fbpx

ଏଠାରେ କେବଳ ଅଢ଼େଇ କପ୍ ମଦ ପିଇ ଭକ୍ତଙ୍କ ମନସ୍କାମନା ପୂରଣ କରନ୍ତି ମା’

ନୂଆଦିଲ୍ଲୀ: ଭାରତରେ ଏମିତି ଅନେକ ମନ୍ଦିର ଅଛି, ଯାହା ସେମାନଙ୍କର ବିଶେଷତା ପାଇଁ ବେଶ ଜଣାଶୁଣା | ବିଶେଷ ଭାବରେ ଅନେକ ହିନ୍ଦୁ ମନ୍ଦିର ନିଜର ଚମତ୍କାରୀ ଗାରିମା ପାଇଁ ବର୍ଷ ସାରା ସେଠାରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ | ଆମେ ଆପଣଙ୍କୁ ଏହିଭଳି ମନ୍ଦିର ବିଷୟରେ ଜଣାଇବୁ ଯେଉଁଠାରେ ମାତା କାଳୀଙ୍କ ପାଖରେ ଲାଗି ହୋଇଥାଏ ସ୍ପେଶାଲ ଭୋଗ | ରାଜସ୍ଥାନର ନାଗୌର ଜିଲ୍ଲାରେ ମାତା କାଳୀଙ୍କ ଏକ ମନ୍ଦିର ଅଛି, ଯେଉଁଠାରେ ମାଆଙ୍କୁ ପ୍ରସାଦ ରୂପରେ ମଦ ଅର୍ପଣ କରା ଯାଇଥାଏ | ଏଠାକୁ ଆସୁଥିବା ଭକ୍ତମାନେ ମାଙ୍କ ପୂଜା ପାଇଁ ସାଙ୍ଗରେ ମଦ ବୋତଲ ଧରି ଆସିଥାନ୍ତି |

ବିଶେଷ ଭାବରେ ମନ୍ଦିର ଭଳି ପବିତ୍ର ସ୍ଥାନ ଗୁଡ଼ିକରେ ମଦ ଭଳି ନିଶା ଦ୍ରବ୍ୟ ବାରଣ ହୋଇଥାଏ | କିନ୍ତୁ ଏହି ମନ୍ଦିର ବିଷୟରେ ବିଶେଷ କଥା ହେଉଛି ଏଠାରେ ମା କେବଳ କେବଳ ଅଢ଼େଇ କପ୍ ମଦ ପିଇ ଭକ୍ତଙ୍କ ମନସ୍କାମନା ପୂରଣ କରିଥାନ୍ତି | ସେହିଭଳି ମାଙ୍କ ନିକଟରେ ଲାଗି ହେଉଥିବା ମଦ ପାତ୍ରରେ ଯଦି ଗୋଟେ ବୁନ୍ଦା ମଦ କମ୍ ଥାଏ, ତେବେ ମା ଏହାକୁ ଗ୍ରହଣ କରନ୍ତି ନାହିଁ | ତେବେ ଆସନ୍ତୁ ଜାଣିବା ମା କାଳୀଙ୍କ ମନ୍ଦିରରେ ଏହି ପରମ୍ପରା କିପରି ଆରମ୍ଭ ହେଲା?

