ଥାଇଲାଣ୍ଡରୁ କାନପୁର… ପ୍ରେମ ପାଇଁ ଆସିଥିଲେ; ଏବେ ନ୍ୟାୟ ପାଇଁ ଲଢ଼ୁଛନ୍ତି ଯୁବତୀ

କାନପୁର ଅନୱରଗଞ୍ଜ ଅଞ୍ଚଳର ମହମ୍ମଦ ଇରଫାନ ପେଶାରେ ଜଣେ ଲୁଗା ସିଲେଇ ମିସ୍ତ୍ରୀ। ପତ୍ନୀ ଓ ୩ଟି ଛୁଆଙ୍କ ବାପା। ତଥାପି ଇନ୍‌ଷ୍ଟାଗ୍ରାମରେ ଥାଇଲାଣ୍ଡ ସୁନ୍ଦରୀ ରେମା(ଛଦ୍ମନାମ)ଙ୍କ ପ୍ରେମରେ ପଡ଼ିିଥିଲେ

ନୂଆଦିଲ୍ଲୀ: ସାତ ଦରିଆ, ଆଠ ନଈ ପାର ହୋଇ ପ୍ରେମ ପାଇଁ ଆସିଥିଲେ। ହାତରେ ଥିଲା ବିବାହର ଫଟୋ, ମନରେ ଥିଲା ସାଥୀ ହେବାର ସ୍ୱପ୍ନ। କିନ୍ତୁ କାନପୁରରେ ପହଞ୍ଚିବା ପରେ କାହାଣୀ ନେଲା ଅନ୍ୟ ଏକ ମୋଡ଼। ପ୍ରେମରୁ ବିବାହ, ଆଉ ବିବାହ ପରେ ଠକେଇ ଓ ଧର୍ମ ପରିବର୍ତ୍ତନର ଅଭିଯୋଗ। ଏବେ ଥାଇଲାଣ୍ଡରୁ କାନପୁର ଆସି ନ୍ୟାୟ ମାଗୁଛନ୍ତି ଜଣେ ଯୁବତୀ।

କାନପୁର ଅନୱରଗଞ୍ଜ ଅଞ୍ଚଳର ମହମ୍ମଦ ଇରଫାନ ପେଶାରେ ଜଣେ ଲୁଗା ସିଲେଇ ମିସ୍ତ୍ରୀ। ପତ୍ନୀ ଓ ୩ଟି ଛୁଆଙ୍କ ବାପା। ତଥାପି ଇନ୍‌ଷ୍ଟାଗ୍ରାମରେ ଥାଇଲାଣ୍ଡ ସୁନ୍ଦରୀ ରେମା(ଛଦ୍ମନାମ)ଙ୍କ ପ୍ରେମରେ ପଡ଼ିିଥିଲେ। ଆଉ ତାଙ୍କୁ ବାହା ହେବେ ବୋଲି କଥା ଦେଇଥିଲେ। ହେଲେ ନିଜର ପ୍ରକୃତ ପରିଚୟ ଲୁଚାଇ ରଖିଥିଲେ। ନିଜକୁ ଅଭିବାହିତ ଯୁବକ ଓ ନାଁ ମହମ୍ମଦ ଇରଫାନ୍ ବୋଲି କହିଥିନଥିଲେ। ଅନ୍ୟ ଏକ ପରିଚୟ ଦେଇ ଭଲ ପାଇଥିଲେ। ରେମା ପ୍ରେମରେ ପାଗଳ ଥିବାରୁ ବେଶୀ କିଛି ଯାଞ୍ଚ କରିନଥିଲେ।
ପରବର୍ତ୍ତୀ ସମୟରେ ଇରଫାନ୍ ଥାଇଲାଣ୍ଡ ଯାଇଥିଲେ। ଆଉ ସେଠାରେ ରେମାଙ୍କୁ ବିବାହ କରିଥିଲେ।

ଥାଇ ରୀତିନୀତିରେ ହୋଇଥିଲା ବିବାହ। ସେଠାରେ କିଛି ଦିନ ରହିଥିଲେ। ରେମାଙ୍କ ଟଙ୍କାରେ ଇରଫାନ ଅୟସ କରିଥିଲେ। ଆଉ ସମୟ ସୁବିଧା ଦେଖି ରେମାଙ୍କ ପାଖରେ ଥିବା ପ୍ରାୟ ୬୦ ଲକ୍ଷ ଟଙ୍କା ଇରଫାନ୍ ନେଇ ଆସିଥିଲେ। ତା’ପରେ ପତ୍ନୀଙ୍କୁ ଧରି ନିଜ ଘରକୁ ଆସିଥିଲେ ଇରଫାନ୍‌। ଆଉ ଘରେ ପହଞ୍ଚିବା ପରେ ଇରଫାନ୍‌ଙ୍କ ପ୍ରକୃତ ଚେହେରା ସାମ୍ନାକୁ ଆସିଥିଲା। ସେ ପୂର୍ବ ବିବାହିତା ଓ ତାଙ୍କ ୩ ପିଲା ଅଛନ୍ତି ବୋଲି ରେମା ଜାଣିବାକୁ ପାଇଥିଲେ। ଏହା ପରେ ପାରିବାରିକ ସଂସାରରେ ଉଠିଲା ଝଡ଼। ହେଲେ ଇରଫାନ୍ ଛାଡ଼ିବାର ନଥିଲେ। ସେ ରୀମାଙ୍କ ଉପରେ ଦେଇଥିଲେ ନିର୍ଯାତନା।

ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଇଥିଲେ। ବୁର୍ଖା ପିନ୍ଧିବା ପାଇଁ ବାଧ୍ୟ କରିଥିଲେ। ହେଲେ ରେମା ରାଜି ନହେବାରୁ ଆରମ୍ଭ ହେଲା ନିର୍ଯାତନା। ତାଙ୍କ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ନିର୍ଯାତନା ଅସହ୍ୟ ହେବାରୁ ପୀଡ଼ିତା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏଥିସହ ବିବାହ ସମୟର କିଛି ଫଟୋ ମଧ୍ୟ ପୋଲିସକୁ ଦେଖାଇଥିଲେ। ଅଭିଯୋଗକୁ ଗୁରୁତ୍ୱର ସହ ନେଇଛନ୍ତି ଅତିରିକ୍ତ ପୋଲିସ କମିଶନର।

କାନପୁର ପୋଲିସ କମିଶନର ବିପିନ ଟାଡା କହିଛନ୍ତି; ଥାଇଲାଣ୍ଡର ଜଣେ ଯୁବତୀ ଅଭିଯୋଗ ଦାଖଲ କରିଛନ୍ତି। ଏହି ମାମଲାର ତଦନ୍ତ ଚାଲିଛି। ତଦନ୍ତର ତଥ୍ୟ ଆଧାରରେ ଆଗାମୀ ପଦକ୍ଷେପ ନିଆଯିବ। ତେବେ ଯୁବତୀଙ୍କ ଅଭିଯୋଗର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।