ବିଧାନସଭାରେ ସରକାରଙ୍କୁ ଘେରିବ କଂଗ୍ରେସ; ମାଳ ମାଳ ପ୍ରଶ୍ନ ପ୍ରସଙ୍ଗରେ ଏଥର କମ୍ପିବ ଗୃହ,

ଆଜି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି

ଭୁବନେଶ୍ୱର: ଆସନ୍ତା ୧୭ ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ। ଏଥିଲାଗି ଆଜିର ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି। ମାଳ ମାଳ ପ୍ରସଙ୍ଗ ନେଇ କିଭଳି ସରକାରଙ୍କୁ ନାକେଦମ କରିବ ସେଲାଗି ରୋଡ଼ ମ୍ୟାପ ପ୍ରସ୍ତୁତ କରିସାରିଛି।

ରାଜ୍ୟରେ ୨୦ ମାସର ସରକାର ହେଲାଣି । ନିର୍ବାଚନ ବେଳେ କୌଣସି କଟନୀ ଛଟନୀ କରିବେନି ବୋଲି ସରକାର କହିଥିଲେ ହେଲେ ଚାଷୀଙ୍କୁ ଲୁଟିବାରେ ଲାଗିଛି ବିଜେପି ସରକାର । ଏପରିକି ଧାନ ମଣ୍ଡିରେ ଅଭାବି ବିକ୍ରି ଭଳି ସ୍ଥିତି ମଧ୍ୟ ଦେଖିବାକୁ ମିଳୁଛି । ଏହାକୁ ବିଧାନସଭାରେ ପ୍ରଥମ ପ୍ରସଙ୍ଗ କରିବ କଂଗ୍ରେସ।

ରାଜ୍ୟରେ ନାରୀ ନିର୍ଯାତନା ବଢୁଛି। ରାଜ୍ୟରେ ଅସୁରକ୍ଷିତ ମହିଳା । ବିଧାନସଭାରେ ଏହାକୁ ଦ୍ଵିତୀୟ ପ୍ରସଙ୍ଗ କରିବ କଂଗ୍ରେସ । ଅନ୍ୟପଟେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଏହାକୁ ମଧ୍ୟ ବିଧାନସଭାରେ ଉଠାଇବ କଂଗ୍ରେସ।

ଏହାସହିତ ମହାନଦୀ ଜଳ ବିବାଦ, ରତ୍ନଭଣ୍ଡାରରେ ମହାପ୍ରଭୁ ଜଗନ୍ନାଥଙ୍କ ଅଳଙ୍କାରର ଗଣତି ମନତି ପାଇଁ ବିଳମ୍ବ ହେବା ଘଟଣାରେ ମଧ୍ୟ ଗୃହ କମ୍ପିବ। ସେହିଭଳି ରାଜ୍ୟ ବଜେଟର ଅର୍ଥ ଜିଲ୍ଲାୱାରୀ ଖର୍ଚ୍ଚ ହୋଇପାରୁନାହିଁ। ଜିଲ୍ଲା ଯୋଜନା ବୋର୍ଡ ଗଠନ ନହେବା ଦ୍ବାରା ଜିଲ୍ଲା ଗୁଡିକରେ ଅର୍ଥ ପଡ଼ିରହିଛି । ଏହାକୁ ମଧ୍ୟ ଗୃହରେ ଉତ୍ଥାପନ କରାଯିବ ।

ରାଜ୍ୟରେ ସ୍ବାସ୍ଥ୍ୟ ସମସ୍ୟା, ନୂତନ ପଞ୍ଚାୟତ ଓ ବ୍ଲକ ଗଠନ ଭଳି ଚିତ୍ର ମଧ୍ୟ ଏଥର ଗୃହରେ ଉଠାଇବ କଂଗ୍ରେସ । ଏବେ MGNREGA ଯୋଜନାର ନାମ ପରିବର୍ତ୍ତନ କରି VB G-RAM-G ରଖିବା, ଉଦ୍ଦେଶ୍ୟମୂଳକ ଭାବେ ମହାତ୍ମା ଗାନ୍ଧୀଙ୍କ ନାମକୁ ହଟାଇଛି ବିଜେପି । ଏହାକୁ ମଧ୍ୟ ଗୃହରେ ଉଠାଇବ କଂଗ୍ରେସ । ରାଜ୍ୟରେ ଶିକ୍ଷା ଓ ବ୍ୟାପକ ଶିକ୍ଷକ ଅଭାବ, ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ଦାବି, ସାମାଜିକ ବାଛନ୍ଦ ଜାତି ବିଭେଦ ବଢିବା ଭଳି ଚିତ୍ର କୁ ଗୃହରେ ବିରୋଧ କରିବ କଂଗ୍ରେସ ।

ଏହାସହ ପେସା ଆଇନ ଲାଗୁ, ଅନୁସୂଚିତ ଜାତି ଓ ଜନଜାତି କମିଶନ ନିର୍ମାଣ, ଅନୁସୂଚିତ ଜାତି, ଜନଜାତି ତଥା ସଂଖ୍ୟାଲଘୁ ସମ୍ପ୍ରଦାୟ ପ୍ରତି ଅତ୍ୟାଚାରକୁ ଗୃହରେ ବିରୋଧ କରାଯିବ । ଏହି ତମାମ ସମସ୍ୟା ସବୁକୁ ଏଥର ବିଧାନ ସଭାରେ ଉଠାଇବ କଂଗ୍ରେସ । ଏନେଇ ଆଜି କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନେଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି।