ଲଣ୍ଡନରେ ୪୬୦ କୋଟି ଟଙ୍କାର ଫ୍ଲାଟ୍ ପାଇଁ ଲାଗିଲା ନିଲାମୀ

ସରକାରୀ ଜମି ରେକର୍ଡ ଅନୁସାରେ, ଏହି ଦୁଇଟି ସମ୍ପତ୍ତିର ମାଲିକାନା ଇରାନୀ ବ୍ୟବସାୟୀ ଅଲି ଅଲିଆକବର ଅନସାରୀଙ୍କ ନାମରେ ରହିଛି।

ଲଣ୍ଡନ: ଯୁଦ୍ଧ ନିଆଁରେ ଜଳୁଛି ଇରାନ। ଏପରି ସ୍ଥିତିରେ ଦେଶ ବର୍ତ୍ତମାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇ ନିଜର ବିଳାଶପୂର୍ଣ୍ଣ ପ୍ଲାଟ୍ ବିକ୍ରି କରିବେ! ଏହି ପ୍ଲାଟ୍ ୨ଟି ଲଣ୍ଡନର ଅତ୍ୟନ୍ତ ଦାମୀ ଓ ଆଭିଜାତ୍ୟ ସମ୍ପନ୍ନ ଅଞ୍ଚଳରେ ରହିଛି। ଯାହାର ମୂଲ୍ୟ ପ୍ରାୟ ୩୬ ନିୟୁତ ପାଉଣ୍ଡ। ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୪୬୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି।

ଅଭିଯୋଗରୁ ପ୍ରକାଶ; ମୋଜତବା ଖାମେନେଇ ଇରାନୀ ବ୍ୟବସାୟୀ ଅଲି ଅଲିଆକବର ଅନସାରୀଙ୍କ ନାମରେ ଏହି ପ୍ଲାଟ ଦୁଇଟି କିଣିଥିଲେ। ଋଣ ବୋଝ ବାହାନାରେ ବର୍ତ୍ତମାନ ସେହି ସମ୍ପତ୍ତିକୁ ବିକ୍ରି କରିବାକୁ ଯୋଜନା କରୁଛନ୍ତି। ହେଲେ ଖାମେନେଇ ଓ ବ୍ୟବସାୟୀ ଆନସାରୀଙ୍କ ବିରୋଧରେ ଅନ୍ତର୍ଜାତୀୟ କଟକଣା ଲାଗିଥିବାରୁ ସମସ୍ୟା ଦେଖାଦେଇଛି।

କେନ୍ସିଙ୍ଗଟନ ପ୍ୟାଲେସ୍ ପାଖରେ ୪୬୦ କୋଟିର ସମ୍ପତ୍ତି: ସରକାରୀ ଜମି ରେକର୍ଡ ଅନୁସାରେ, ଏହି ଦୁଇଟି ସମ୍ପତ୍ତିର ମାଲିକାନା ଇରାନୀ ବ୍ୟବସାୟୀ ଅଲି ଅଲିଆକବର ଅନସାରୀଙ୍କ ନାମରେ ରହିଛି। ଏଥିରୁ ଗୋଟିଏ ବିଳାଶପୂର୍ଣ୍ଣ ପେଣ୍ଟହାଉସ୍‌କୁ ପ୍ରାୟ ୧୨ ନିୟୁତ ପାଉଣ୍ଡ, ଅର୍ଥାତ୍ ପ୍ରାୟ ୧୫୩ କୋଟି ଟଙ୍କାରେ ବିକ୍ରି ପାଇଁ ରଖାଯାଇଛି। ୩-ଏ ପ୍ୟାଲେସ ଗ୍ରୀନ୍‌ର ଷଷ୍ଠ ଓ ସପ୍ତମ ମହଲାରେ ଥିବା ଏହି ପେଣ୍ଟହାଉସ ପ୍ରାୟ ୩,୯୪୪ ବର୍ଗଫୁଟରେ ରହିଛି। ଏଥିରେ ୫ଟି ବେଡ୍‌ରୁମ୍ ସହ ଷ୍ଟାଫ୍ ପାଇଁ ଅଲଗା ରହିବା ସ୍ଥାନ ଓ କେନ୍ସିଙ୍ଗଟନ୍ ପ୍ୟାଲେସ୍‌ର ଦୃଶ୍ୟ ଦେଖାଯାଉଥିବା ବଡ଼ ରୁଫ ଟେରେସ ମଧ୍ୟ ରହିଛି।

