fbpx

ଟ୍ୱିଟର୍‌ ଇଣ୍ଡିଆ ମୁଖ୍ୟଙ୍କୁ ମିଳିଲା ଆଶ୍ୱସ୍ତି, ୟୁପି ପୁଲିସର ନୋଟିସକୁ ରଦ୍ଦ କଲେ କର୍ଣ୍ଣାଟକ ହାଇକୋର୍ଟ

ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆର ମୁଖ୍ୟ ମନୀଷ ମାହେଶ୍ୱରୀଙ୍କୁ କର୍ଣ୍ଣାଟକା ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ସିଆରପିସିର ଧାରା ୪୧ଏ ଅନୁଯାୟୀ ଉତ୍ତର ପ୍ରଦେଶ ପୋଲିସ୍‌ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କରିଥିବା ନୋଟିସ୍‌କୁ ଶୁକ୍ରବାର କୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ ମନୀଷଙ୍କୁ ଉତ୍ତର ପ୍ରଦେଶ ଯିବାର କୌଣସି ଆବଶ୍ୟକ ନାହିଁ ବୋଲି କହିଛନ୍ତି । ତେବେ ପୋଲିସ୍‌ ଚାହିଁଲେ ଭିଡିଓ କନଫରେନ୍ସିଂ କିମ୍ବା କର୍ଣ୍ଣାଟକାରେ ଥିବା ତାଙ୍କ ଘରକୁ ଆସି ପୂରା ମାମଲାରେ ବୟାନ ରେକର୍ଡ କରିପାରିବ ବୋଲି କହିଛନ୍ତି । ମନୀଷ ପୋଲିସକୁ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କର୍ଣ୍ଣାଟକା ହାଇକୋର୍ଟ କହିଛନ୍ତି ଯେ ୟୁି ପୋଲିସ୍‌ ଟ୍ୱିଟର ଇଣ୍ଡିଆର ମୁଖ୍ୟଙ୍କୁ ଯେଉଁଭଳି ଭାବେ ନୋଟିସ୍‌ ପଠାଇଛି, ତାହା ସଂପୂର୍ଣ୍ଣ ଭାବେ ଦୁର୍ଭାଗ୍ୟଜନକ। ଗାଜିଆବାଦରେ ଜଣେ ମୁସଲିମ ବୃଦ୍ଧଙ୍କୁ ମାଡ଼ ମରାଯିବାର ଭିଡିଓ ଟ୍ୱିଟରରେ ଭାଇରାଲ ହୋଇଥିଲା । ଏହି ଭିଡିଓକୁ ଉତ୍ତର ପ୍ରଦେଶର ଲୋନି ପୋଲିସ୍‌ ଫେକ୍‌ ବୋଲି କହିଥିଲା ।ଏଥିସହ ଏହାକୁ ଭାଇରାଲ କରିଥିବା ଟ୍ୱିଟର ସହ ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ ମାମଲା କରିଥିଲା । ଦୁଇ ସଂପ୍ରଦାୟ ମଧ୍ୟରେ ହିଂସା ସୃଷ୍ଟି କରିବା ପାଇଁ ଟ୍ୱିଟର ଏହାକୁ ଭାଇରାଲ କରିଥିଲା ବୋଲି ପୋଲିସ୍‌ ବୟାନ ଦେବା ସହ ସଂସ୍ଥାର ଇଣ୍ଡିଆ ମୁଖ୍ୟ ମନୀଷଙ୍କୁ ଲୋନି ଥାନାରେ ହାଜର ହୋଇ ବୟାନ ରେକର୍ଡ କରାଇବାକୁ ନୋଟିସ କରିଥିଲେ । ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମନୀଷ ତାଙ୍କ ପକ୍ଷ ରଖିବାକୁ ପୋଲିସ୍‌କୁ ଅନୁରୋଧ କରିଥିଲେ । ହେଲେ ପୋଲିସ୍‌ ମନୀଷଙ୍କ ଅନୁରୋଧ ରକ୍ଷା କରିନଥିଲା । ତେଣୁ ମନୀଷ ଏହା ବିରୋଧରେ କଣ୍ଣାଟକା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

Get real time updates directly on you device, subscribe now.