ବ୍ରିଟେନ୍‌ ରାଜନୀତିରେ ବଡ଼ ହଲଚଲ, PM ପଦ ଛାଡ଼ିବାର ୭୧ ଦିନ ପରେ ସାଂସଦ ପଦ ବି ଛାଡ଼ିଲେ କିର୍ ଷ୍ଟାର୍ମର

ବ୍ରିଟେନ୍‌ର ପୂର୍ବତନ PM ଷ୍ଟାର୍ମରଙ୍କ ବଡ଼ ନିଷ୍ପତ୍ତି, ଏବେ ସାଂସଦ ପଦରୁ ବି ଇସ୍ତଫା। ଜାଣନ୍ତୁ ଆଗାମୀ ପ୍ଲାନ୍ କ'ଣ?

ନୂଆଦିଲ୍ଲୀ: ପ୍ରଥମେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଲେ ଆଉ ଏବେ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଲେ। ୭୧ ଦିନ ଭିତରେ ଦୁଇ ଦୁଇଟି ଦାୟିତ୍ୱରୁ ମୁକ୍ତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର।

ହଁ ଆଜ୍ଞା ବ୍ରିଟେନ୍ ରାଜନୀତିରେ ପୁଣି ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପୂର୍ବତନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାର ମାତ୍ର ୭୧ ଦିନ ପରେ ଏବେ ସାଂସଦ ପଦ ମଧ୍ୟ ଛାଡ଼ିବାକୁ ଘୋଷଣା କରିଛନ୍ତି। ତାଙ୍କ ଏହି ନିଷ୍ପତ୍ତି ବ୍ରିଟେନ୍‌ର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ଷ୍ଟାର୍ମର କହିଛନ୍ତି ଯେ, ଏବେ ସେ ଆନ୍ତର୍ଜାତୀୟ ପ୍ରସଙ୍ଗ ସହିତ ମହିଳା ଓ ଝିଅମାନଙ୍କ ବିରୋଧରେ ହେଉଥିବା ହିଂସା ରୋକିବା ଭଳି ଗୁରୁତ୍ୱପୂର୍ଣ୍ଣ ମୁଦ୍ଦା ଉପରେ କାମ କରିବାକୁ ଚାହୁଁଛନ୍ତି। ସାଂସଦ ପଦରୁ ତାଙ୍କ ଇସ୍ତଫା ପରେ ଲଣ୍ଡନର ହୋଲବର୍ଣ୍ଣ ଆଣ୍ଡ ସେଣ୍ଟ ପାନକ୍ରାସ୍ ଆସନରେ ଉପନିର୍ବାଚନ ହେବ।

ଷ୍ଟାର୍ମର ୨୦୧୫ ମସିହାରୁ ଏହି ଆସନର ପ୍ରତିନିଧିତ୍ୱ କରିଆସୁଥିଲେ। ଦୀର୍ଘ ସମୟ ଧରି ଏହି ଆସନକୁ ଲେବର ପାର୍ଟିର ମଜବୁତ ଗଡ଼ ବୋଲି ଧରାଯାଏ। ୨୦୨୪ ସାଧାରଣ ନିର୍ବାଚନରେ ଷ୍ଟାର୍ମର ଏଠାରୁ ୧୧ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।

ଆନ୍ତର୍ଜାତୀୟ ପ୍ରସଙ୍ଗରେ ରହିବ ଫୋକସ୍: ସ୍ଥାନୀୟ ଖବରକାଗଜ Camden New Journalକୁ ଷ୍ଟାର୍ମର କହିଛନ୍ତି ଯେ, ୧୧ ବର୍ଷ ଧରି ଏହି ଅଞ୍ଚଳର ପ୍ରତିନିଧିତ୍ୱ କରିବା ତାଙ୍କ ପାଇଁ ବଡ଼ ସମ୍ମାନ ଓ ଗର୍ବର ବିଷୟ ଥିଲା। ଏବେ ଏହି ଦାୟିତ୍ୱକୁ ନୂଆ ଉତ୍ତରାଧିକାରୀଙ୍କୁ ଦେବାର ସମୟ ଆସିଛି ବୋଲି ସେ କହିଛନ୍ତି।

ସାଂସଦ ପଦ ଛାଡ଼ିବା ପରେ ତାଙ୍କର ମୁଖ୍ୟ ଫୋକସ୍ ଡିଫେନ୍ସ, ସୁରକ୍ଷା, ବାଣିଜ୍ୟ ଓ ପ୍ରଯୁକ୍ତିବିଦ୍ୟା ସମେତ ବିଭିନ୍ନ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ରହିବ।

ଏଥିସହ ମହିଳା ଓ ଝିଅମାନଙ୍କ ବିରୋଧରେ ହିଂସା ରୋକିବା ଦିଗରେ ମଧ୍ୟ ସେ କାମ ଜାରି ରଖିବେ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ମଧ୍ୟ ସେ ଏହି ପ୍ରସଙ୍ଗରେ କାମ କରିଥିବା କହିଛନ୍ତି।

