fbpx

ନିଆରା ଇନିଂସ ଆରମ୍ଭ କରିବେ କୋହଲି , ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ସାଧାରଣ ଖେଳାଳି ଭାବେ ମଇଦାନକୁ ଓହ୍ଲାଇବେ

ନୂଆଦିଲ୍ଲୀ: ବର୍ତ୍ତମାନ ବିରାଟ କୋହଲି ସବୁ ବନ୍ଧନରୁ ମୁକ୍ତ । କାରଣ ତିନି ଫର୍ମାଟ ଅଧିନାୟକ ପଦରୁ ଦୂରେଇ ଯିବା ପରେ ତାଙ୍କ ମୁଣ୍ଡ ଉପରୁ ବଡ ଦାୟିତ୍ୱ ହଟି ଯାଇଛି । କାରଣ ଦଳର ବିଜୟ ପାଇଁ ପ୍ରଶଂସା ଶୁଣୁ ଥିବା ବେଳେ ପରାଜୟ ପାଇଁ ଉତ୍ତରଦାୟୀ ହେବାକୁ ପଡୁଥିଲା । ମାତ୍ର ବର୍ତ୍ତମାନ ସେହି ଚାପରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବା ପରେ ତାଙ୍କ ପାଇଁ ଆଉ ଏକ ବଡ ସୁଯୋଗ ଆସିଛି । କ୍ରିକେଟ ଜଗତର ଜଣେ ପ୍ରଖ୍ୟାତ ବ୍ୟାଟ୍ସମ୍ୟାନ ଭାବେ ସେ ଜଣାଶୁଣା । ମାତ୍ର ଗତ ଦୁଇ ବର୍ଷ ଧରି ତାଙ୍କ ବ୍ୟାଟରୁ ଆଉ ସେହି ଚମକ ଦେଖିବାକୁ ମିଳୁନି । ଏପରିକି ୨୦୧୯ ପରେ ସେ କୌଣସି ଫର୍ମାଟରେ ଶତକ ମଧ୍ୟ ଅର୍ଜନ କରି ପାରି ନାହାନ୍ତି । ଯେଉଁଥି ପାଇଁ ସେ ସମାଲୋଚିତ ହୋଇ  ଆସୁଛନ୍ତି । ବର୍ତ୍ତମାନ ସେ ସେ ଏଥିପ୍ରତି ବିଶେଷ ଧ୍ୟାନ ଦେବାର ବେଳ ଆସିଛି ।

ନିକଟରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତକୁ ବିଜୟୀ କରାଇବା ଦିଗରେ ବିଫଳ ହେବା ସହିତ ଶତକ ମରୁଡିକୁ ମଧ୍ୟ ଦୂରେଇ ପାରିଲେ ନାହିଁ । ଗୋଟିଏ ଇନିଂସରେ ଅର୍ଦ୍ଧଶତକ ହାସଲ କରିବା ବ୍ୟତିତ ଅବଶିଷ୍ଟ ପାଞ୍ଚ ଇନିଂସରେ ଅତି ନିମ୍ନମାନର ବ୍ୟାଟିଂ କରିବା ମଧ୍ୟ ବଡ ଚର୍ଚ୍ଚାର ବିଷୟ ହୋଇଥିଲା । ଏହି ଟେଷ୍ଟ ସିରିଜ ପୂର୍ବରୁ କୋହଲି କହିଥିଲେ ଯେ ଏଥର ଦକ୍ଷିଣ ଆଫ୍ରିକା ବିରୋଧରେ କିଛି ନୂଆ ଚମକ ଦେଖାଇବା ଲକ୍ଷ୍ୟ ରଖିଛୁ । ମାତ୍ର ଚମକ ଦେଖାଇବା ପରିବର୍ତ୍ତେ ସମ୍ପୂର୍ଣ୍ଣ ଫେଲ ମାରିବା ଯୋଗୁ ଭାରତ ପୁଣି ଥରେ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ବିଜୟୀ ହେବା ସ୍ୱପ୍ନ ପୂରଣ ହୋଇ ପାରିଲା ନାହିଁ ।

ତେଣୁ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ତାଙ୍କ ପାଇଁ ବଡ ଚାଲେଞ୍ଜ ଓ ଆହ୍ୱାନ । ଅଧିନାୟକ ରୋହିତ ଶର୍ମା ଆହତ ସମସ୍ୟା ଯୋଗୁ ଏହି ସିରିଜ ଖେଳିବା ସମ୍ଭବ ନ ହେବାରୁ ତାଙ୍କ ସ୍ଥାନରେ କେଏଲ ରାହୁଲ ଭାରତୀୟ ଦଳର ଅଧିନାୟକତ୍ୱ କରିବେ । ତେଣୁ ଦୀର୍ଘ ସାତ ବର୍ଷ ଧରି ଅଧିନାୟକ ଭୂମିକା ତୁଲାଇ ଆସୁଥିବା କୋହଲି ପ୍ରଥମ ଥର ପାଇଁ ଏହି ସିରିଜରେ ଜଣେ ସାଧାରଣ ଖେଳାଳି ଭାବେ ମଇଦାନକୁ ଓହ୍ଲାଇବେ । ତେବେ ତାଙ୍କର ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିବ । କାରଣ ଏହା ତାଙ୍କ ପାଇଁ ଏକ ନିଆରା ଇନିଂସ ଭାବେ ପରିଗଣିତ ହେବ । ତେବେ ଏହି ସିରିଜରେ ଅଧିନାୟକ ଦାୟିତ୍ୱ ବହନ କରୁଥିବା କେଏଲ ରାହୁଲ ସବୁ କ୍ଷେତ୍ରରେ କୋହଲିଙ୍କର ଟିପ୍ସ ନେଦାକୁ ମନସ୍ଥ କରିଛନ୍ତି । ତେଣୁ କୋହଲି ଭଲ ଖେଳିବା ସହିତ ରାହୁଲଙ୍କୁ ପୂର୍ଣ୍ଣ ସହଯୋଗ କରିବା ସବୁଠାରୁ ବଡ କଥା । ତେବେ ଅଧିନାୟକ ଚାପରୁ ମୁକ୍ତ ହୋଇ କୋହଲି କିପରି ବ୍ୟାଟିଂ କରିବେ ତାହା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଦିନିକିଆ ସିରିଜ ପାଇଁ ଏକାଧିକ ନୂଆ ଯୁବ ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ତେଣୁ ସେମାନଙ୍କୁ ସଠିକ ମାର୍ଗରେ ପରିଚାଳିତ କରିବା କୋହଲିଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଆସନ୍ତା ୨୦୨୩ରେ ପରବର୍ତ୍ତୀ ଦିନିକିଆ ବିଶ୍ୱକପ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ସିରିଜରେ ଭାରତର ଦକ୍ଷତା ମଧ୍ୟ ପ୍ରମାଣିତ ହେବ ।

Get real time updates directly on you device, subscribe now.