ହତ୍ୟା ପାଇଁ ବୋହୂ କରିଥିଲା ୬ ଲକ୍ଷର ଡିଲ; ଧରାପଡ଼ିବା ଭୟରେ କାନ୍ଦୁଥିଲା କୁମ୍ଭୀର କାନ୍ଦଣା
ଉତ୍ତରପ୍ରଦେଶର କାନପୁର ପ୍ରତିଷ୍ଠିତ ଔଷଧ ବ୍ୟବସାୟୀ ହେଉଛନ୍ତି ବିନୀତ ମିନୋଚା। ସେ କଲ୍ୟାଣପୁରସ୍ଥିତ ରତନ ଅର୍ବିଟ୍ ଆପାର୍ଟମେଣ୍ଟରେ ପରିବାର ସହ ରହୁଥିଲେ
କାନପୁର: ଶ୍ୱଶୁରକୁ ସୁପାରୀ ଦେଇ ମାରିଲା। ଆଉ କିଛି ନଜାଣିଲା ପରି ପୋଲିସ ଓ ସାହି ପଡ଼ିଶାଙ୍କ ଆଗରେ କାନ୍ଦିବାର ଅଭିନୟ କଲା। ହେଲେ ଦୁର୍ଭଗ୍ୟକୁ ବୋହୂର ଏହି ଚାଲ ଧରା ପଡ଼ିଗଲା। ବୁଢ଼ିଆଣି ଜାଲର ଖେଳ ଅଣ୍ଡାଳୁ ଅଣ୍ଡାଳୁ ପୋଲିସ ବୋହୂ ପାଖରେ ଆସି ପହଞ୍ଚିଲା। ତା’ପରେ ଖୋଲିଲା ହତ୍ୟାକାଣ୍ଡର ପୂରା ପୋଲ୍। ଆଉ ଧରା ପଡ଼ିଗଲା ବୋହୂର କୁମ୍ଭୀର କାନ୍ଦଣା ପଛର କାହାଣୀ। ତା’ହେଲେ ଆସନ୍ତୁ ପୂରା ଘଟଣା ଭିତରକୁ ଯିବ।
ଉତ୍ତରପ୍ରଦେଶର କାନପୁର ପ୍ରତିଷ୍ଠିତ ଔଷଧ ବ୍ୟବସାୟୀ ହେଉଛନ୍ତି ବିନୀତ ମିନୋଚା। ସେ କଲ୍ୟାଣପୁରସ୍ଥିତ ରତନ ଅର୍ବିଟ୍ ଆପାର୍ଟମେଣ୍ଟରେ ପରିବାର ସହ ରହୁଥିଲେ। ପରିବାର କହିଲେ ପୁଅ ସୁବ୍ରତ, ବୋହୂ ଶାଲୁ ଓ ନାତି। କୋଟି କୋଟି ଟଙ୍କାର ବ୍ୟବସାୟ। ହେଲେ ପୁଅ ଓ ବୋହୂଙ୍କୁ ଫାଲ୍ତୁ ଖର୍ଚ୍ଚ କରିବାକୁ ଟଙ୍କା ଦେଉନଥିଲେ। ଯେଉଁଥିପାଇଁ ବୋହୂ ଶାଲୁ ସବୁବେଳେ ଅସନ୍ତୁଷ୍ଟ ରହୁଥିଲେ। କିନ୍ତୁ ସେଥିପ୍ରତି ବିନୀତ ବେଶୀ ଧ୍ୟାନ ଦେଉନଥିଲେ।
ଗତ ଶନିବାର ରାତି ପ୍ରାୟ ସାଢ଼େ ୯ଟା ହେବ। ସୁବ୍ରତ, ତାଙ୍କ ପତ୍ନୀ ଶାଲୁ ଓ ପୁଅ କୌଣସି ଏକ ଭୋଜିରେ ଯୋଗଦେବା ପାଇଁ ଚାଲିଗଲେ। ରାତିରେ ଏକୁଟିଆ ଘରେ ଥିଲେ ବିନୀତ। ଏହାର ସୁଯୋଗ ନେଇ ଡୁପ୍ଲିକେଟ୍ ଚାବିରେ ଘର ଖୋଲି ଭିତରେ ପଶିଥିଲେ ଦୁଇ ଜଣ ଯୁବକ। ଅଭିଯୋଗ ଅନୁସାରେ ସେହି ରାତିରେ ସେମାନେ ଘର ଭିତରେ ଶୋଇଥିବା ବିନୀତଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲେ।
ରବିବାର ସକାଳେ ଘରକୁ ଫେରିଥିଲେ ସୁବ୍ରତ ଓ ତାଙ୍କ ପତ୍ନୀ ଶାଲୁ। ଘର ଭିତରେ ବାପାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଦେଖ ଅବାକ୍ ହୋଇଯାଇଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଥିଲା। ଯେତେବେଳେ ପୋଲିସ ସମସ୍ତଙ୍କ ବୟାନ ରେକର୍ଡ଼ କରୁଥିଲା, ସେତେବେଳେ ଶାଲୁ ଭାବ ବିହ୍ୱଳ ହୋଇପଡ଼ିଥିଲେ। ଶ୍ୱଶୁରଙ୍କ ମୃତ୍ୟୁକୁ ନେଇ କାନ୍ଦୁଥିବା ଦେଖିବାକୁ ମିଳୁଥିଲା। ସତେ ଯେମିତି ଶ୍ୱଶୁରଙ୍କ ଦେହାନ୍ତରେ ସେ ପୂରା ମର୍ମାହନ୍ତ।
