ଜାମ୍ମୁ-କାଶ୍ମୀରରେ ସେନାକୁ ବଡ଼ ସଫଳତା: ମୋଷ୍ଟ ୱାଣ୍ଟେଡ୍ ଲସ୍କର ଆତଙ୍କବାଦୀ ନିହତ

ପୋଲିସ କହିଛି ଯେ ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍ସ (RR) ଏବଂ ସିଆରପିଏଫ (CRPF) ସହ ମିଶି ଏସଓଜି (SOG) ଶୋପିଆନ୍ ଏକ ମିଳିତ ଅଭିଯାନରେ ଜଣେ ଲସ୍କର-ଇ-ତୈବା ଆତଙ୍କବାଦୀକୁ ମାରିଦେଇଛି।

ଶୋପିଆନ୍: ଜାମ୍ମୁ-କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ବୁଧବାର ଦିନ ସୁରକ୍ଷା ବାହିନୀ ଗୁଳିରେ ଜଣେ ଲସ୍କର-ଇ-ତୈବା ଆତଙ୍କବାଦୀ ମରିଛି। ତାର ନାଁ ଜାକିର ଗନି। ଜୁଲାଇ ୩ ତାରିଖରୁ ଦକ୍ଷିଣ କାଶ୍ମୀରର ମୀମନ୍ଦର ଅଞ୍ଚଳରେ ଥିବା ଏକ ବଡ଼ ବଗିଚାରେ ସେନା ପକ୍ଷରୁ ଏହି ଖୋଜାଖୋଜି ଅଭିଯାନ ଚାଲିଥିଲା। ଏହି ଅଞ୍ଚଳରେ ପ୍ରାୟ ସାତଟି ଗାଁ ରହିଛି।

ଅଫିସରମାନେ କହିଛନ୍ତି ଯେ ଏନକାଉଣ୍ଟର ଜାଗାରୁ କିଛି ଗୁଳିଫୁଟିବା ଶବ୍ଦ ଶୁଣାଯାଇଥିଲା, ଯାହାର ଜବାବ ସେନା ପକ୍ଷରୁ ଦିଆଯାଇଥିଲା। ପରେ ସେଠାରୁ ଆତଙ୍କବାଦୀ ଜାକିର ଗନିର ଶବ ମିଳିଥିଲା। ସୁରକ୍ଷା ବାହିନୀ ସେଠାରୁ ବହୁତ ଗୁଡ଼ିଏ ବନ୍ଧୁକ ଓ ଗୋଳାବାରୁଦ ଜବତ କରିଛନ୍ତି। ସେଠାରେ ଆଉ କେହି ଆତଙ୍କବାଦୀ ଲୁଚିଛନ୍ତି କି ନାହିଁ ଜାଣିବା ପାଇଁ ଏବେ ବି ଖୋଜାଖୋଜି ଚାଲିଛି।

ଜାମ୍ମୁ-କାଶ୍ମୀର ପୋଲିସ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି , “ତୁମେ ଦୌଡ଼ି ପାରିବ କିନ୍ତୁ ଲୁଚି ପାରିବ ନାହିଁ! ସେନା (RR) ଏବଂ ସିଆରପିଏଫ ସହିତ ମିଶି ଏସଓଜି ଶୋପିଆନ୍ ଜଣେ ଲସ୍କର ଆତଙ୍କବାଦୀକୁ ମାରିଦେଇଛି।” ପୋଲିସ କହିଛି ଯେ ଏହା ଏକ ମିଳିତ ଅପରେସନ ଥିଲା।

ଗୁପ୍ତ ସୂଚନା ଆଧାରରେ ଶନିବାର ଦିନ ସାଇଦାପୋରା ଗାଁରେ ଏହି ଅଭିଯାନ ଆରମ୍ଭ ହୋଇଥିଲା, ଯାହା ଆଜି ପଞ୍ଚମ ଦିନରେ ପହଞ୍ଚିଛି। ଅଞ୍ଚଳକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରିବା ପାଇଁ ସୁରକ୍ଷା ବାହିନୀ ଚାରିପାଖୁ କଡ଼ା ପହରା ଦେଇ ଘେରି ରଖିଛନ୍ତି।

ଅଫିସରମାନେ କହିଛନ୍ତି ଯେ ଏହି ଅପରେସନ ସରିବା ଏବଂ ଜାଗାଟି ସମ୍ପୂର୍ଣ୍ଣ ସୁରକ୍ଷିତ ଘୋଷଣା ହେବା ପରେ ବାକି ସବୁ ସୂଚନା ଦିଆଯିବ। ମୃତ ଆତଙ୍କବାଦୀ ଜାକିର ଗନି କୁଲଗାମର ବାସିନ୍ଦା ଥିଲା। ସେ ୨୦୨୪ରେ ଲସ୍କର ସଂଗଠନରେ ସାମିଲ ହୋଇଥିଲା ଏବଂ ସେନାର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ‘A+++’ ଶ୍ରେଣୀରେ ଥିଲା।