କୋଟିଆ ବିବାଦକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ
କୋଟିଆରେ ଆନ୍ଧ୍ରପ୍ରଦେଶ ଦ୍ୱାରା ନିର୍ବାଚନ କରାଯିବା ଏବଂ ଉଭୟ ରାଜ୍ୟର ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ନବୀନ ପଟ୍ଟନାୟକ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।
ଭୁବନେଶ୍ୱର: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବଢ଼ୁଥିବା ବିବାଦ ଓ ଉତ୍ତେଜନା ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦ୍ୱିତୀୟ ଥର ପାଇଁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କୋଟିଆରେ ଉତ୍ତେଜନା ବଢ଼ୁଥିବା ଏବଂ ଉଭୟ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଥିବାରୁ ସେ ଚିନ୍ତା ପ୍ରକାଶ କରିଛନ୍ତି।
ନଭେମ୍ବର ୪ ତାରିଖରେ ଲେଖିଥିବା ଏହି ଚିଠିରେ (ନଂ-୩୫୩/LOP) ନବୀନ ଗତ ଅକ୍ଟୋବର ୧୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପ୍ରଥମ ଚିଠି ଏବଂ ଅକ୍ଟୋବର ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ଦେଇଥିବା ଉତ୍ତରର ପ୍ରସଙ୍ଗ ଉଠାଇଛନ୍ତି।
ବିଶେଷକରି, ଓଡ଼ିଶାର ସ୍ୱାର୍ଥ ଓ ଅଞ୍ଚଳ ଉପରେ ଏହାର ପ୍ରଭାବକୁ ଖାତିର ନକରି ଆନ୍ଧ୍ରପ୍ରଦେଶ ନଭେମ୍ବର ୫ ତାରିଖରେ କୋଟିଆରେ ସ୍ଥାନୀୟ ନିର୍ବାଚନ କରିବାକୁ ଯାଉଥିବାରୁ ନବୀନ ଉଦ୍ବେଗ ପ୍ରକାଶ କରିଛନ୍ତି।
ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ କେନ୍ଦ୍ର ସରକାର ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଉଚ୍ଚସ୍ତରରେ ଆଲୋଚନା କରିବାକୁ ସେ ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ଅନୁରୋଧ କରିଛନ୍ତି।
ନବୀନ ଚିଠିରେ ଦର୍ଶାଇଛନ୍ତି ଯେ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉଭୟ ରାଜ୍ୟରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ରହିଛି। ତେଣୁ ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ଓ ଅଞ୍ଚଳର ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ବିଜେପି ୨୦୨୪ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ପାଳନ କରିବା ଉଚିତ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କର ଓଡ଼ିଶାର ନ୍ୟାଯ୍ୟ ସ୍ୱାର୍ଥ ଓ ଅଧିକାରର ସୁରକ୍ଷା କରିବା ନୈତିକ ଦାୟିତ୍ୱ। ଏଥିସହିତ ତୃଣମୂଳ ସ୍ତରରେ ପରିସ୍ଥିତି ଯେପରି ଆହୁରି ଖରାପ ନହୁଏ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଦରକାର ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।
କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳର କୋଟିଆ କୁ ନେଇ ଦୀର୍ଘ ଦଶନ୍ଧି ଧରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗି ରହିଛି। ୧୯୩୬ ମସିହାରେ ଓଡ଼ିଶା ରାଜ୍ୟ ଗଠନ ହେବା ଦିନଠାରୁ ଏହି ଗାଁଗୁଡ଼ିକ ଓଡ଼ିଶାର ଅବିଚ୍ଛେଦ୍ୟ ଅଂଶ ବୋଲି ରାଜ୍ୟ ସରକାର ଦାବି କରିଆସୁଛନ୍ତି।
