସମ୍ବିଧାନ ସଂଶୋଧନ କରିଥିଲା। ଭାରତ ଏହି ପଦକ୍ଷେପ ବିରୁଦ୍ଧରେ ଦୃଢ଼ ପ୍ରତିବାଦ କରିଥିଲା।
ଚୀନର ଆଭିମୁଖ୍ୟ
ଚୀନ ମଧ୍ୟ ଏହି ସମ୍ପୂର୍ଣ୍ଣ ବିବାଦର ଏକ ପକ୍ଷ, ଏବଂ ବେଜିଂ ସହିତ ନେପାଳର ଅଭିଜ୍ଞତା ମଧ୍ୟ ସକାରାତ୍ମକ ନୁହେଁ। ୨୦୧୫ ମସିହାରୁ କାଠମାଣ୍ଡୁ ବାରମ୍ବାର ଅନୁରୋଧ କରିଆସୁଛି ଯେ, ଲିପୁଲେଖ ମାର୍ଗ ଦେଇ ବାଣିଜ୍ୟ ଏବଂ ପରିବହନ କାର୍ଯ୍ୟକଳାପ ବନ୍ଦ କରାଯାଉ । କିନ୍ତୁ ବେଜିଂ ପୂର୍ବ ପରି ଆଗକୁ ବଢ଼ି ଚାଲିଛି।
ଗତ ବର୍ଷ ପ୍ରଧାନମନ୍ତ୍ରୀ ଓଲିଙ୍କ ଚୀନ ଗସ୍ତ ସମୟରେ ସେ ତିଆନଜିନରେ ସି ଜିନପିଙ୍ଗଙ୍କ ସହ ତାଙ୍କ ସାକ୍ଷାତ ସମୟରେ ଏହି ପ୍ରସଙ୍ଗ ଉଠାଇଥିଲେ । ସେ ସ୍ପଷ୍ଟ ଭାବରେ କହିଥିଲେ ଯେ, ନେପାଳ ସିଧାସଳଖ ଭାରତ ସହିତ ଏହି ପ୍ରସଙ୍ଗର ସମାଧାନ କରିବା ଉଚିତ।
ନେପାଳର ପୂର୍ବତନ କୂଟନୀତିଜ୍ଞ ଶମ୍ଭୁ ରାମ ସିମଖାଡା ‘ଦି କାଠମାଣ୍ଡୁ ପୋଷ୍ଟ’ ସହିତ ଏକ ସାକ୍ଷାତକାରରେ ମନ୍ତବ୍ୟ ଦେଇଥିଲେ ଯେ, ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ ଦୂରଦୃଷ୍ଟିକୁ ବୁଝିବାରେ ବିଫଳ ହେଲୁ, ଯିଏ ଏହାର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିଥାନ୍ତେ। ଭାରତୀୟ ରାଜନୀତିର ବଦଳୁଥିବା ସ୍ଥିତିକୁ ନେପାଳକୁ ଗମ୍ଭୀରତାର ସହ ବୁଝିବାକୁ ହେବ।
