fbpx

ମୋ କ୍ୟାରିୟରର ଅନ୍ତିମ ସମୟ ଆସିଯାଇଛି: ଫୁଟବଲକୁ ଅଲବିଦା ନେଇ ସଙ୍କେତ ଦେଲେ ମେସି

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ମ୍ୟାଜିକ ଦେଖିବାକୁ କୋଟି କୋଟି କ୍ରୀଡ଼ାପ୍ରେମୀ ପାଗଳ ହୋଇଥାନ୍ତି । ତେବେ ଖୁବଶୀଘ୍ର ଆର୍ଜେଣ୍ଟିନାର ଏହି ମହାନ୍ ଫୁଟବଲ ଖେଳାଳିଙ୍କୁ ଆଉ ପଡ଼ିଆରେ ଦେଖିବାକୁ ମିଳିନପାରେ । ଗତ ୨୦୨୨ କତାର ବିଶ୍ୱକପରେ ଆର୍ଜେଣ୍ଟିନାକୁ ଚାମ୍ପିୟନ କରାଇବା ପରେ ୩୫ ବର୍ଷୀୟ ମେସିଙ୍କ ଅବସର ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା ।

ସୂଚନା ମୁତାବକ, ଏବେ ପୁଣି ଥରେ ମେସିଙ୍କ ଅବସରକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ମେସି ନିଜ କ୍ୟାରିୟରରେ ୭ ଥର ଫୁଟବଲର ସର୍ବଶ୍ରେଷ୍ଠ ପୁରସ୍କାର ବାଲନ୍ ଡି’ଓର, ୪ ଥର ୟୁଫା ଚାମ୍ପିୟନ୍ସ ଲିଗ୍, ଥରେ କୋପା ଆମେରିକା ଟ୍ରଫି ଜିତିଥିଲେ । ତେବେ ନିକଟରେ କତାରରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପ ଜିତିବା ପରେ ମେସିଙ୍କ ଦୀର୍ଘବର୍ଷର ସ୍ୱପ୍ନ ପୂରଣ ହୋଇ ସାରିଛି ।

ତେବେ କତାର ବିଶ୍ୱକପକୁ ଏହା ମଧ୍ୟରେ ଏକ ମାସରୁ ଅଧିକ ସମୟ ବିତିସାରିଥିବା ବେଳେ ନିକଟରେ ଏକ ଇଣ୍ଟରଭ୍ୟୁ ଅବସରରେ ମେସି ନିଜର ଅବସର ନେଇ ସଙ୍କେତ ଦେଇଛନ୍ତି । ମେସି କହିଛନ୍ତି ‘ମୋ କ୍ୟାରିୟରର ଅନ୍ତିମ ସମୟ ଆସିଯାଇଛି । ଏକ ସମୟଚକ୍ରର ସମାପ୍ତ ହେବାକୁ ଯାଉଛି । ଯାହାକୁ ନେଇ ମୁଁ ପୂର୍ବରୁ ସ୍ୱପ୍ନ ଦେଖୁଥିଲି ତାହା ମୋର ପୂରଣ ହୋଇସାରିଛି । ବିଶ୍ୱକପ ଜିତିବା ମୋର ଏକ ସ୍ୱପ୍ନ ଥିଲା । ବ୍ୟକ୍ତିଗତ ଭାବେ ମୁଁ ସବୁକିଛି ହାସଲ କରିସାରିଛି । ଜୀବନର ଏଭଳି ଶ୍ରେଷ୍ଠ ମୁହୂର୍ତ୍ତ ଆଉ କେବେ ଆସିବ ତାହା ମୁଁ ବିଶ୍ୱାସ କରିପାରୁନି ।’

Get real time updates directly on you device, subscribe now.