ରହସ୍ୟମୟ ଅସମାହିତ ଉତ୍ତରାଖଣ୍ଡର, ପର୍ବତ ଶିଖରରେ ପରୀ ରାଇଜ, ପ୍ରତି ରାତିରେ ସ୍ୱର୍ଗରୁ ଓହ୍ଲାଇ ଆସନ୍ତି ଅଲୌକିକ ଶକ୍ତି, ଘଟାନ୍ତି ଦିବ୍ୟ ଚମତ୍କାର
ଏଠାରେ ଅଛି ପରୀ ରାଇଜ, ଘଟେ ଅଲୌକିକ ଘଟଣା, ବୈଜ୍ଞାନିକ ବ ଚକିତ...
Paranormal Wind: ପରୀ ରାଇଜକୁ ନେଇ ଅନେକ ଲୋକକଥା ରହିଛି । ପରୀମାନେ କିଭଳି ଅତି ସୁନ୍ଦର, ସେମାନେ କେମିତି ପୃଥିବୀ ପୃଷ୍ଠରେ ସନ୍ତୁଷ୍ଟ ହେଉଥିବା ଲୋକଙ୍କର ସବୁକିଛି ଭଲ କରିଥାନ୍ତି, ସେ କଥା ଆଈ ମା’ କାହାଣୀରେ ଭରି ରହିଛି । ପରୀ ରାଇଜ ମନରେ ଏକ ସୁନ୍ଦର ଦୁନିଆଁର ଧାରଣା ଦେଇଥାଏ । ହେଲେ ଆମ ଦେଶରେ ଏମିତି ଏକ ସ୍ଥାନ ଅଛି, ଯେଉଁଠାକୁ ପରୀମାନେ ସ୍ୱର୍ଗରୁ ଓହ୍ଲାଇ ଆସନ୍ତି, ମଉଜ କରନ୍ତି ଏବଂ ପୁଣି ସେମାନଙ୍କ ଦୁନିଆକୁ ଫେରିଯାଆନ୍ତି ।
ପରୀ ରାଇଜ: ଏମିତି ଏକ ସ୍ଥାନ ରହିଛି ଉତ୍ତରାଖଣ୍ଡରେ । ଉତ୍ତରାଖଣ୍ଡର ଗଡୱାଲ ଜିଲାରେ ରହିଛି ଖୈଟ ପର୍ବତ । ଏହି ପର୍ବତକୁ ପରୀ ମାନଙ୍କର ପର୍ବତ ବୋଲି କୁହାଯାଏ । ଦୁନିଆଁର ସବୁଠାରୁ ରହସ୍ୟମୟ ପର୍ବତ କୁହାଯାଉଥିବା ଏହି ଖୈଟ ପର୍ବତ ଶିଖରରେ ରାତି ହେବାମାତ୍ରେ ପରୀମାନଙ୍କର ଉପସ୍ଥିତି ଦେଖିବାକୁ ମିଳେ । ପର୍ବତର ପାଦଦେଶରେ ଥିବା ଗ୍ରାମବାସୀଙ୍କର ଦାବି ଯେ, ସେହି ପର୍ବତ ଶିଖରକୁ ପ୍ରତ୍ୟେକ ରାତିରେ ପରୀମାନେ ଆସନ୍ତି ।
କିଛି ଲୋକ ତ ଏକଥା ବି କହିଛନ୍ତି, ସେମାନେ ନିଜେ ପରୀମାନଙ୍କୁ ଦେଖିଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସରକାର ବି ମାନୁଛନ୍ତି ଯେ ଖୈଟ ପର୍ବତ ପରୀମାନଙ୍କର ପର୍ବତ । ସେଠାକୁ ପରୀମାନେ ଆସନ୍ତି । ଏହାର ସତ୍ୟତା ସମ୍ପର୍କରେ ପାରାନର୍ମାଲ ସୋସାଇଟି ଅଫ ଇଣ୍ଡିଆର ଏକ ବିଶେଷଜ୍ଞ ଦଳ ସେଠାକୁ ଯାଇଥିଲେ । ଉକ୍ତ ଦଳରେ ସାମିଲ ଥିବା ସଦସ୍ୟମାନଙ୍କ ସହିତ ଏଭଳି କିଛି ଅଜବ ଘଟଣା ଘଟିଥିଲା, ଯାହାର ଉତ୍ତର ସେହି ସଦସ୍ୟମାନଙ୍କ ପାଖରେ ନଥିଲା ।
ଖୈଟ ପର୍ବତ: ଖୈଟ ପର୍ବତ ହେଉଛି ଉତ୍ତରାଖଣ୍ଡର ଅନ୍ୟତମ ଉଚ୍ଚ ପର୍ବତ । ଏହି ପର୍ବତ ଶିଖରରେ ରହିଛି ଏକ ଦେବୀ ମନ୍ଦିର । ସେଠାରେ ଦୁର୍ଗା ମାତା ପୂଜା ପାଉଛନ୍ତି । ସେହି ପାହାଡରେ କେହି ଜନମାନବ ବାସ କରନ୍ତି ନାହିଁ । ତେବେ ପାଦଦେଶରେ ଥିବା ଗ୍ରାମଗୁଡିକର ଜନସାଧାରଣଙ୍କ କହିବା କଥା ଯେ, ପ୍ରତି ରାତିରେ ସେଠାକୁ ପରୀମାନେ ଆସି ଦୁର୍ଗା ମାତାଙ୍କର ପୂଜାର୍ଚ୍ଚନା କରିଥାନ୍ତି । ଯଦି କେବେ କୌଣସି ମଣିଷ ଏହା ଦେଖିଦିଏ ତେବେ କିଛି ନା କିଛି ରହସ୍ୟମୟ ଘଟଣା ଘଟିଥାଏ ।
