ଲୁହକୁ ଦୁର୍ବଳତା ଭାବୁଥିଲେ, ଯୋଗୀଙ୍କଠାରୁ ପାଇଲେ ପ୍ରେରଣା; ଏବେ ବାହାଘରକୁ କଲେ ନିମନ୍ତ୍ରଣ

ଅରୁନ୍ଧତୀଙ୍କ ପିଲାଦିନ ଅନ୍ୟମାନଙ୍କଠାରୁ ଟିକିଏ ଅଲଗା ଥିଲା। ଛୋଟ ଛୋଟ କଥାରେ ତାଙ୍କ ଆଖିରେ ଲୁହ ଆସି ଯାଉଥିଲା। ଯେଉଁଥିପାଇଁ ସେ ନିଜକୁ ଅନ୍ୟମାନଙ୍କଠାରୁ ଦୁର୍ବଳ ବୋଲି ଭାବୁଥିଲେ

ନୂଆଦିଲ୍ଲୀ: ଭାଇ ମୋ ବାହାଘରକୁ ଆସିବେ। ଆପଣଙ୍କୁ ମୋର ନିମନ୍ତ୍ରଣ ରହିଲା। ମୁଖ୍ୟମନ୍ତ୍ରୀଙ୍କ ପାଇଁ କେରଳ ଆସି ବିବାହରେ ଯୋଗଦେବା ସହଜ ହୋଇନପାରେ। ତେଣୁ ଶୁଭେଚ୍ଛା ଓ ଆଶୀର୍ବାଦ ପଠାଇବେ…। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏପରି ଭାବପ୍ରବଣ ଚିଠି ଲେଖିଛନ୍ତି କେରଳର ଜଣେ ଯୁବତୀ। ନାଁ ତାଙ୍କ ହେଉଛି ଅରୁନ୍ଧତୀ।

ଅରୁନ୍ଧତୀଙ୍କ ପିଲାଦିନ ଅନ୍ୟମାନଙ୍କଠାରୁ ଟିକିଏ ଅଲଗା ଥିଲା। ଛୋଟ ଛୋଟ କଥାରେ ତାଙ୍କ ଆଖିରେ ଲୁହ ଆସି ଯାଉଥିଲା। ଯେଉଁଥିପାଇଁ ସେ ନିଜକୁ ଅନ୍ୟମାନଙ୍କଠାରୁ ଦୁର୍ବଳ ବୋଲି ଭାବୁଥିଲେ। ସେତେବେଳେ ତାଙ୍କର କେତେକ ସାଙ୍ଗ କହିଥିଲେ ଶକ୍ତ ହେବାକୁ ହେଲେ ଭାବନାକୁ ନିୟନ୍ତ୍ରଣ କରିବା ଦରକାର। ଧୀରେ ଧୀରେ ଅରୁନ୍ଧତୀଙ୍କ ମନରେ ପ୍ରଶ୍ନ ଉଠିଲା, ସହଜରେ କାନ୍ଦି ପକାଇବା କ’ଣ ସତରେ ଦୁର୍ବଳତା? ନିଜ ମନର ଭାବନାକୁ ପ୍ରକାଶ କରିବା କ’ଣ ଭୁଲ୍‌?

ଠିକ ସେହି ସମୟରେ ଅରୁନ୍ଧତୀଙ୍କର ଜଣେ ସମ୍ପର୍କୀୟ ଭାଇ ତାଙ୍କୁ ଯୋଗୀ ଆଦିତ୍ୟନାଥଙ୍କର ଏକ ଭିଡିଓ ଦେଖାଇଥିଲେ। ଯେଉଁଥିରେ ଯୋଗୀ ଭାବପ୍ରବଣ ହୋଇପଡ଼ିଥିବା ଦେଖାଯାଇଥିଲା। ଏହାକୁ ଦେଖାଇ ତାଙ୍କ ଭାଇ ବୁଝାଇଥିଲେ, ଭାବପ୍ରବଣ ହେବାର ଅର୍ଥ ଦୁର୍ବଳ ହେବା ନୁହେଁ। ଜଣେ ବ୍ୟକ୍ତି ନିଜ ଭାବନାକୁ ପ୍ରକାଶ କରିବା ସହ ଦୃଢ଼ ମଧ୍ୟ ହୋଇପାରନ୍ତି।

ଭାଇଙ୍କ ସେହି କଥା ଅରୁନ୍ଧତୀଙ୍କ ମନକୁ ଛୁଇଁଥିଲା। ସେ ପ୍ରଥମ ଥର ପାଇଁ ଅନୁଭବ କରିଥିଲେ, ଆଖିର ଲୁହ ଦୁର୍ବଳତାର ପରିଚୟ ନୁହେଁ। ନିଜ ଭାବନାକୁ ଲୁଚାଇ ରଖିବା ନୁହେଁ, ବରଂ ନିଜକୁ ବୁଝିବା, କଷ୍ଟକର ପରିସ୍ଥିତିରେ ନିଜ ଉପରେ ବିଶ୍ୱାସ ରଖିବା। ଝୁଣ୍ଟି ପଡ଼ିଗଲେ ପୁଣି ଉଠି ଆଗକୁ ବଢ଼ିବା ହିଁ ପ୍ରକୃତ ଶକ୍ତି ବୋଲି ଅରୁନ୍ଧତୀ ବୁଝିଥିଲେ।

