କେନ୍ଦ୍ରମନ୍ତ୍ରୀ ଚିରାଗଙ୍କୁ ଆତଙ୍କବାଦୀଙ୍କ ଚିଠି, ହତ୍ୟା କରିବାକୁ ଧମକ!
ଚିରାଗ ପାସୱାନଙ୍କୁ ଟାର୍ଗେଟ୍ କରି ହତ୍ୟା ଧମକ, ଚିଠି ମିଳିବା ପରେ ହାଇଆଲର୍ଟ...
ବିହାର: କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମବିଲାସ)ର ସଭାପତି ଚିରାଗ ପାସୱାନଙ୍କୁ ଡାକ ମାଧ୍ୟମରେ ଏକ ଧମକପୂର୍ଣ୍ଣ ଚିଠି ମିଳିଛି। ସେହି ଚିଠିରେ ଲେଖାହୋଇଥିବା କୁହାଯାଉଛି ଯେ ଆତଙ୍କବାଦୀମାନେ ତାଙ୍କ ହତ୍ୟା କରିବାକୁ ଯୋଜନା କରୁଛନ୍ତି।
ତେବେ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କୁ ହତ୍ୟା ଧମକ ମିଳିବା ପରେ ତାଙ୍କ କାର୍ଯ୍ୟାଳୟର କର୍ମୀ ଓ ପାଖଲୋକ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ପୋଷ୍ଟ ମାଧ୍ୟମରେ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ଏକ ଚିଠିରେ ସ୍ପଷ୍ଟ ଭାବରେ ଚେତାବନୀ ଦିଆଯାଇଛି ଯେ ‘ଦୁର୍ଦାନ୍ତ ଆତଙ୍କବାଦୀମାନେ ଖୁବଶୀଘ୍ର ତୁମକୁ ହତ୍ୟା କରିବେ।’
ଏହି ଧମକପୂର୍ଣ୍ଣ ଚିଠି ପାଇବା ପରେ ତାଙ୍କ କାର୍ଯ୍ୟାଳୟରେ ତୁରନ୍ତ ହଙ୍ଗାମା ହୋଇଛି। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିଳମ୍ବ ନକରି କେନ୍ଦ୍ର ଗୃହ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି।
ଏହି ଚିଠିରେ ସମ୍ପୂର୍ଣ୍ଣ ଘଟଣା ତଥା ଧମକ ବିଷୟରେ ସୂଚନା ଦିଆଯାଇଛି ଏବଂ ପରେ ଗୃହ ବିଭାଗ ଏହାକୁ ଗମ୍ଭୀରତାର ସହ ନେଇ ତୁରନ୍ତ ତଦନ୍ତ କରି ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି।
ଯଦିଓ ଚିରାଗ ପାସୱାନଙ୍କ ପାଇଁ ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି, କିନ୍ତୁ ତାଙ୍କ କାର୍ଯ୍ୟାଳୟକୁ ସିଧାସଳଖ ଏପରି ଧମକ ପଠାଯିବା ପରେ ଗୃହ ମନ୍ତ୍ରଣାଳୟ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସଜାଗ ଅଛନ୍ତି।