ଉକ୍ତ ସ୍ଥାନରେ ପହଞ୍ଚିବା କଷ୍ଟସାଧ୍ୟ ହୋଇଥିବାବେଳେ ସ୍ଥାନୀୟ ଅଧିବାସୀ ସେମାନଙ୍କ ପିଲାମାନଙ୍କୁ କେବେହେଲେ ସେଠାକୁ ଛାଡନ୍ତି ନାହିଁ । ସେଠାରେ ସମସ୍ତ ପ୍ରକାର ସଂଗୀତ କାର୍ଯ୍ୟକ୍ରମକୁ ମଧ୍ୟ ନିଷେଧ କରାଯାଇଛି । ଲୋକଙ୍କର କହିବା କଥା ଯେ, କୌଣସି ବ୍ୟକ୍ତି ଯଦି ଲାଲ କିମ୍ବା ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତି ତେବେ ପରୀମାନେ ତାଙ୍କୁ ବଶ କରିନିଅନ୍ତି । ଏ ସମ୍ପର୍କରେ ପାରାନର୍ମାଲ ସୋସାଇଟିର ସଦସ୍ୟମାନେ ଅନୁଧ୍ୟାନ କରିବା ସମୟରେ ସେମାନେ ମଧ୍ୟ ଏମିତି କିଛି ଘଟଣାକୁ ନେଇ ଚକିତ ହୋଇଯାଇଥିଲେ ।
ଅଲୌକିକ ଘଟଣା: ସେମାନଙ୍କ ସମ୍ମୁଖରେ ଯାହା ଘଟିଲା, ତାହା ସେମାନଙ୍କୁ ବିଶ୍ୱାସ କରିବାକୁ ବାଧ୍ୟ କରିଥିଲା । ଏହି ଦଳର କ୍ୟାମେରାରେ କିଛି ଚିତ୍ର ଉତ୍ତୋଳିତ ହୋଇଥିଲା, ଯାହା ଆଶ୍ଚର୍ଯ୍ୟଜନକ ଥିଲା । ପରୀଙ୍କ ଭଳି ଝାପ୍ସା ଦେଖାଯାଉଥିବା କିଛି ଚରିତ୍ର ମୁହୂର୍ତ୍ତକ ପାଇଁ ଦେଖାଦେଇ କେଉଁଆଡେ ଉଭେଇଗଲେ । ତାହାସହିତ ପାରାନର୍ମାଲ ଦଳର ସଦସ୍ୟ ତାଙ୍କ ଆଖି ସାମ୍ନାରେ ଜଣକୁ ତରବର ହୋଇ ଚାଲିଯାଉଥିବା ଦେଖିବାକୁ ପାଇଥିଲେ, ଯାହାଙ୍କର ଫଟୋ ଉଠାଇବା ସମ୍ଭବ ନଥିଲା ।
ଜଣାଯାଇଛି ଯେ, ଖୈଟ ପର୍ବତ ପାଦଦେଶରେ ବାସ କରୁଥିବା ଲୋକମାନେ ଚାଷବାସ କରି ଜୀବିକା ନିର୍ବାହ କରନ୍ତି । ସେମାନେ ନିଜ ଜମିରେ ଧାନ ଚାଷ କରୁଥିବାବେଳେ ଖଣ୍ଡିଏ ଲେଖାଏଁ ଜମିର ଫସଲକୁ କାଟିନଥାନ୍ତି । ତାହା ଦେବୀ ମା’ଙ୍କ ଉଦ୍ଦେଶ୍ୟରେ ଛାଡି ଦିଆଯାଏ । ତେବେ ସେହି ଜମିରେ ହେଉଥିବା ଧାନ ପର୍ବତ ଶିଖରରେ ଥିବା ଦେବୀ ମା’ଙ୍କ ନିକଟରେ କେହି ପହଞ୍ଚାଇ ଉକ୍ତ ଧାନରୁ ଚୋପା ଛଡାଇ ଚାଉଳକୁ ଦେବୀ ମା’ଙ୍କୁ ଅର୍ପଣ କରିଥାନ୍ତି ।
ପର୍ବତ ଉପରକୁ ଯାଉଥିବା ଲୋକେ ସେଠାରେ ଧାନ ଚୋପା ଓ ମା’ଙ୍କ ଠାରେ ଲାଗି ହୋଇଥିବା ଚାଉଳ ମଧ୍ୟ ଦେଖିବାକୁ ପାଇଥାନ୍ତି । ଗ୍ରାମବାସୀଙ୍କର କହିବା କଥା ଯେ ପରୀମାନେ ଉକ୍ତ ଧାନକୁ ନେଇ ସେଥିରୁ ଚାଉଳ ବାହାର କରି ଦେବୀଙ୍କ ଠାରେ ଅର୍ପଣ କରିଥାନ୍ତି । ଇତିମଧ୍ୟରେ ସରକାରଙ୍କ ପକ୍ଷରୁ ପର୍ବତ ପାଦଦେଶରେ ଏକ ବୋର୍ଡ ଲଗାଯାଇ ସମୁଦାୟ ଅଞ୍ଚଳକୁ ପରୀଙ୍କ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି ।
