fbpx

ବଂଶୀଧର ପ୍ରତିହାରୀଙ୍କୁ ମିଳିଲା ଧର୍ମପଦ ପୁରସ୍କାର, ଜାଣନ୍ତୁ ଧର୍ମପଦ ପୁରସ୍କାରରେ କେତେ ମିଳେ ପୁରସ୍କାର ରାଶି

ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶାଙ୍କ ଦ୍ଵାରା ୨୦୨୨ ମସିହା ପାଇଁ ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ସହିତ ୪୦ ତମ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର ପ୍ରଦାନ ଉତ୍ସବ ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ଧର୍ମପଦ ପୁରସ୍କୃତ ଶିଳ୍ପୀଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଏବଂ ସମ୍ବର୍ଦ୍ଧିତ ଶିଳ୍ପୀମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ସହ ତାମ୍ରଫଳକ ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଅଛି ।

୯୪ ବର୍ଷୀୟ ଚିତ୍ରଶିଳ୍ପୀ ଶ୍ରୀ ବଂଶୀଧର ପ୍ରତିହାରୀ ୨୦୨୨ ମସିହା ପାଇଁ ଏହି ମର୍ଯ୍ୟାଦାଜନକ ଧର୍ମପଦ ପୁରସ୍କାର ଲାଭ କରିଛନ୍ତି । ଏଥି ସହ ବିଶିଷ୍ଟ ଭାସ୍କର୍ଯ୍ୟ ଓ ଚିତ୍ରଶିଳ୍ପୀ ଶ୍ରୀ ବ୍ରଜବନ୍ଧୁ ମିଶ୍ର, ବିଶିଷ୍ଟ ତାଳପତ୍ର ଚିତ୍ରଶିଳ୍ପୀ ଶ୍ରୀ ଲକ୍ଷ୍ମୀଧର ସୁବୁଦ୍ଧି, ବିଶିଷ୍ଟ ପାରମ୍ପରିକ ପଟ୍ଟଚିତ୍ର ଶିଳ୍ପୀ ଶ୍ରୀ ଭ୍ରମରବର ନାୟକ, ଚିତ୍ରଶିଳ୍ପୀ ଶ୍ରୀ ରମେଶ କୁମାର ବେହେରା ଓ ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ଶ୍ରୀ କେଶବ ଚନ୍ଦ୍ର ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ତତ୍ ସହିତମନୋନୀତ ୭ ଜଣ ଶିଳ୍ପୀଙ୍କୁ ପାରମ୍ପରିକ ଚିତ୍ରକଳା, ଭାସ୍କର୍ଯ୍ୟ କଳା, ମୁଦ୍ରଣ କଳା ଓ ଚିତ୍ରକଳା କ୍ଷେତ୍ରରେ ୪୦ ତମ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର ପ୍ରଦାନ କରାଯାଇଛି । ଭାସ୍କର୍ଯ୍ୟ କଳାରେ ଶିଳ୍ପୀ ଶ୍ରୀ ପ୍ରତାପ ଚନ୍ଦ୍ର ଜେନା ଓ ଶିଳ୍ପୀ ଶ୍ରୀ ଅଶାନ୍ତ ଦାସ, ମୁଦ୍ରଣ କଳାରେ ଶିଳ୍ପୀ ଶ୍ରୀ ରବି ନାରାୟଣ ଗୁପ୍ତା ଓ ଶିଳ୍ପୀ ଶ୍ରୀ ଟୁକୁନା ଡାକୁଆ, ପାରମ୍ପରିକ ଚିତ୍ରକଳାରେ ଶିଳ୍ପୀ ଶ୍ରୀ ନିରଞ୍ଜନ ମୁଖି, ଚିତ୍ରକଳାରେ ଶିଳ୍ପୀ ଶ୍ରୀ ଶୀତିକାନ୍ତ ସାମନ୍ତଶିଙ୍ଗାର ଓ ଶିଳ୍ପୀ ଶ୍ରୀ ଅମିତ କୁମାର ଓଝାଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ସହ ତାମ୍ରଫଳକ ଓ ଉପଢୌକନ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଛି ।

ସଂସ୍କୃତି ଭବନରେଅନୁଷ୍ଠିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ମାନ୍ୟବର ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ କୁମାର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିଳ୍ପୀମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ ।

