ସାହି ଲୋକେ ଗୋଡ଼ାଇ ଗୋଡ଼ାଇ କାବୁ କଲେ

ବୋମା ଫିଙ୍ଗିବା ପରେ ଦୁର୍ବୃତ୍ତମାନେ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲେ। ହେଲେ ସାହ ଲୋକେ ଗୋଡ଼ାଇ ଗୋଡ଼ାଇ ସେମାନଙ୍କ ଭିତରୁ ଦୁଇ ଜଣଙ୍କୁ କାବୁ କରିଥିଲେ

ବ୍ରହ୍ମପୁର: ପାର୍ବଣ ପୂର୍ବରୁ ଅଶାନ୍ତ ହେଉଛି ଗଞ୍ଜାମ। କଥା କଥାରେ ଫୁଟି ଗୁଳି ଓ ଫାଟୁଛି ବୋମା। ସୋମବାର ସନ୍ଧ୍ୟାରେ ଏପରି ଏକ ଘଟଣା ସଦର ଥାନା ଅଞ୍ଚଳରେ ଘଟିଛି।୨୫ରୁ ୩୦ ଜଣ ଯୁବକ ବାଇକ୍‌ରେ ଆସି ବୋମା ଫିଙ୍ଗି ଚମ୍ପଟ ମାରିଥିଲେ। ଯେଉଁଥିରେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ବ୍ରହ୍ମପୁର ସଦର ଥାନା କୁକୁଡାଖଣ୍ଡି ଗାଁ ଦାସ ସାହିରେ ହୋଇଛି ବୋମା ମାଡ଼। ସୋମବାର ସନ୍ଧ୍ୟା ବେଳେ ପ୍ରାୟ ୨୦ଟି ବାଇକ୍‌ରେ ୨୫ରୁ ୩୦ ଜଣ ଯୁବକ ଆସି ସାହିରେ ଆତଙ୍କ ଖେଳାଇ ଥିଲେ। ବୋମାମାଡ଼ ଫିଙ୍ଗି ପଳାଇଥିଲେ। ଦୁର୍ବୃତ୍ତମାନେ ୪ଟି ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି। ଯେଉଁଥିରେ ଦୁଇ ଜଣ ଯୁବକ ଆହତ ହୋଇଛନ୍ତି। ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ବୋମା ଫିଙ୍ଗିବା ପରେ ଦୁର୍ବୃତ୍ତମାନେ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲେ। ହେଲେ ସାହ ଲୋକେ ଗୋଡ଼ାଇ ଗୋଡ଼ାଇ ସେମାନଙ୍କ ଭିତରୁ ଦୁଇ ଜଣଙ୍କୁ କାବୁ କରିଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଗାଁରେ ଅଭିଯୁକ୍ତଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ନେଇଛି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ସଦର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ପରିଡ଼ା, ଥାନାଧିକାରୀ ସୁଚିତ୍ରା ପରିଡ଼ା ଓ ପୁଲିସ ଟିମ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗାଁ ଲୋକେ ଦାବି କରିଛନ୍ତି।