ସ୍ୱାଧୀନତା ଦିବସରେ ଚକ୍‌ମା ଦେଲେ କୁଣାଲ ଘୋଷ: ବିରୋଧୀ ଶିବିରରେ ପତାକା ଉଡ଼ାଇଲେ

ମମତା ବାନାର୍ଜୀଙ୍କ ଅତି ନିକଟର ବିଧାୟକ ହେଉଛନ୍ତି କୁଣାଲ ଘୋଷ। ତାଙ୍କ ନିର୍ଦ୍ଦେଶରେ କୁଣାଲ ପ୍ରଥମେ କୋଲକାତାର ଟପସିଆ ସ୍ଥିତ ଟିଏମ୍‌ସି କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ

କୋଲକାତା: ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀଙ୍କୁ ପୁଣି ଥରେ ଲାଗିବାକୁ ଯାଉଛି ଶକ୍ତ ଧକ୍କା! ତାଙ୍କର ଅତି ନିକଟର ବିଧାୟକ କୁହାଯାଉଥିବା କୁଣାଲ ଘୋଷଙ୍କୁ ଆଜି ବିଦ୍ରୋହୀ ଗୋଷ୍ଠୀରେ ଦେଖିବାକୁ ମିଳିଛି। ଅଭିଯୋଗ ଅନୁସାରେ କୁଣାଲ ନିଜ ପାର୍ଟି କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିସାରିବା ପରେ ବିଦ୍ରୋହୀ ଗୋଷ୍ଠୀଙ୍କ ଅଫିସରେ ପହଞ୍ଚିଥିଲେ। ଏହାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ପୁଣି ଥରେ ଚଳଚଞ୍ଚଳ ହୋଇଛି। କୁଣାଲ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହେଉଥିବା ନେଇ ଚର୍ଚ୍ଚା ହେଉଛି। ହେଲେ ଏପରି କଳ୍ପନା ଜଳ୍ପନାକୁ ଖଣ୍ଡନ କରିଛନ୍ତି କୁଣାଲ।

ମମତା ବାନାର୍ଜୀଙ୍କ ଅତି ନିକଟର ବିଧାୟକ ହେଉଛନ୍ତି କୁଣାଲ ଘୋଷ। ତାଙ୍କ ନିର୍ଦ୍ଦେଶରେ କୁଣାଲ ପ୍ରଥମେ କୋଲକାତାର ଟପସିଆ ସ୍ଥିତ ଟିଏମ୍‌ସି କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ତା’ପରେ ସେ ମେଟ୍ରୋପଲିଟନ ବାଇପାସ ନିକଟରେ ଥିବା ବିଦ୍ରୋହୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଯାହାକୁ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ନିଜର କାର୍ଯ୍ୟାଳୟ ବୋଲି ଦାବି କରୁଛି। ସେଠାରେ ଘୋଷ ପୂର୍ବରୁ ଉତ୍ତୋଳନ ହୋଇଥିବା ଜାତୀୟ ପତାକାକୁ ସଲାମୀ କରିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। କୁଣାନ ଘୋଷଙ୍କୁ ଦେଖି ବିଦ୍ରୋହୀ ଗୋଷ୍ଠୀର ନେତା ଓ କର୍ମୀମାନେ ମଧ୍ୟ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ।

କୁଣାଲ ଘୋଷ କାହିଁକି ଦେଲେ ସଫେଇ?: ବିଦ୍ରୋହୀ ଗୋଷ୍ଠୀର କାର୍ଯ୍ୟକ୍ରମରେ ନିଜ ଉପସ୍ଥିତିକୁ ନେଇ ଉଠୁଥିବା ପ୍ରଶ୍ନରେ କୁଣାଲ ଘୋଷ କହିଛନ୍ତି; ଏଥିରେ କୌଣସି ରାଜନୈତିକ କାରଣ ନାହିଁ। ମହାନଗର ଭବନ ନିକଟ ରାସ୍ତା ଦେଇ ଫେରୁଥିବା ବେଳେ ଅନେକ ପରିଚିତ ଲୋକ ଉପସ୍ଥିତ ଥିବା ଦେଖି ଅଟକିଥିଲି। କାର୍ଯ୍ୟକ୍ରମରେ ସାମିଲ ହୋଇଥିଲି। ଏହା ମୋର ବେଲେଘାଟା ବିଧାନସଭା କ୍ଷେତ୍ରର ଟିଏମ୍‌ସି କାର୍ଯ୍ୟାଳୟ ହୋଇଥିବାରୁ ସେଠାକୁ ଆସିବା ଅସ୍ୱାଭାବିକ ନୁହେଁ ବୋଲି ଘୋଷ କହିଛନ୍ତି।

ଟିଏମ୍‌ସିରେ ପୂର୍ବରୁ ଚାଲିଛି ଗୋଷ୍ଠୀ ବିବାଦ: କୁଣାଲ ଘୋଷଙ୍କ ଏହି ଉପସ୍ଥିତି ଏଭଳି ସମୟରେ ହୋଇଛି, ଯେତେବେଳେ ପଶ୍ଚିମବଙ୍ଗରେ ଟିଏମ୍‌ସି ଭିତରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଲଗାତାର ବଢ଼ିଛି। ଗୋଟିଏ ପଟେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଥିବା ବେଳେ ଅନ୍ୟପଟେ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ଗୋଷ୍ଠୀ ଦଳର ସଂଗଠନ ଓ ରାଜନୈତିକ ନେତୃତ୍ୱ ଉପରେ ନିଜର ଦାବି ଉପସ୍ଥାପନ କରୁଛି।

ଜୁନ୍‌ରେ ବିଦ୍ରୋହୀ ଗୋଷ୍ଠୀ ଦଳର ନାମ ଓ ନିର୍ବାଚନୀ ଚିହ୍ନ ଉପରେ ନିଜର ଦାବି ଉପସ୍ଥାପନ କରିବା ଦିଗରେ ମଧ୍ୟ ପଦକ୍ଷେପ ନେଇଥିଲା। ଏହି ସମୟରେ ଦୁଇ ପକ୍ଷ ମଧ୍ୟରେ ଦଳୀୟ କାର‌୍ୟ୍ୟାଳୟକୁ ନେଇ ବିବାଦ ଦେଖାଦେଇଥିଲା।