ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ: ନାବାଳକକୁ ଯୌନ ଶୋଷଣ, ମଦ୍ରାସା ଶିକ୍ଷକ ଗିରଫ

୧୧ ବର୍ଷର ଛାତ୍ର ଜଣକ ମଦ୍ରାସାକୁ ପାଠ ପଢ଼ିବାକୁ ଯାଆନ୍ତି। ହେଲେ ମାଦ୍ରାସାର ଶିକ୍ଷକ ମହମ୍ମଦ ବଶୀର ତାଙ୍କୁ ବାରମ୍ବାର ଯୌନ ଶୋଷଣ କରୁଥିଲେ

କନ୍ନୁର: ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ। ମଦ୍ରାସାରେ ନାବାଳକ ଛାତ୍ରଙ୍କୁ ଯୌନ ଶୋଷଣ। ଏପରି ଅଭିଯୋଗ ଆସିଛି କେରଳର କନ୍ନୁରରୁ। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ମଦ୍ରାସା ଶିକ୍ଷକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

୧୧ ବର୍ଷର ଛାତ୍ର ଜଣକ ମଦ୍ରାସାକୁ ପାଠ ପଢ଼ିବାକୁ ଯାଆନ୍ତି। ହେଲେ ମାଦ୍ରାସାର ଶିକ୍ଷକ ମହମ୍ମଦ ବଶୀର ତାଙ୍କୁ ବାରମ୍ବାର ଯୌନ ଶୋଷଣ କରୁଥିଲେ। ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବା ପାଇଁ ଧମକ ଦେଉଥିଲେ। ଯେଉଁଥିପାଇଁ ଛାତ୍ର ଜଣକ ସବୁ ସହି ଚୁପ୍ ରହୁଥିଲେ। ତାଙ୍କ ସହ ଘଟିଥିବା ଘଟଣା ବିଷୟରେ ସେ କାହାକୁ ଜଣାଇପାରୁନଥିଲା।

ତେବେ ନିର୍ଯାତନା ଅସହ୍ୟ ହେବାରୁ ଛାତ୍ର ଜଣକ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲା। ତା’ପରେ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ମାମଲା ରୁଜୁ କରି ଶିକ୍ଷକ ମହମ୍ମଦ ବଶୀରଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଆରମ୍ଭ ହୋଇଥିଲା। ତାଙ୍କୁ ଗିରଫ କରିଛି ପୋଲିସ।

ଅଭିଯୁକ୍ତଙ୍କୁ ପୋଲିସ ଥାଲାସେରୀ ପୋକ୍ସୋ କୋର୍ଟରେ ହାଜର କରାଯିବା ପରେ ୧୪ ଦିନିଆ ନ୍ୟାୟିକ ହେପାଜତରେ କନ୍ନୁର ସେଣ୍ଟ୍ରାଲ ଜେଲ୍‌କୁ ପଠାଯାଇଛି। ଏହି ମାମଲାରେ ପୋକ୍ସୋ ଆଇନ ସମେତ ଅନ୍ୟ ସମ୍ପର୍କିତ ଧାରା ଅନୁଯାୟୀ ଆଇନଗତ ପଦକ୍ଷେପ ନିଆଯାଉଛି।