ପ୍ରକାଶ ଥାଉକି, ଧର୍ମପଦ ପୁରସ୍କାର ପ୍ରାପ୍ତ ୯୪ ବର୍ଷୀୟ ଚିତ୍ରଶିଳ୍ପୀ ଶ୍ରୀ ବଂଶୀଧର ପ୍ରତିହାରୀ ୧୯୨୮ ମସିହାରେ କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ଶାନ୍ତି ନିକେତନ କଳା ଭବନରୁ ୧୯୫୮ ମସିହାରେ କଳା ଶିକ୍ଷା କରିବା ସହ ଟେମ୍ପରା, ଧୌତଚିତ୍ର, ଜଳରଙ୍ଗ ଚିତ୍ର ତଥା କାଠ ଖୋଦେଇରେ ସେ ଖୁବ୍ ସିଦ୍ଧ ହସ୍ତ। ତାଙ୍କ ଚିତ୍ରରେ ସେ ଭାରତର ପ୍ରସିଦ୍ଧ ଫ୍ରେସକୋ ଚିତ୍ର ଯାହା ଅଜନ୍ତା ଗୁମ୍ଫାଚିତ୍ର ଶୈଳୀରେ ହୋଇଥାଏ, ସେହି ଶୈଳୀରେ ଅନେକ ଚିତ୍ର ଅଙ୍କନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।

ଦୀର୍ଘ ୩୦ ବର୍ଷ ଧରି ସେ ବିହାରର ପାଟନା ଠାରେ ଉପେନ୍ଦ୍ର ମହାରଥୀ ଇଣ୍ଡଷ୍ଟ୍ରିଆଲ ଡିଜାଇନରେ ଡିଜାଇନର ଭାବେ ସଫଳତାର ସହ କାର୍ଯ୍ୟ କରି ୧୯୮୮ ମସିହାରେ ସରକାରୀ ଚାକିରିରୁ ଅବ୍ୟାହତି ନେଇଥିଲେ । ତାଙ୍କର ଉଚ୍ଚକୋଟୀର କଳାକୃତି ପାଇଁ ୧୯୭୨ ମସିହାରେ ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର ପାଇବା ସହ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଛନ୍ତି ଏବଂ ଅନେକ ଚିତ୍ରକଳା ଶିବିର ଓ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି ।

ସମ୍ବର୍ଦ୍ଧିତ ଶିଳ୍ପୀ ୮୬ ବର୍ଷୀୟ ବର୍ଷିୟାନ ଚିତ୍ରଶିଳ୍ପୀ ଶ୍ରୀ ବ୍ରଜବନ୍ଧୁ ମିଶ୍ର ୧୯୩୭ ମସିହାରେ ଜନ୍ମଲାଭ କରିଥିଲେ । ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଖଲିକୋଟରେ ପ୍ରଥମ ଶ୍ରେଣୀରେ ଡିପ୍ଲୋମା ପାସ୍ କରିବା ସହିତ ନିଜର ଅନେକ ଚିତ୍ରସୃଜନୀ ପ୍ରଦର୍ଶନୀ ବଳରେ ଓଡ଼ିଶାର ସୁନାମ ରଖି ଆସିଛନ୍ତି । ସେ ଓଡ଼ିଶା ଲଳିତ କଳା ଏକାଡେମୀରୁ ୧୯୬୩ ଓ ୧୯୬୮ ମସିହାରେ ଦୁଇଥର ରାଜ୍ୟସ୍ତରୀୟ ପୁରସ୍କାର ଲାଭ କରିଛନ୍ତି ।ବର୍ତ୍ତମାନ ସେ ଅହମ୍ମଦାବାଦ ଠାରେ ନିଜର ସ୍ଵତନ୍ତ୍ର କଳାସାଧନା ଜାରି ରଖିଛନ୍ତି ।

ଐତିହ୍ୟ ଗ୍ରାମ ରଘୁରାଜପୁର ଠାରେ ୧୯୫୫ ମସିହାରେ ଜନ୍ମଗ୍ରହଣ କରିଥିଲେ ବିଶିଷ୍ଟ ତାଳପତ୍ର ଚିତ୍ରଶିଳ୍ପୀ ଶ୍ରୀ ଲକ୍ଷ୍ମୀଧର ସୁବୁଦ୍ଧି । ନିଜର ସୁଦକ୍ଷ କଳାକୃତି ପାଇଁ ହସ୍ତଶିଳ୍ପ ବିଭାଗରୁ ରାଜ୍ୟ ପୁରସ୍କାର ଓ ଜାତୀୟ ପୁରସ୍କାର ଲାଭ କରିବା ସହିତ ତାଙ୍କ ହାତ ତିଆରି ତାଳପତ୍ର ଚିତ୍ରରୁ ପ୍ରଦର୍ଶନୀ ବିଦେଶରେ ମଧ୍ୟ କରିଛନ୍ତି । ୧୯୫୬ ମସିହାରେ ପୁରୀ ଜିଲ୍ଲାରେ ତିପୁରୀ ଗ୍ରାମରେ ଜନ୍ମଲାଭ କରିଥିଲେ ଚିତ୍ରଶିଳ୍ପୀ ଭ୍ରମରବର ନାୟକ । ସେ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ରରେ ଜଣେ ସିଦ୍ଧହସ୍ତ ଚିତ୍ରଶିଳ୍ପୀ ଭାବେ ତାଙ୍କର ପରିଚୟ ରହିଛି । ନିଜ କଳାକୃତି ପାଇଁ ସେ ହସ୍ତଶିଳ୍ପ ବିଭାଗରୁ ରାଜ୍ୟ ସ୍ତରୀୟ ପୁରସ୍କାର ୧୯୮୫ ଓ ଜାତୀୟ ସ୍ତରୀୟ ପୁରସ୍କାର ୧୯୮୪ ରେ ଲାଭ କରିବା ସହିତ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ସେହିପରି ବରିଷ୍ଠ ଚିତ୍ରଶିଳ୍ପୀ ରମେଶ କୁମାର ବେହେରା ୧୯୫୯ ମସିହାରେ କଟକର ଆଠଗଡ ଠାରେ ଜନ୍ମ ଲାଭ କରିଥିଲେ ।ନିଜର ଟେମ୍ପେରା ଚିତ୍ର ଏବଂ ଧୌତ ଚିତ୍ର ଓଡ଼ିଶାର ଗ୍ରାମ୍ୟ ଜୀବନ ଓ ସଂସ୍କୃତିକୁ ଆଧାର କରି ଅନେକ ଚିତ୍ର ଅଙ୍କନ କରିଛନ୍ତି । ସେ ମଧ୍ୟ ୧୯୮୬ ମସିହା ଓ ୨୦୦୧ ମସିହାରେ ଦୁଇଥର ଓଡ଼ିଶା ଲଳିତ କଳା ଏକାଡ଼େମୀ ପୁରସ୍କାର ପ୍ରାପ୍ତ ହୋଇଛନ୍ତି ।ଏଥି ସହିତ କଲିକତାର ଏକାଡ଼େମୀ ଅଫ ଫାଇନ ଆର୍ଟ୍ସ ରୁ ରାଷ୍ଟ୍ରୀୟ ପୁରସ୍କାର ଲାଭ ସହିତ ଅନେକ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି।ଅନେକ ରାଜ୍ୟ ଏବଂ ଜାତୀୟସ୍ତରୀୟ ଚିତ୍ର ଶିବିରରେ ଯୋଗ ଦେଇ ଓଡ଼ିଶାର ସୁନାମ ବଢାଇଛନ୍ତି ।

ପାରମ୍ପରିକ ପ୍ରସ୍ତରର ଶିଳ୍ପୀ କେଶବ ଚନ୍ଦ୍ର ମହାରଣା ୧୯୬୧ ମସିହାରେ ବୁଢାକେରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପ୍ରସ୍ତର ଭାସ୍କର୍ଯ୍ୟ କଳାରେ ଟ୍ରେନିଂ ନେବା ସହ ତାଙ୍କର ସୁନ୍ଦର ଭାସ୍କର୍ଯ୍ୟ କଳା ପାଇଁ ସେ ବହୁ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ୨୦୧୩ ମସିହାରେ ତାଙ୍କର କଳାକୃତି ପାଇଁ ଜାତୀୟ ପୁରସ୍କାର ପାଇଥିଲେ।

Get real time updates directly on you device, subscribe now.