Child Eye Check-Up Guide: ଆଜିର ବ୍ୟସ୍ତବହୁଳ ସମୟରେ ପିଲାଙ୍କ ଆଖି ସମସ୍ୟା ଦେଖାଦେଉଛି। ୩ରୁ ୪ ବର୍ଷର ପିଲାମାନଙ୍କୁ ଚଷମା ପିନ୍ଧିବାକୁ ପଡ଼ୁଛି। ଯାହାଦ୍ୱାରା ପିଲାମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
କେତେକ କ୍ଷେତ୍ରରେ ବିନା ଚଷମାନେ ପିଲାମାନେ ଚଲାବୁଲା କରିପାରୁନଥିବା ଦେଖିବାକୁ ମିଳୁଛି। ଯେଉଁଥିପାଇଁ ତାଙ୍କ ପାଠ ପଢ଼ାରେ ବ୍ୟାଘାତ ଘଟୁଛି। ଏଥିପାଇଁ ପିତାମାତାଙ୍କୁ ମଧ୍ୟ କଷ୍ଟ ସହିବାକୁ ପଡ଼ୁଛି। ମୋବାଇଲ ଓ ଟିଭିର ଅତ୍ୟଧିକ ବ୍ୟବହାର ପ୍ରଭାବ ପିଲାଙ୍କ ଆଖି ଉପରେ ପଡ଼ୁଛି। ଇଏ ମଧ୍ୟ ଆଖି ଖରାପ ହେବାର ଅନ୍ୟତମ କାରଣ ହୋଇପାରେ। ତେବେ ଏଠି ପ୍ରଶ୍ନ ଉଠୁଛି କେଉଁ ବୟସରଙ୍କ ପିଲାଙ୍କ ଆଖି ପରୀକ୍ଷା କରିବା ଆବଶ୍ୟକ।
ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ତୁଷାର ଗୌରବଙ୍କ କହିବା ଅନୁସାରେ ଜନ୍ମ ସମୟରେ ନବଜାତ ଶିଶୁଙ୍କ ଆଖି ପରୀକ୍ଷା କରିବା କଥା। ଏହା ପରେ ଅର୍ଥାତ ପିଲାକୁ ଯେତେବେଳେ ୬ ମାସ ଓ ୧ ବର୍ଷ ହୋଇଯିବ, ସେତେବେଳେ ଆଉ ଥରେ ପରୀକ୍ଷା କରିବା ଦରକାର। ସେତେବେଳେ ପିଲା ଠିକ୍ ଭାବେ ଦେଖିପାରୁଛି ବା ଚିହ୍ନିପାରୁଛିକି ନାହିଁ ଡାକ୍ତର ଯାଞ୍ଚ କରିବା କଥା। ଯଦି ପିଲା ସେଥିରେ ଫେଲ ହେଉଛି, ତାହାହେଲେ ସମୟ ଥାଉଁଥାଉଁ ଚିକିତ୍ସା ଆବଶ୍ୟକ ବୋଲି ଡାକ୍ତର ଗୌରବ କହିଛନ୍ତି।
କେମିତି ଜାଣିବେ ପିଲା ଆଖି ସମସ୍ୟା ରହିଛି?
ସେ ଆହୁରି କହିଛନ୍ତି, ୩ରୁ ୫ ବର୍ଷର ପିଲାଙ୍କ ପାଇଁ ସମୟ ବହୁ ଗୁରୁତ୍ୱପୂର୍ଣ୍ଣ। କାରଣ ସେହି ସମୟରେ ସେମାନଙ୍କ ଦେଖିବା ଶକ୍ତିର ଶୀଘ୍ର ବିକଶିତ ହୋଇଥାଏ। ସେହି ସମୟରେ ଯଦି କୌଣସି ପିଲା ଆଖି ମଳୁଛି, ଟିଭି ପାଖରେ ବସୁଛି, ମୁଣ୍ଡ ବିନ୍ଧୁଛି ବୋଲି କହୁଛି, ତାହାହେଲେ ଜାଣିବେ ପିଲାର ଆଖି ସମସ୍ୟା ରହିଛି। ଏପରି ସମସ୍ୟା ଦେଖାଦେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।ଯଥାଶୀଘ୍ର ଚିକିତ୍ସା ସେବା ଯୋଗାଇବା ଆବଶ୍ୟକ। ତାହା ନହେଲେ ପିଲାମାନେ ସବୁଦିନ ପାଇଁ ଆଖି ହରାଇବାର ଡର ରହିଛି।