ଏଠାକୁ ନିଜର ମନୋକାମନା ପୂରଣ ପାଇଁ ଆସୁଥିବା ଭକ୍ତଙ୍କ କହିବା ଅନୁଯାୟୀ, ଏକ ରୂପା କପ୍ ପୂର୍ଣ୍ଣ ମଦ ଦେବୀଙ୍କ ମୁହଁ ନିକଟକୁ ନେବା ମାତ୍ରେ ପାତ୍ରରେ ଥିବା ମଦ ଆପେ ଆପେ ଅଦୃଶ୍ୟ ହୋଇଯାଏ | ଏଠାରେ ମନ୍ଦିରର ପୂଜକ ମାନେ ଦେବୀଙ୍କ ସମ୍ମୁଖରେ ମଦ ଭର୍ତ୍ତି ଏକ ରୂପା କପ ରଖନ୍ତି ଏବଂ ଆଖି ବନ୍ଦ କରି ତାଙ୍କୁ ପ୍ରସାଦ ଅର୍ପଣ କରାନ୍ତି | ଏହା ପରେ କିଛି କ୍ଷଣ ମଧ୍ୟରେ ମଦ କପରୁ ଯାଦୁ ପରି ମଦ ଅଦୃଶ୍ୟ ହୁଏ | ମାତାଙ୍କୁ ପ୍ରସାଦ ଅର୍ପଣ କରିବା ସମୟରେ ଏହାକୁ ତିନିଥର କରାଯାଇଥାଏ ଏବଂ ତୃତୀୟ ଥର କପଟି ଅଧା ପୂର୍ଣ୍ଣ ହୋଇଥାଏ | କୁହାଯାଏ ଯେ ଯଦି ମନୋସ୍କାମନା ଅନୁଯାୟୀ ମାଙ୍କୁ ପ୍ରସାଦରେ ମଦ ଦିଆଯାଏ, ତେବେ ମାତା ଏହାକୁ ଅତି ସନ୍ତୁଷ୍ଟିରେ ଗ୍ରହଣ କରନ୍ତି | କିନ୍ତୁ ଯଦି ସମାନ ପ୍ରସାଦର ପରିମାଣ ଅଧିକ କିମ୍ବା କମ ହୁଏ, ତେବେ ମା ଏହାକୁ ଗ୍ରହଣ କରନ୍ତି ନାହିଁ |

ସୂଚନା ଅନୁଯାୟୀ, ପ୍ରାୟ ୧୧୭୦ ବର୍ଷ ପୂର୍ବେ ମାଙ୍କ ଏହି ମନ୍ଦିର ତିଆରି କରାଯାଇଥିଲା | ଲୋକକଥା ଅନୁଯାୟୀ, ଏକ ଡକାୟତ ଦଳ ଲୁଟ୍ କରିଥିବା ଜିନିଷକୁ ନେଇ ଏହି ସ୍ଥାନକୁ ଆସିଥିଲେ ଏବଂ ସେହି ସ୍ଥାନରେ ଲୁଟ୍ କରାଯାଇଥିବା ଜିନିଷ ଗୁଡ଼ିକ ପରସ୍ପର ମଧ୍ୟରେ ବାଣ୍ଟିବା ଆରମ୍ଭ କରିଥିଲେ। ଇତି ମଧ୍ୟରେ, ଡକାୟତମାନେ ସେହି ସ୍ଥାନରେ ନିର୍ମିତ ମାଙ୍କ ପ୍ରତିମା ଗୁଡ଼ିକର ଚମତ୍କାର ଦେଖିବାକୁ ପାଇଥିଲେ | ଏହା ଦେଖି ସେମାନେ ଆଶ୍ଚର୍ଯ୍ୟ ହେବା ସହିତ ମାଙ୍କ କୃପା ନିମନ୍ତେ ସେହି ଲୁଟ୍ ସାମଗ୍ରୀରେ ସେଠାରେ ମା କାଳୀଙ୍କର ଏକ ମନ୍ଦିର ନିର୍ମାଣ କରିଥିଲେ | ଏବଂ ପ୍ରସାଦ ସ୍ୱରୂପ ମାଙ୍କ ନିକଟରେ ମଦ ପାତ୍ରକୁ ପ୍ରସାଦ ଭାବରେ ଚଢ଼ାଇଥିଲେ | ସେବେଠାରୁ ମା ଅଢ଼େଇ କପ୍ ମଦ ପିଇ ଭକ୍ତଙ୍କ ମନସ୍କାମନା ପୂରଣ କରୁଛନ୍ତି | ନାଗୁରଠାରୁ ପ୍ରାୟ ୧୦୫ କିଲୋମିଟର ଦୂରରେ ଥିବା ରିୟାନ୍ ତହସିଲରେ ମା କାଳୀଙ୍କ ଏହି ମନ୍ଦିର ଭୁୱାଲ ମାତା ମନ୍ଦିର ହିସାବରେ ବେଶ ଜଣାଶୁଣା | ବିଶେଷ ଭାବରେ ନବରାତ୍ର ଏବଂ ଦଶହରା ସମୟରେ ମାଙ୍କ ମନ୍ଦିରରେ ଭକ୍ତଙ୍କ ଅସଂଖ୍ୟ ଭିଡ଼ ପରିଲକ୍ଷିତ ହୋଇଥାଏ |

Get real time updates directly on you device, subscribe now.