ଋଣ ନେଇ କିଣିଥିଲେ, ଏବେ ବିକ୍ରି କରିବେ ରିସିଭର: ରିପୋର୍ଟ ଅନୁସାରେ, ଅନସାରୀ ଏହି ସମ୍ପତ୍ତି କିଣିବା ପାଇଁ ଘରୋଇ ଋଣଦାତାଙ୍କଠାରୁ ଋଣ ନେଇଥିଲେ। କିନ୍ତୁ ପରେ ଋଣର କିସ୍ତି ପରିଶୋଧ କରିପାରିନଥିଲେ। ଯାହାଫଳରେ ଋଣଦାତାମାନେ ନିଜ ଟଙ୍କା ଫେରି ପାଇବା ପାଇଁ ରିସିଭର ନିଯୁକ୍ତ କରିଥିଲେ। ଏବେ ସେହି ରିସିଭରମାନଙ୍କ ତତ୍ତ୍ୱାବଧାନରେ ଫ୍ଲାଟ୍‌ଗୁଡ଼ିକୁ ବିକ୍ରି କରାଯାଉଛି। ଅର୍ଥାତ୍, ଯେଉଁ ସମ୍ପତ୍ତି କେବେ ଲଣ୍ଡନର ଆଭିଜାତ୍ୟ ଜୀବନର ପ୍ରତୀକ ଥିଲା, ଆଜି ତାହା ଋଣ ଓ ଆଇନଗତ ପ୍ରକ୍ରିୟା ଯୋଗୁଁ ବିକ୍ରି ହେବାକୁ ଯାଉଛି।

ଅନସାରୀଙ୍କ ଉପରେ ବ୍ରିଟେନ୍-ଆମେରିକାର କଟକଣା: ଏହି ଘଟଣାର ରାଜନୈତିକ ପକ୍ଷ ମଧ୍ୟ ରହିଛି। ଅଲି ଅଲିଆକବର ଅନସାରୀଙ୍କ ଉପରେ ବ୍ରିଟେନ ଓ ଆମେରିକା ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି। ଇରାନର ଇସ୍ଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍‌ଜିସି)କୁ କଥିତ ଭାବେ ଆର୍ଥିକ ସହାୟତା ଯୋଗାଇବା ଅଭିଯୋଗରେ ତାଙ୍କ ଉପରେ କଟକଣା ରହିଛି। ବ୍ରିଟିଶ ସରକାର ୨୦୨୫ ଅକ୍ଟୋବରରେ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହାର ଅର୍ଥ ହେଉଛି ତାଙ୍କ ସମ୍ପତ୍ତି ଫ୍ରିଜ୍ କରିବା, ଯାତ୍ରା ଉପରେ କଟକଣା ଓ କମ୍ପାନୀର ନିର୍ଦ୍ଦେଶକ ହେବା ଉପରେ ରୋକ ଭଳି ପଦକ୍ଷେପ ନିଆଯାଇଛି।

ଆମେରିକୀୟ ଅଧିକାରୀମାନେ ମଧ୍ୟ ଅଭିଯୋଗ କରିଛନ୍ତି; ଇରାନରୁ ମିଳିଥିବା ଅର୍ଥରେ ଅନସାରୀ ବିଦେଶରେ ବଡ଼ ସମ୍ପତ୍ତି ଓ ବ୍ୟବସାୟିକ ନେଟୱର୍କ ଗଢ଼ିଥିଲେ। ଲଣ୍ଡନରେ ତାଙ୍କର ୧୪୦ ନିୟୁତ ପାଉଣ୍ଡରୁ ଅଧିକ ମୂଲ୍ୟର ସମ୍ପତ୍ତି ପୋର୍ଟଫୋଲିଓ ଥିବା ରିପୋର୍ଟରେ ଦାବି କରାଯାଇଛି।

ଏବେ ସବୁଠାରୁ ବଡ଼ ପ୍ରଶ୍ନ, ଏହି ଦୁଇଟି ଫ୍ଲାଟ୍ ବିକ୍ରି ହେଲେ ମିଳିବାକୁ ଥିବା ଶହ ଶହ କୋଟି ଟଙ୍କାର କ’ଣ ହେବ? ରିପୋର୍ଟ ଅନୁସାରେ, ଅନସାରୀଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ବିକ୍ରିରୁ ମିଳିଥିବା ଟଙ୍କାକୁ ସରକାର ଫ୍ରିଜ କରିପାରେ। ତେବେ ଏହାର ଶେଷ ଆଇନଗତ ପ୍ରକ୍ରିୟା ଓ ବିକ୍ରି ମୂଲ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଏଯାଏ ସାମ୍ନାକୁ ଆସିନାହିଁ।