ସାମ୍ନାକୁ ଆସିଲା IIC ବିୟୁଟି ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଜାଣନ୍ତୁ କ’ଣ ରହିଛି କାରଣ

ମଙ୍ଗଳବାର ଚାଉଳିଆଗଞ୍ଜ ଥାନା ଆଇଆଇସି (IIC) ବିୟୁଟି ମହାନ୍ତିଙ୍କ ଶବ ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରୁ ଜଣାପଡ଼ିଛି ଯେ ଶ୍ୱାସରୁଦ୍ଧ ହେବା ଯୋଗୁଁ ଏହି ମହିଳା ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି।"

କଟକ: ଚାଉଳିଆଗଞ୍ଜ ଥାନା ଆଇଆଇସି (IIC) ବିୟୁଟି ମହାନ୍ତିଙ୍କ ଶବ ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) ରିପୋର୍ଟ ମଙ୍ଗଳବାର ପ୍ରକାଶ ପାଇଛି। ଶ୍ବାସରୁଦ୍ଧ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଏହି ରିପୋର୍ଟରୁ ଜଣାପଡ଼ିଛି। କଟକ ଡିସିପି ଋଷିକେଶ ଜ୍ଞାନଦେଓ ଖିଲାରୀ କହିଛନ୍ତି ଯେ ଏଥିରେ କୌଣସି ସନ୍ଦେହଜନକ କାରଣ ଜଣାପଡ଼ିନାହିଁ। ଶରୀରରେ ଅନ୍ୟ କୌଣସି ବାହ୍ୟ ଆଘାତର ଚିହ୍ନ ନାହିଁ। ତେବେ ଏହା ଉପରେ ବିଶେଷଜ୍ଞଙ୍କ ମତାମତ ନିଆଯିବ ଏବଂ ଭିସେରା (Viscera) ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଡିସିପି କହିଛନ୍ତି। ଏହି ମାମଲାରେ ପରିବାର ଲୋକ, ଥାନାର ପୋଲିସ କର୍ମଚାରୀ ଏବଂ ପରିଚିତ ଲୋକଙ୍କୁ ପଚରାଉଚରା କରାଯାଉଛି। ବିୟୁଟି ମହାନ୍ତିଙ୍କ ଏହି ରହସ୍ୟଜନକ ମୃତ୍ୟୁ ଓଡ଼ିଶା ପୋଲିସ ବିଭାଗ ସମେତ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

କମିଶନରେଟ୍ ପୋଲିସ ବିୟୁଟି ମହାନ୍ତିଙ୍କର ଏକ ଆଇଫୋନ୍ ସମେତ ଦୁଇଟି ମୋବାଇଲ୍ ଫୋନ୍ ଜବତ କରି ଯାଞ୍ଚ ପାଇଁ ରାଜ୍ୟ ଫୋରେନ୍ସିକ ସାଇନ୍ସ ଲ୍ୟାବ୍ (SFSL) କୁ ପଠାଇଛି। ଆତ୍ମହତ୍ୟାର କାରଣ ଖୋଜିବା ପାଇଁ ଫୋନ୍‌ରୁ ଡିଲିଟ୍ ହୋଇଯାଇଥିବା ଚାଟ୍ ସମେତ ସମସ୍ତ ତଥ୍ୟ ଯଥାଶୀଘ୍ର ବାହାର କରିବାକୁ ପୋଲିସ ଏସ୍‌ଏଫ୍‌ଏସ୍‌ଏଲ୍‌କୁ ଅନୁରୋଧ କରିଛି। ଏଥିସହିତ, ପୋଲିସ ସମ୍ପୃକ୍ତ ଟେଲିକମ୍ କମ୍ପାନୀଗୁଡ଼ିକଠାରୁ କଲ୍ ଡିଟେଲ୍ସ ରେକର୍ଡ (CDR) ମଧ୍ୟ ପାଇଛି। ସୂଚନା ଅନୁସାରେ, ଏହି ମହିଳା ପୋଲିସ ଅଧିକାରୀଙ୍କ ପାଖକୁ ଶେଷ କଲ୍ ତାଙ୍କ ସ୍ୱାମୀଙ୍କଠାରୁ ଆସିଥିଲା। ଏହି ମାମଲା ପଛରେ କୌଣସି ଟଙ୍କାପଇସା ଜନିତ ବିବାଦ ଥାଇପାରେ ବୋଲି ସନ୍ଦେହ କରି ପୋଲିସ ଆର୍ଥିକ ଦିଗର ମଧ୍ୟ ତଦନ୍ତ କରୁଛି।

ଏହି ଘଟଣାର ତଦନ୍ତ ପାଇଁ ଜଣେ ଅତିରିକ୍ତ ଡିସିପି, ଜଣେ ଏସିପି ଏବଂ ଦୁଇଜଣ ବରିଷ୍ଠ ଇନ୍ସପେକ୍ଟରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ଶନିବାର ସକାଳେ ଚାଉଳିଆଗଞ୍ଜ ଥାନାର ଉପର ମହଲାରେ ଥିବା ନିଜ ସରକାରୀ ବିଶ୍ରାମ କୋଠରୀ ଭିତରେ ବିୟୁଟିଙ୍କ ଶବ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଦୀର୍ଘ ସମୟ ଧରି ସେ କୌଣସି ଜବାବ ନଦେବାରୁ ଅନ୍ୟ ପୋଲିସ କର୍ମଚାରୀମାନେ କବାଟ ଭାଙ୍ଗି ଭିତରକୁ ଯାଇଥିଲେ ଏବଂ ତାଙ୍କୁ ଝୁଲୁଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ତୁରନ୍ତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।