ସେହି ଦିନଠାରୁ ଯୋଗୀ ଆଦିତ୍ୟନାଥ, ଅରୁନ୍ଧତୀଙ୍କ ପାଇଁ କେବଳ ଜଣେ ରାଜନେତା ହୋଇ ରହିନାହାନ୍ତି। ତାଙ୍କ ଜୀବନଯାତ୍ରାରୁ ପ୍ରେରଣା ନେଉଥିବା ଅରୁନ୍ଧତୀ ତାଙ୍କୁ ଜଣେ ବଡ଼ ଭାଇ ଭଳି ଦେଖନ୍ତି। ଯେତେବେଳେ ନିଜ ଉପରୁ ବିଶ୍ୱାସ କମିଯାଏ, ସେତେବେଳେ ଯୋଗୀଙ୍କ ଜୀବନଯାତ୍ରା ତାଙ୍କୁ ପୁଣି ଆଗକୁ ବଢ଼ିବାକୁ ପ୍ରେରଣା ଦିଏ।

ପାଠ ପଢ଼ା ଶେଷ ପରେ ଅରୁନ୍ଧତୀଙ୍କ ଜୀବନରେ ଯୋଡ଼ି ହେବାକୁ ଯାଉଛି ନୂଆ ଅଧ୍ୟାୟ। ଡିସେମ୍ବର ୨୦ ତାରିଖରେ ଜୀବନର ନୂଆ ଇନିଂସ୍ ଆରମ୍ଭ କରିବାକୁ ଯାଉଛନ୍ତି। କେରଳର ଆଲୁଭାସ୍ଥିତ ଗ୍ରୀନ୍ ପାର୍କ କନଭେନସନ୍ ସେଣ୍ଟରରେ ରାହୁଲଙ୍କ ଜୀବନ ସାଥୀ ହେବାକୁ ଯାଉଛନ୍ତି ଅରୁନ୍ଧତୀ। ଏହି ଖାସ୍ ଦିନରେ ନିଜ ପ୍ରେରଣାର ଉତ୍ସ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରୁହନ୍ତୁ ବୋଲି ଚାହୁଁଛନ୍ତି ଅରୁନ୍ଧତୀ। ସେଥିପାଇଁ ସେ ଯୋଗୀଙ୍କ ନିକଟକୁ ଦୁଇ ପୃଷ୍ଠାର ଏକ ହାତଲେଖା ଚିଠି ପଠାଇଛନ୍ତି।

ଚିଠିରେ ସେ ଲେଖିଛନ୍ତି, ମୋ ପାଇଁ ଆପଣ ଜଣେ ନେତାଙ୍କଠାରୁ ବହୁତ ଅଧିକ। ମୁଁ ଆପଣଙ୍କୁ ସବୁବେଳେ ଜଣେ ବଡ଼ ଭାଇ ଭାବେ ଦେଖିଛି। ଆପଣଙ୍କ ଜୀବନଯାତ୍ରା ମୋତେ ସାହସ ଓ ପ୍ରେରଣା ଦେଇଛି। ମୁଖ୍ୟମନ୍ତ୍ରୀ ଭାବେ କେରଳ ଆସି ବିବାହରେ ଯୋଗଦେବା ସହଜ ନହୋଇପାରେ ବୋଲି ଅରୁନ୍ଧତୀ ବୁଝିଛନ୍ତି। ତେଣୁ ବ୍ୟକ୍ତିଗତ ଭାବେ ନଆସିପାରିବେ, ତାଙ୍କର ଶୁଭେଚ୍ଛା ଓ ଆଶୀର୍ବାଦ ମୋ ପାଇଁ ଅମୂଲ୍ୟ ହେବ ବୋଲି ସେ ଚିଠିରେ ଜଣାଇଛନ୍ତି।

ଅରୁନ୍ଧତୀଙ୍କ ଏହି ନିମନ୍ତ୍ରଣ କେବଳ ଏକ ବିବାହ କାର୍ଡ କିମ୍ବା ଔପଚାରିକ ଚିଠି ନୁହେଁ। ଏହା ଜଣେ ମଣିଷଙ୍କଠାରୁ ମିଳିଥିବା ପ୍ରେରଣା ପ୍ରତି କୃତଜ୍ଞତାର ଅଭିବ୍ୟକ୍ତି। ପିଲାଦିନେ ଯେଉଁ ଲୁହକୁ ସେ ନିଜର ଦୁର୍ବଳତା ବୋଲି ଭାବୁଥିଲେ, ଆଜି ସେହି ଭାବନାକୁ ନେଇ ତାଙ୍କର ଦୃଷ୍ଟିକୋଣ ବଦଳି ଯାଇଛି। ଏବେ ଜୀବନର ନୂଆ ଯାତ୍ରା ଆରମ୍ଭ ବେଳେ ସେହି ବ୍ୟକ୍ତିଙ୍କ ଆଶୀର୍ବାଦ ଚାହୁଁଛନ୍ତି। ଯାହାଙ୍କ ଏକ ଭିଡିଓ ତାଙ୍କୁ ନିଜ ଉପରେ ଆତ୍ମ ବିଶ୍ୱାସ ବଢ଼ାଇବାର ଶିକ୍ଷା ଦେଇଥିଲା।