fbpx

ମହାପ୍ରସାଦରେ ମିଶାଯାଏ କାଙ୍କଣ, ଜାଣନ୍ତୁ କାହିଁକି ?

ପୁରୀ: ମହାପ୍ରଭୁଙ୍କ ମହାପ୍ରସାଦରେ କାଙ୍କଣ ମିଶିଥାଏ । କାଙ୍କଣର ବି ରହିଛି ମାହାତ୍ମ୍ୟ । ୧୭୩୧ ମସିହାରେ ଚିଲିକା କୂଳରେ ନଇରୀ ଗାଁରେ ମହାପ୍ରଭୁ ଥାନ୍ତି । ୧୭୩୨ ମାର୍ଚ୍ଚ ମାସ ଶେଷ ବେଳକୁ ସେଠାରେ ତକି ଖାଁର ଆକ୍ରମଣ ଆଶଙ୍କା ଦେଖାଦେଇଥିଲା । ଏହାଜାଣି ଗାଁ ଲୋକେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସେଠାରୁ ପ୍ରାୟ ଏକ କିଲୋମିଟର ଦୂର ଚିଲିକା ଭିତରେ ଏକ କୁଦକୁ ନେଇଯାଇଥିଲେ । ସେହି କୁଦର ନାମ ଥିଲା କାଙ୍କଣ କୁଦ ।

ଏହି କୁଦରେ ଆପେ ଆପେ କାଙ୍କଣ ହୁଏ ଓ ଝଡ଼ିଯାଏ । ନିଘଞ୍ଚ ଜଙ୍ଗଲ ଭରପୂର ଏହି କୁଦରେ ଠାକୁରଙ୍କ ଅବସ୍ଥାନ କରାଯାଇଥିଲା । ସେଠାରେ କୌଣସି ଜନବସତି ନ ଥିଲା । ୯ ଏକର ପରିମିତ ଏହି କୁଦରେ ମହାପ୍ରଭୁଙ୍କ ଗୁପ୍ତ ସେବା ଚାଲିଲା । ଏହି କୁଦରେ ପ୍ରବଳ କାଙ୍କଣ ଫଳୁଥିଲା । ସେତେବେଳେ ସେବକମାନେ ମହାପ୍ରଭୁଙ୍କୁ କାଙ୍କଣ ସିଝାଇ ମଣୋହି କରିଥିବା ଉଲ୍ଲେଖ ରହିଛି । ସେହିଦିନଠାରୁ ଶ୍ରୀମନ୍ଦିରକୁ କାଙ୍କଣ ପରିବା ପ୍ରବେଶ କରିଥିଲା ।

ସ୍ମରଣଯୋଗ୍ୟ ଯେ, ସେଠାରେ କେହି କାଙ୍କଣ ଲଗାନ୍ତି ନାହିଁ ତଥାପି ପ୍ରତିବର୍ଷ ପର୍ଯ୍ୟାପ୍ତ କାଙ୍କଣ ଫଳେ ଓ ଝଡ଼ିଯାଏ । ସ୍ଥାନୀୟ ଲୋକେ ସେହି କାଙ୍କଣକୁ ଖାଆନ୍ତି ନାହିଁ । ପାରୁ ପର୍ଯ୍ୟନ୍ତ ସେହି କାଙ୍କଣକୁ ତୋଳି ବସ୍ତାବସ୍ତା କରି ଶ୍ରୀମନ୍ଦିରକୁ ପଠାନ୍ତି । ରାଧାନାଥ ରାୟ ତାଙ୍କ ଚିଲିକା ମହାକାବ୍ୟରେ ଏହି କଥା ଉଲ୍ଲେଖ କରିଛନ୍ତି । ଆଜି ମଧ୍ୟ ସେଠାରେ କାଙ୍କଣ ହେଉଛି ଓ ଝଡ଼ି ଯାଉଛି । ନିଘଞ୍ଚ ଜଙ୍ଗଲ ଥିବା ଏହି କୁଦରେ ରହିଛି ମହାପ୍ରଭୁଙ୍କ ସ୍ମୃତି ।

Get real time updates directly on you device, subscribe now.