fbpx

ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଦିନିକିଆରେ ବଦଳିବ ଭାରତର ଚୂଡାନ୍ତ ଏକାଦଶ ? ଏହି ଖେଳାଳିଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ହାରି ସାରିଛି। ତେବେ ନିଜର ସମ୍ମାନ ରକ୍ଷା ପାଇଁ ରବିବାର ମଇଦାନକୁ ଓହ୍ଲାଇବ ଭାରତ। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ଘରୋଇ ଦଳ ୨-୦ରେ ଅଗ୍ରଣୀ ହାସଲ କରିଛି। ଶେଷ ଦିନିକିଆ ମ୍ୟାଚ୍ କେପଟାଉନରେ ଖେଳାଯିବ। ତେବେ ଶେଷ ଦିନିକିଆରେ ଦଳର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ହେବାର ପୂରା ସମ୍ଭାବନା ରହିଛି।

ଶେଷ ଦିନିକିଆରେ ଭାରତର ଓପନିଂ ଯୋଡିରେ ପରିବର୍ତ୍ତନ କରାଯାଇପାରେ। ଅଧିନାୟକ କେଏଲ ରାହୁଲଙ୍କୁ ନମ୍ବର ୪ କିମ୍ବା ୫ରେ ବ୍ୟାଟିଂ କରିବାକୁ ପଡିପାରେ। ଦଳ ପ୍ରବନ୍ଧକ ଋତୁରାଜ ଗାଏକଓ୍ଵାଡଙ୍କୁ ସୁଯୋଗ ଦେଇ ପାରନ୍ତି, ଯିଏ ଶିଖର ଧାଓ୍ଵନଙ୍କ ସହ ଓପନ କରିବେ। ବିରାଟ କୋହଲି ତିନି ନମ୍ବରରେ ବ୍ୟାଟିଂ କରୁଥିବା ବେଳେ ଋଷଭ ପନ୍ତ ଏବଂ ରାହୁଲଙ୍କ ମଧ୍ୟରୁ ଜଣେ ନମ୍ବର ଚାରି ଏବଂ ଅନ୍ୟ ଜଣେ ନମ୍ବର ୫ରେ ବ୍ୟାଟିଂ କରିବେ। ଷଷ୍ଠ ନମ୍ବରରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦେଖିବାକୁ ମିଳିପାରେ।

ବୋଲିଂ ବିଭାଗରେ ମଧ୍ୟ ପରିବର୍ତ୍ତନ ହେବାର ପୂରା ସମ୍ଭାବନା ରହିଛି। ଭାରତ ସ୍ପିନ ବିଭାଗରେ ଆର ଅଶ୍ଵିନ ଏବଂ ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ଦେଇ ସାରିଛି। ଅନ୍ତିମ ମ୍ୟାଚ୍ରେ ଜୟନ୍ତ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇପାରେ। ଶାର୍ଦ୍ଦୁଳ ଠାକୁର ନିଜର ସ୍ଥାନ ବଜାୟ ରଖି ପାରନ୍ତି। ଅନ୍ୟପଟେ ଭୁବନେଶ୍ଵର କୁମାରଙ୍କ ସ୍ଥାନରେ ଦୀପକ ଚହର ଏବଂ ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ପ୍ରସିଦ୍ଧ କୃଷ୍ଣାଙ୍କୁ ଦେଖିବାକୁ ମିଳିପାରେ। ଯଶପ୍ରୀତ ଦ୍ରୁତ ବୋଲିଂ ବାହିନୀର ନେତୃତ୍ଵ ନେବେ। କାରଣ ଦଳ ପ୍ରବନ୍ଧକ ତୃତୀୟ ମ୍ୟାଚ୍ରେ ବିଶ୍ରାମ ଦେବାକୁ ଚାହିଁବେ ନାହିଁ, କାରଣ ଦଳ ଉପରେ ୩-୦ ପରାଜୟର ବାଦଲ ରହିଛି।

ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ : ଶିଖର ଧାଓ୍ଵନ, ଋତୁରାଜ ଗାଏକଓ୍ଵାଡ, ବିରାଟ କୋହଲି, କେଏଲ ରାହୁଲ(ଅଧିନାୟକ), ଋଷଭ ପନ୍ତ(ଓ୍ଵିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ଜୟନ୍ତ ଯାଦବ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ପ୍ରସିଦ୍ଧ କୃଷ୍ଣା ଏବଂ ଯଶପ୍ରୀତ ବୁମରା।

Get real time updates directly on you device, subscribe now.