ହତ୍ୟାକାଣ୍ଡ ପରେ ଘରୁ କୌଣସି ସାମଗ୍ରୀ ଚୋରି ହୋଇନଥିଲା। ଯାହାକୁ ନେଇ ପୋଲିସ ମନରେ ସନ୍ଦେହ ହୋଇଥିଲା। ଏହା ପଛରେ ଷଡ଼ଯନ୍ତ୍ର ଥିବା ଅନୁମାନ କରୁଥିଲା ପୋଲିସ। ଘରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା। ଫୁଟେଜ୍ରେ ଦୁଇଜଣ ବ୍ୟକ୍ତି ଫ୍ଲାଟ୍ ଭିତରେ ପ୍ରବେଶ କରୁଥିବା ଦେଖାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିନୀତଙ୍କ ପୁରୁଣା ଚାକର ବିଶାଲ ବୋଲି ପୋଲିସ ଚିହ୍ନଟ କରିଥିଲା। ବିଶାଲ୍ ପ୍ରାୟ ୬ ବର୍ଷ ତଳେ ବିନୀତଙ୍କ ଘରେ କାମ କରୁଥିବା ବେଳେ ଚୋରି ଅଭିଯୋଗରେ ଧରାପଡ଼ି ବିଦା ହୋଇଥିଲା। ତଥାପି ସେ ପରିବାର ଲୋକଙ୍କ ସହ ସମ୍ପର୍କ ରହିଥିବା ପୋଲିସ ଜାଣିବାକୁ ପାଇଥିଲା।
ପୋଲିସ ପ୍ରଥମେ ବିଶାଲ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲା। ତା’ ଲୋକେସନ୍କୁ ଟ୍ରାକ୍ କରିଥିଲା। ସିସିଟିଭି ଓ ଅନ୍ୟାନ୍ୟ ପ୍ରମାଣ ଅଧାରରେ ପୋଲିସ ବିଶାଲ୍ ଏବଂ ତା’ର ସାଥୀଙ୍କୁ ଧରିଥିଲା। ଘରେ ପଶିବା ପାଇଁ ଚାବି କେଉଁଠୁ ଆଣିଥିଲା? କାହିଁକି ହତ୍ୟା କଲେ? ଏଥିପାଇଁ କେହି ସୁପାରୀ ଦେଇଥିଲେ କି? ଯଦି କୌଣସି ବ୍ୟକ୍ତି ଦେଇଥିଲେ, ସିଏ କିଏ ଓ କଣ ପାଇ? ଏମିତି ନାନା ପ୍ରଶ୍ନ ବିଶାଲଙ୍କୁ ପଚାରିଥିଲା ପୋଲିସ। ଶେଷରେ ବିଶାଲ ସବୁ କଥା କହିଥିଲା। ଘରୁ ବିଦା ହେବା ବେଳେ ତା’ ପାଖରେ ଡୁପ୍ଲିକେଟ୍ ଚାବିଥିବା ସେ ସ୍ୱୀକାର କରିଥିଲା। ହତ୍ୟା ପାଇଁ ଶାଲୁ ଟଙ୍କା ଦେଇଥିବା ବିଶାଲ କହିଥିବା ପୋଲିସ ଜାଣିବାକୁ ପାଇଥିଲା।
ପୋଲିସର କହିବା ଅନୁସାରେ ବିନୀତଙ୍କୁ ହତ୍ୟା ପାଇଁ ଶାଲୁ ସୁପାରି ଦେଇଥିଲେ। ହତ୍ୟା ପାଇଁ ୬ ଲକ୍ଷ ଟଙ୍କା ଡିଲ୍ ହୋଇଥିଲା। ୨ ଲକ୍ଷ ଟଙ୍କା ଆଡ୍ଭାନ୍ସ ନେଇଥିଲା ବିଶାଲ। ଅବଶିଷ୍ଟ ୪ ଲକ୍ଷ ଟଙ୍କା ହତ୍ୟାକାଣ୍ଡ ଘଟାଇବା ପରେ ନେବାପାଇଁ ସ୍ଥିର ହୋଇଥିବା ବିଶାଲ କହିଥିଲା। ଏହା ପରେ ପୋଲିସ ବୋହୂ ଶାଲୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତଥାପି ପୋଲିସ ଏହି ମାମଲାର ତଦନ୍ତ ଚଳାଇଥିବା ଜଣାପଡ଼ିଛି।