୨୦୦୬ ମସିହାରୁ କୋଟିଆ ବିବାଦକୁ ନେଇ ସୁପ୍ରିମକୋର୍ଟ ଯଥାସ୍ଥିତି ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସତ୍ତ୍ୱେ ନିକଟରେ ଆନ୍ଧ୍ରପ୍ରଦେଶ ସରକାର କୋଟିଆର କିଛି ବିବାଦୀୟ ଗାଁରେ ଏମ୍ପିଟିସି ଓ ଜେଡ୍ପିଟିସି ନିର୍ବାଚନ କରାଇବାକୁ ବିଜ୍ଞପ୍ତି ଜାରି କରିଛନ୍ତି। ଫଳରେ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ପୁଣିଥରେ ବିବାଦ ବଢ଼ିଛି।
ଏହାକୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ଦାଏର କରିଛନ୍ତି। ଗତ ନଭେମ୍ବର ୩ ତାରିଖରେ ସୀମାନ୍ତ ଅଞ୍ଚଳରେ ଉଭୟ ରାଜ୍ୟର ପୁଲିସ ମଧ୍ୟରେ ମୁହାଁମୁହିଁ ଏବଂ ବ୍ୟାରିକେଡ୍ ଲଗାଯିବା ଭଳି ଘଟଣା ସାମ୍ନାକୁ ଆସିଥିଲା।
ଆନ୍ଧ୍ରର ନିର୍ବାଚନ ବିଜ୍ଞପ୍ତି ପରେ ନବୀନ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଚିଠି ଆଦାନପ୍ରଦାନ ଆରମ୍ଭ ହୋଇଛି। ଅକ୍ଟୋବର ୧୯ ତାରିଖରେ ନବୀନ ନିଜ ପ୍ରଥମ ଚିଠିରେ ରାଜ୍ୟରେ ଥିବା ବିଜେପିର ‘ଡବଲ୍ ଇଞ୍ଜିନ୍’ ସରକାରର ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏଥିସହ ପୂର୍ବରୁ ବିଜେପି ଦେଇଥିବା ‘ଆନ୍ଧ୍ର ଗୋ ବ୍ୟାକ୍’ ସ୍ଲୋଗାନ୍ କଥା ମଧ୍ୟ ମନେ ପକାଇଥିଲେ।
ଏହାର ଜବାବରେ ଅକ୍ଟୋବର ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ମାଝୀ କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଂଶ ବୋଲି ପୁନର୍ବାର ସ୍ପଷ୍ଟ କରିଥିଲେ। ଏହି ପ୍ରସଙ୍ଗକୁ କେବଳ ରାଜନୈତିକ ଦୃଷ୍ଟିକୋଣରୁ ନଦେଖିବାକୁ ସେ କହିଥିଲେ। ଏଥିସହ ଆଇନଗତ ଭାବେ ଦୃଢ଼ ଓ ଗଠନମୂଳକ ପରାମର୍ଶ ଦେବାକୁ ନବୀନଙ୍କୁ ଆହ୍ୱାନ କରିଥିଲେ। ରାଜ୍ୟ ସରକାର କୋଟିଆର ବିକାଶ ଓ ଆଇନଗତ ଲଢ଼େଇ ପାଇଁ ପଦକ୍ଷେପ ନେଉଥିବା କଥା ମଧ୍ୟ ସେ ଜଣାଇଥିଲେ।
ନବୀନଙ୍କ ନୂଆ ଚିଠି ପରେ ଏବେ କୋଟିଆ ପ୍ରସଙ୍ଗରେ ଏନ୍ଡିଏ ମଧ୍ୟରେ ଥିବା ରାଜନୈତିକ ସମ୍ପର୍କ କିପରି ପ୍ରଭାବ ପକାଇବ, ତାହାକୁ ନେଇ ଚର୍ଚ୍ଚା ବଢ଼ିଛି। କାରଣ, ଆନ୍ଧ୍ରପ୍ରଦେଶରେ ଶାସନ କରୁଥିବା ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏନ୍ଡିଏର ଏକ ପ୍ରମୁଖ ସହଯୋଗୀ ଦଳ। ତେଣୁ ଏହି ମେଣ୍ଟରେ ରହି ଓଡ଼ିଶା ସରକାର କୋଟିଆ ସୀମା ବିବାଦର ସମାଧାନ ପାଇଁ କେତେ ଦୃଢ଼ ପଦକ୍ଷେପ ନେଉଛନ୍ତି, ତାହା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।
ଅନ୍ୟପକ୍ଷରେ, ନଭେମ୍ବର ୫ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଟିଆର ୨୧ଟି ଗାଁରେ ନିଷେଧାଦେଶ ଜାରି କରାଯାଇଛି। ଆଗାମୀ କିଛି ଦିନ ଉଭୟ ରାଜ୍ୟର ପ୍ରଶାସନିକ ସମନ୍ୱୟ ଓ ରାଜନୈତିକ ଇଚ୍ଛାଶକ୍ତି ପାଇଁ ଏକ ବଡ଼ ପରୀକ୍ଷା ହେବ ବୋଲି ମନେ କରାଯାଉଛି।
ଚିଠିର ଶେଷରେ ନବୀନ ଆଶା ପ୍ରକାଶ କରିଛନ୍ତି ଯେ, ବିଜେପି ନେତୃତ୍ୱ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିର ସମ୍ମାନ ରଖିବ ଏବଂ ୨୦୨୪ ନିର୍ବାଚନ ଇସ୍ତାହାରରେ କୋଟିଆ ପ୍ରସଙ୍ଗରେ ଦେଇଥିବା ଗ୍ୟାରେଣ୍ଟିକୁ କାର୍ଯ୍ୟରେ ପରିଣତ କରିବ।