ଉପନିର୍ବାଚନକୁ ନେଇ ବଢ଼ିଲା ଚର୍ଚ୍ଚା: ଷ୍ଟାର୍ମରଙ୍କ ଘୋଷଣା ପରେ ହୋଲବର୍ଣ୍ଣ ଆଣ୍ଡ ସେଣ୍ଟ ପାନକ୍ରାସ୍ ଆସନରେ ଉପନିର୍ବାଚନକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ସେ ହାଉସ୍ ଅଫ୍ କମନ୍ସରୁ ଔପଚାରିକ ଭାବେ ଇସ୍ତଫା ଦେବା ପରେ ହିଁ ଉପନିର୍ବାଚନର ତାରିଖ ନିର୍ଦ୍ଧାରଣ ହେବ।

ଷ୍ଟାର୍ମରଙ୍କ ଏହି ନିଷ୍ପତ୍ତିକୁ କଞ୍ଜରଭେଟିଭ୍ ପାର୍ଟି ସମାଲୋଚନା କରିଛି। ଦଳର ଅଧ୍ୟକ୍ଷ କେଭିନ୍ ହଲିନ୍‌ରେକ୍ସ ଏହାକୁ ଷ୍ଟାର୍ମରଙ୍କ ଆଉ ଏକ ‘ୟୁ-ଟର୍ଣ୍ଣ’ ବୋଲି କହିଛନ୍ତି। ତାଙ୍କ ଅଭିଯୋଗ ହେଉଛି, ଷ୍ଟାର୍ମର ସାଂସଦ ଭାବେ ରହିବେ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ତାଙ୍କ ନିଷ୍ପତ୍ତି ଯୋଗୁଁ ଟିକସଦାତାଙ୍କ ଉପରେ ଉପନିର୍ବାଚନର ଅତିରିକ୍ତ ଖର୍ଚ୍ଚ ପଡ଼ିବ ବୋଲି କଞ୍ଜରଭେଟିଭ୍ ପାର୍ଟି କହିଛି।

ଏହି ଆସନରେ ଲେବର ପାର୍ଟିକୁ ଗ୍ରୀନ୍ ପାର୍ଟିରୁ ଚ୍ୟାଲେଞ୍ଜ ମିଳିପାରେ। ସ୍ଥାନୀୟ ନିର୍ବାଚନରେ ଲେବର ପାର୍ଟି ପ୍ରାୟ ୩୯.୫ ପ୍ରତିଶତ ଭୋଟ ପାଇଥିବା ବେଳେ ଗ୍ରୀନ୍ ପାର୍ଟି ପ୍ରାୟ ୨୯.୮ ପ୍ରତିଶତ ଭୋଟ ପାଇଥିଲା। ଗ୍ରୀନ୍ ପାର୍ଟି ନେତା ଜ୍ୟାକ୍ ପୋଲାନ୍ସକି ମଧ୍ୟ ଏହି ଉପନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଅନ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କଠାରୁ ଭିନ୍ନ ନିଷ୍ପତ୍ତି: ଷ୍ଟାର୍ମରଙ୍କ ନିଷ୍ପତ୍ତି ବ୍ରିଟେନ୍‌ର ନିକଟ ଅତୀତର ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କ ନିଷ୍ପତ୍ତିଠାରୁ ଭିନ୍ନ। ଋଷି ସୁନକ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାର ପ୍ରାୟ ଦୁଇ ବର୍ଷ ପରେ ମଧ୍ୟ ସାଂସଦ ଅଛନ୍ତି।

ଲିଜ୍ ଟ୍ରସ୍ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ସାଂସଦ ରହିଥିଲେ। ସେହିପରି ଥେରେସା ମେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାର ପ୍ରାୟ ୫ ବର୍ଷ ପରେ ପର୍ଯ୍ୟନ୍ତ ସାଂସଦ ଥିଲେ।

ଅନ୍ୟପକ୍ଷରେ ବୋରିସ୍ ଜନସନ୍ ଓ ଡେଭିଡ୍ କାମେରନ୍ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାର କିଛି ସମୟ ପରେ ହାଉସ୍ ଅଫ୍ କମନ୍ସରୁ ଇସ୍ତଫା ଦେଇଥିଲେ।

ତେଣୁ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାର ମାତ୍ର ୭୧ ଦିନ ପରେ ଷ୍ଟାର୍ମରଙ୍କ ସାଂସଦ ପଦ ଛାଡ଼ିବା ଘଟଣାକୁ ବ୍ରିଟେନ୍ ରାଜନୀତିରେ ଏକ ଅସାଧାରଣ ଓ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଦେଖାଯାଉଛି।