ଚାଲିଥିଲା ବାହାଘର ଶୋଭାଯାତ୍ରା! ହେଲା ବଜ୍ରପାତ
ନାଚିବାରେ ବ୍ୟସ୍ତ ଥିବା ବର ଯାତ୍ରୀମାନେ ଦୌଡ଼ା ଦୌଡ଼ି କରିଥିଲେ। ଠିକ୍ ସେହି ସମୟରେ ବଜ୍ରପାତ ହୋଇଥିଲା। ଫଳରେ ୩ ଜଣ ଅସୁସ୍ଥ ହୋଇପଡ଼ିଥିଲେ
ଭୁବନେଶ୍ୱର: ବାହା ହେବା ପାଇଁ କନିଆଁ ଘରକୁ ଯାଉଥିଲେ। ନାଚି ଧମାଲ କରୁଥିଲେ ବରଯାତ୍ରୀ। ଠିକ୍ ସେହି ସମୟରେ ବରଯାତ୍ରୀଙ୍କ ଉପରକୁ ହେଲା ବଜ୍ରପାତ। ଯାହାଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି।
ବାହା ଘର ପାଇଁ ସଜେଇ ହୋଇଥିଲା ଘର। ବନ୍ଧବାନ୍ଧବଙ୍କ ଗହଳି ଚହଳିରେ ଫାଟି ପଡ଼ୁଥିଲା ଗାଁର ପରିବେଶ। ତିଥି ଲଗ୍ନ ଅନୁସାରେ ଶୁକ୍ରବାର ମଧ୍ୟରେ ସଦର ବ୍ଲକ ଅନ୍ତର୍ଗତ ଭାପୁର ଅଞ୍ଚଳର ଚନ୍ଦ୍ରଶେଖର ପ୍ରସାଦ ଗାଁରୁ ବରଯାତ୍ରୀ ବାହାରିଲେ। ବାଣ ଓ ରୋଷଣୀ ତାଳେ ତାଳେ ନାଚୁଥିଲେ ବରଯାତ୍ରୀ। କନିଆଁ ଘର ଗାଁ ରଞ୍ଜା ଆଉ ଅଳ୍ପ ଦୂର ଥିଲା। ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଲା। ଆଉ ଚାହୁଁଚାହିଁ ବର୍ଷିଥିଲା।
ନାଚିବାରେ ବ୍ୟସ୍ତ ଥିବା ବର ଯାତ୍ରୀମାନେ ଦୌଡ଼ା ଦୌଡ଼ି କରିଥିଲେ। ଠିକ୍ ସେହି ସମୟରେ ବଜ୍ରପାତ ହୋଇଥିଲା। ଫଳରେ ୩ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ କୋଇଲିପଙ୍ଗି ଗାଁର ଅମିନ ବେହେରାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଦୁଇ ଜଣଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି।


