ପୁଣି କୋଟାରେ ଗଡ଼ିଲା ଛାତ୍ରୀଙ୍କ ମୁଣ୍ଡ, NEET ପାଇଁ ଆଉ କେତେ ଆଶାୟୀ ଦେବେ ଜୀବନ?

କୋଟାରେ ଜୀବନ ହାରିଲେ NEET ଆଶାୟୀ ଛାତ୍ରୀ, ଜାନୁଆରୀର ଅଷ୍ଟମ ଆତ୍ମହତ୍ୟା ଘଟଣା

କୋଟା: ଶିକ୍ଷାନଗରୀ କୋଟାରେ ଆଜି ପୁଣି ଜଣେ ଆଶାୟୀ ଛାତ୍ରୀଙ୍କ ମୁଣ୍ଡ ଗଡିଛି। ଯେଉଁ ସହରକୁ ହଜାର ହଜାର ଛାତ୍ର-ଛାତ୍ରୀ ଆଖିରେ ଅସୁମାରୀ ସ୍ୱପ୍ନ ନେଇ ଆସନ୍ତି, ସେହି ସହରର ଗୋଟିଏ ଘରୁ ବୁଧବାର ସକାଳେ ପୁଣି ଏକ ନିରବ କରୁଣ ଚିତ୍କାର ଶୁଣାଯାଇଛି। ମଧ୍ୟପ୍ରଦେଶର ୨୦ ବର୍ଷୀୟା ନିଟ୍ (NEET) ଆଶାୟୀ ଛାତ୍ରୀ ଖୁସବୁ ପଟେଲ ନିଜ ଭଡ଼ା ଆପାର୍ଟମେଣ୍ଟର ସିଲିଂ ଫ୍ୟାନରେ ରସି ଲଗାଇ ଜୀବନ ହାରିଛନ୍ତି।

ଏହି ହୃଦୟବିଦାରକ ଘଟଣାଟି କୋଟାର କୁନ୍ହାଡି ଥାନା ଅନ୍ତର୍ଗତ ଲ୍ୟାଣ୍ଡମାର୍କ ସିଟିର ଏକ ଆପାର୍ଟମେଣ୍ଟରେ ଘଟିଛି। ମଙ୍ଗଳବାର ରାତି ପ୍ରାୟ ୯ଟାରେ ଖୁସବୁଙ୍କ ସାନ ଭଉଣୀ ଖୁସି, ଯିଏକି JEE ପରୀକ୍ଷା ପାଇଁ ସେଠାରେ କୋଚିଂ ନେଉଛନ୍ତି, ସେ ନିଜ କ୍ଲାସ ସାରି କ୍ଲାନ୍ତ ହୋଇ ଘରକୁ ଫେରିଥିଲେ। କିନ୍ତୁ ସେ ଦେଖିଲେ କବାଟ ଭିତରପଟୁ ବନ୍ଦ ଥିଲା।

ସେ ବାରମ୍ବାର କବାଟ ଠକ୍‌ଠକ୍‌ କରିଥିଲେ କିନ୍ତୁ କୌଣସି ଉତ୍ତର ମିଳିନଥିଲା, ଆସିଥିଲା କେବଳ ଏକ ନୀରବତା। ସେ ଆଉ ଅପେକ୍ଷା ନ କରିପାରି ସନ୍ଦେହ ବଢ଼ିବାରୁ ସୁରକ୍ଷା କର୍ମୀ, ପଡ଼ୋଶୀ ଏବଂ ଚାବି ନିର୍ମାତାଙ୍କୁ ଡାକି କବାଟ ଖୋଲିଥିଲେ। ଭିଅତରକୁ ଗଲାପରେ ଫ୍ୟାନରେ ଝୁଲୁଥିଲେ ଖୁସବୁଙ୍କ ଶରୀରକୁ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ।

ଖୁସବୁଙ୍କ ଅବସ୍ଥା ଦେଖି ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା, ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯଦିଓ ଘଟଣାସ୍ଥଳରୁ କୌଣସି ଆତ୍ମହତ୍ୟା ନୋଟ୍ ମିଳିନାହିଁ, ତଥାବି,ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଖୁସି ତାଙ୍କର ପୂର୍ବ NEET ପରୀକ୍ଷାରେ ୪୫୦ ମାର୍କ ପାଇବା ପରେ ଗୁରୁତର ମାନସିକ ଚାପ ଏବଂ ଅବସାଦରେ ପୀଡିତ ଥିଲେ। ଦ୍ୱିତୀୟ ଥର ପାଇଁ ପ୍ରସ୍ତୁତି କରିବା ସତ୍ତ୍ୱେ, ସେ ନିଜ ସହିତ ଲଢ଼େଇ ହାରିଯାଇଥିଲେ।

ତେବେ,କୋଟା ହଷ୍ଟେଲ ଆସୋସିଏସନର କଡ଼ା ନିର୍ଦ୍ଦେଶାବଳୀ ସତ୍ତ୍ୱେ ଏହି ଆପାର୍ଟମେଣ୍ଟର ଫ୍ୟାନରେ ‘ଆଣ୍ଟି-ହ୍ୟାଙ୍ଗିଂ ଡିଭାଇସ୍’ ଲଗାଯାଇନଥିଲା। ଯଦି ସେହି ଛୋଟ ଯନ୍ତ୍ରଟି ଥାଆନ୍ତା, ହୁଏତ ଆଜି ଜଣେ ବାପା-ମାଆଙ୍କ କୋଳ ଶୂନ୍ୟ ହୋଇନଥାନ୍ତା।

ଚଳିତ ବର୍ଷ ଜାନୁଆରୀରୁ ଏପର୍ଯ୍ୟନ୍ତ କୋଟାରେ ଏହା ୮ମ ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟା। ଖୁସବୁଙ୍କ ଅଜା ଦେଶରାଜ ପଟେଲଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। କିନ୍ତୁ ଏହି ଘଟଣା ଏବେ ପୁଣି ଭାରତର କୋଚିଂ ରାଜଧାନୀରେ ବଢୁଥିବା ଶୈକ୍ଷିକ ଚାପକୁ ନେଇ ଚିନ୍ତା ସୃଷ୍ଟି କରିଛି।