fbpx

ଇସ୍ତଫା ଦେବେ ୟେଦ୍ଦୁରାପ୍ପା! କିନ୍ତୁ ରଖିଲେ ଗୋଟିଏ ସର୍ତ୍ତ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦ୍ଦୁରାପ୍ପା ବର୍ତ୍ତମାନ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଚାନକ ଭେଟିବା ପରେ ୟେଦ୍ଦୁଙ୍କ ପରିବର୍ତ୍ତନ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ୨୦୨୪ ଲୋକସଭା ନିର୍ବାଚନ ଓ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଏକାଧିକ ରାଜ୍ୟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ କରାଯାଇଥିଲା । ଅନୁରୂପ ଭାବେ ବିଜେପି ଶାସିତ କିଛି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପରେ ୟେଦ୍ଦୁଙ୍କ ପାଳି ପଡ଼ିବ ବୋଲି ଅନୁମାନ କରାଯାଉଥିଲା । ତେବେ ପ୍ରଥମେ ୟେଦ୍ଦୁ ଏହାକୁ ହସରେ ଉଡ଼ାଇ ଦେଇଥିଲେ ମଧ୍ୟ ଏହି ସାକ୍ଷାତ ପଛରେ କିଛି ରହସ୍ୟ ରହିଥିବା କୁହାଯାଉଛି ।

ତେବେ ଦିଲ୍ଲୀରେ ୟେଦ୍ଦୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ରାଜି ଥିବା ଜଣାପଡ଼ିଛି । ଯଦିଓ ସେ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି, ତେବେ ଏନେଇ କିଛି ସର୍ତ୍ତ ରଖିଛନ୍ତି । ୟେଦ୍ଦୁ ନିଜ ପୁତ୍ରଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଲବି କରିଛନ୍ତି । ତାଙ୍କ ପୁତ୍ରକୁ କେନ୍ଦ୍ରରେ ଥଇଥାନ ନେଇ ସେ ମୋଦିଙ୍କ ସହ ଆଲୋଚନା କରିଥିବା ନେଇ ଚର୍ଚ୍ଚା ହେଉଛି । ୟେଦ୍ଦୁଙ୍କର ଏହି ସର୍ତ୍ତ ପୂରଣ ହେଲେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ବିଜେପିର ଆଦର୍ଶରେ ପୂର୍ବ ଭଳି ଦଳୀୟ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀଙ୍କ ସହିତ ପିଏମ-ସିଏମ ବୈଠକ ଭିସିରେ ଅଂଶଗ୍ରହଣ କରିବା ପରେ ଅପରାହ୍ନରେ ୟେଦ୍ଦୁ ନିଜ ପୁଅଙ୍କ ସହିତ ଦିଲ୍ଲୀରେ ମୋଦିଙ୍କ ସହ ୩୦ ମିନିଟ୍ କାଳ ଆଲୋଚନା କରିଥିଲେ । ୟେଦ୍ଦୁ ମୋଦିଙ୍କୁ ଭେଟିବା ପରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ବର୍ତ୍ତମାନ ସମଗ୍ର ଭାରତ ବର୍ଷରେ ଭବିଷ୍ୟତର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ପାଣିପାଗ ଘଡ଼ିକେ ଘୋଡ଼ା ଛୁଟୁଛି । ୟେଦ୍ଦୁ ଇସ୍ତଫା ଦେବେ ନା ନିଜ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାରେ ସକ୍ଷମ ହେବେ, ଏହାର ନିଷ୍କର୍ସ ଆଉ କିଛିଦିନ ପରେ ଜଣାପଡ଼ିବ ।

Get real time updates directly on you device, subscribe now.