fbpx

TOKYOରେ ଭାଙ୍ଗିଲା LONDON ରେକର୍ଡ; ୭ ପଦକ ସହିତ ଭାରତର ଅଲିମ୍ପିକ୍ସ ଅଭିଯାନ

ନୂଆଦିଲ୍ଳୀ: ସମାପ୍ତ ହୋଇଛି ଟୋକିଓ-୨୦୨୦ରେ ଭାରତର ଅଭିଯାନ । ଭାରତୀୟ ଅଲିମ୍ପିକ୍ସ ଇତିହାସରେ ଗୋଟିଏ ସଂସ୍କରଣରେ ସର୍ବାଧିକ ପଦକ ହାସଲର ଗୌରବ ହାସଲ କରିଛି ଭାରତ । ଏହା ସହିତ ଲଣ୍ଡନ ଅଲିମ୍ପିକ୍ସରେ ରହିଥିବା ୬ ପଦକର ରେକର୍ଡକୁ ମଧ୍ୟ ଭାଙ୍ଗିବାରେ ସମର୍ଥ ହୋଇଛି ଭାରତ । ୭ଟି ପଦକ ସହିତ ଭାରତ ୪୮ ତମ ସ୍ଥାନରେ ନିଜର ଅଭିଯାନ ଶେଷ କରିଛି । ଯୁକ୍ତରାଷ୍ଟ୍ର ଆମେରିକା୩୯ ସ୍ୱର୍ଣ୍ଣ ସହିତ ୧୧୩ ପଦକ ହାସଲ କରିଥ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚୀନ୍ ୩୮ ସ୍ୱର୍ଣ୍ଣ ସହିତ ଦ୍ୱିତୀୟ ଏବଂ ଆୟୋଜକ ଜାପାନ ୨୭ ସ୍ୱର୍ଣ୍ଣ ସହିତ ତୃତୀୟ ସ୍ଥାନରେ ରହିଛି । ୧୨୧ ବର୍ଷ ଧରି ଆଥଲେଟିକ୍ସରେ ପଦକ ହାସଲ କରିନଥିବା ଭାରତର ଅପେକ୍ଷାକୁ ଶେଷ କରିଛନ୍ତି ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା । ନୀରଜ ଆଥଲେଟିକ୍ସରେ ଭାରତକୁ ଏହାର ପ୍ରଥମ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିବା ବେଳେ ପ୍ରଥମ ଭାରତୀୟ ମହିଳା ଭାବରେ ଦୁଇଟି ଅଲିମ୍ପିକ୍ସ ପଦକ ହାସଲରେ ସମର୍ଥ ହୋଇଛନ୍ତି ପିଭି ସିନ୍ଧୁ ।

ଚଳିତ ଅଲିମ୍ପିକ୍ସରେ ଭାରତ ଏହାର ସବୁଠାରୁ ବୃହତ୍ତର ଦଳ ପଠାଇଥିଲା । ୧୨୪ ଜଣ ଖେଳାଳି ବିଭିନ୍ନ ବର୍ଗରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ଅନ୍ୟପକ୍ଷରେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ପାଇଁ ଭାରତ ୮୩ ଜଣିଆ ଦଳ ପଠାଇଥିଲା । ଲଣ୍ଡନରେ ଭାରତୀୟ ଖେଳାଳି ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ହାସଲ କରିଥିବା ବେଳେ ଚଳିତ ଥରରେ ଏହା ସହିତ ଆଉ ଏକ ସ୍ୱର୍ଣ୍ଣ ଯୋଡିଛି ଭାରତ । ୨୦୧୨ରେ ଭାରତ ଶୁଟିଂ ଓ କୁସ୍ତିରେ ଗୋଟିଏ ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ବକ୍ସିଂ ଓ ବ୍ୟାଡମିଣ୍ଟନରୁ ଗୋଟିଏ ଲେଖାଏଁ ପଦକ ମିଳିଥିଲା ।

୨୦୧୨ରେ ବିଜୟ କୁମାର(ଶୁଟିଂ) ଓ ସୁଶୀଲ କୁମାର(କୁସ୍ତି) ରୌପ୍ୟପଦକ ହାସଲ କରିଥିବା ବେଳେ ଗଗନ ନାରଙ୍ଗ(ଶୁଟିଂ), ସାଇନା ନେହ୍ୱାଲ(ବ୍ୟାଡମିଣ୍ଟନ), ମେରୀ କମ୍(ବକ୍ସିଂ) ଓ ଯୋଗେଶ୍ୱର ଦତ୍ତ(କୁସ୍ତି) ପଦକ ହାସଲ କରିଥିଲେ । ଅପର ପକ୍ଷରେ ଚଳିତ ସଂସ୍କରଣରେ ଭାରତର ନୀରଜ ଚୋପ୍ରା ଏକମାତ୍ର ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହା ବ୍ୟତିତ ସାଇଖୋମ ମୀରାବାଇ ଚାନୁ(ଭାରୋତ୍ତଳନ), ରବି ଦାହିୟା(କୁସ୍ତି) ରୌପ୍ୟ ପଦକ ହାସଲ କରିଥିଲେ । ପିଭି ସିନ୍ଧୁ(ବ୍ୟାଡମିଣ୍ଟନ), ଲଭଲିନା ବୋର୍ଗୋହେନ୍ମ(ବକ୍ସିଂ), ଭାରତୀୟ ପୁରୁଷ ହକି ଦଳ ଓ ବଜରଙ୍ଗ ପୁନିଆ(କୁସ୍ତି)ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

Get real time updates directly on you device, subscribe now.