ସମାରୋହରେ ଯୋଗଦେବେ ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀ
ଭିଡି ସତୀଶନଙ୍କ କହିବା ଅନୁସାରେ ଦଳର ସୁପ୍ରିମୋଙ୍କ ଅନୁମତି ପରେ ମନ୍ତ୍ରୀଙ୍କ ତାଲିକା ରାଜ୍ୟପାଳଙ୍କ ପାଖକୁ ପଠା ଯାଇଛି।
କେରଳମ: କେରଳମରେ ନୂଆ ସରକାର ଗଠନ ପାଇଁ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହେଲା। ସୋମବାର ସକାଳ ୧୦ଟା ବେଳେ ଖୁମ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭିଡି ସତୀଶନ। ଏଥିସହ ମୋଟ୍ ୨୦ ଜଣ ମନ୍ତ୍ରୀ ଶପଥ ନେବେ ବୋଲି ୟୁଡିଏଫ୍ ନେତା ଭିଡି ସତୀଶନ ଆଜି ଘୋଷଣ କରିଛନ୍ତି। ପୂର୍ବରୁ ମନ୍ତ୍ରୀଙ୍କ ତାଲିକା ରାଜ୍ୟପାଳଙ୍କ ପାଖକୁ ପଠାଇ ଦିଆଯାଇଛି ବୋଲି ସତୀଶନ କହିଛନ୍ତି।
ଭିଡି ସତୀଶନଙ୍କ କହିବା ଅନୁସାରେ ଦଳର ସୁପ୍ରିମୋଙ୍କ ଅନୁମତି ପରେ ମନ୍ତ୍ରୀଙ୍କ ତାଲିକା ରାଜ୍ୟପାଳଙ୍କ ପାଖକୁ ପଠା ଯାଇଛି। ତେବେ ମନ୍ତ୍ରିମଣ୍ଡରେ ବିଭାଗକୁ ନେଇ ସମସ୍ତଙ୍କୁ ଖୁସି କରିବା ଏତେ ସହଜ ନୁହେଁ। ସରକାର ଗଠନ ପାଇଁ ଖାଲି ରାଜନୀତି ନୁହେଁ, ସମାଜର ଅଲଗା ଅଲଗା ବର୍ଗଙ୍କୁ ସାମିଲ କରିବାକୁ ପଡ଼ିବ। ୟୁଡିଏଫ୍ ସରକାରରେ ବେଶୀ ମନ୍ତ୍ରୀ ପଦବୀ କଂଗ୍ରେସକୁ ମିଳିବ ବୋଲି ଭିଡ଼ି ସତୀଶନ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସରୁ ଭି.ଡି. ସତୀଶନ ପଦ ଓ ଗୋପନୀୟତାର ଶପଥ ନେବେ। ଆଉ ମନ୍ତ୍ରୀ ଭାବେ କଂଗ୍ରେସରୁ ରମେଶ ଚେନ୍ନିଥଲା, କେ. ମୂରଲୀଧରନ, ସନି ଜୋସେଫ୍, ବିନ୍ଦୁ କୃଷ୍ଣା, ଏପି ଅନିଲ କୁମାର, ପିସି ବିଷ୍ଣୁନାଥ, ଏମ ଲିଜୁ, ରୋଜି ଏମ ଜନ୍, ଟି. ସିଦ୍ଦିକ, ଓ.ଜେ. ଜନିଶ ଓ କେ.ଏ. ତୁଲସୀଙ୍କୁ ସ୍ଥାନ ମିଳିଛି।
ସେହିପରି ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍(ଆଇୟୁଏମ୍ଏଲ୍)ରୁ ପି.କେ. କୁହ୍ନାଲିକୁଟ୍ଟି, ପି.କେ. ବଶୀର, ଏନ୍. ଶାମସୁଦ୍ଦିନ, କେ.ଏମ୍. ସାଜି ଏବଂ ଭି.ଇ. ଅବଦୁଲ ଗଫୁର ମନ୍ତ୍ରୀ ହେବେ। ଏହା ବ୍ୟତୀତ କେରଳ କଂଗ୍ରେସରୁ ମନ୍ସ ଜୋସେଫ୍, ଆର୍ଏସ୍ପିରୁ ସିବୁ ବେବି ଜନ୍, କେରଳ କଂଗ୍ରେସରୁ ଅନୁପ ଜାକବ ଓ ସିଏମ୍ପିରୁ ସି.ପି. ଜନ୍ଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ।
ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀ ସାମିଲ ହେବେ। ୱାୟାନାଡ ସାଂସଦ ତଥା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଆସିବାର ସମ୍ଭାବନା ରହିଛି। ତେବେ ସୋନିଆ ଗାନ୍ଧୀଙ୍କ ସାମିଲ ହେବା ନେଇ ଏପର୍ୟ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇନାହିଁ।
ଦଳୀୟ ସୂତ୍ର ଅନୁସାରେ, କଂଗ୍ରେସ ଶାସିତ ରାଜ୍ୟ କର୍ଣ୍ଣାଟକ, ତେଲେଙ୍ଗାନା ଓ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ସମାରୋହରେ ଉପସ୍ଥିତ ରହିବେ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି। କିନ୍ତୁ ତାଙ୍କ ପକ୍ଷରୁ ଏପର୍ୟ୍ୟନ୍ତ ନିଶ୍ଚିତ କରାଯାଇ ନାହିଁ। ନୂଆ ସରକାରଙ୍କ ଶପଥ ଗ୍ରହଣ ସୋମବାର ସକାଳ ୧୦ଟାରେ ତିରୁବନନ୍ତପୁରମର ସେଣ୍ଟ୍ରାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ୧୪୦ଟି ଆସନରୁ ୧୦୨ଟି ଆସନ ଜିତି ବଡ଼ ବିଜୟ ହାସଲ କରିଛି। ଏବେ ସମସ୍ତଙ୍କ ନଜର ସୋମବାର ସକାଳ ୧୦ଟାରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ଉପରେ ରହିଛି।


