କାନ୍ଥ ଭାଙ୍ଗି ଦୋକାନରେ ପଶିଲେ; କୋଟିଏ ଟଙ୍କାର ସୁନା, ରୁପା ନେଇଗଲେ!

ଅଭିଯୋଗ ଅନୁସାରେ ଦୁର୍ବୃତ୍ତମାନେ ଦ୍ୱିତୀୟ ମହଲାରେ ଏକ କୋଠରୀରେ ପଶିଥିଲେ। ପରେ ତଳ ମହଲାକୁ ଆସିଥିଲେ। ଆଉ ପ୍ରଥମ ମହଲାରେ ଥିବା ସୁନା ଓ ରୁପା ଗହଣା ନେଇ ଚମ୍ପଟ ମାରିଥିଲେ

ଝାରସୁଗୁଡ଼ା: ରାତି ଅନ୍ଧାରରେ ଛାତ ଦେଇ ଦୋକାନ ଭିତରେ ପଶିଲେ ଲୁଟେଲେ। କୋଟିଏ ଟଙ୍କାର ଅଳଙ୍କାର ଲୁଟିନେଲେ। ଶୁକ୍ରବାର ବିଳମ୍ବିତ ରାତିରେ ଏପରି ଘଟଣା ଝାରସୁଗୁଡ଼ା ଟାଉନ୍‌ରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି।

ଝାରସୁଗୁଡ଼ା ଟାଉନ୍ ଥାନା ଅଞ୍ଚଳରେ ରହିଛି ଏକ ଅଳଙ୍କାର ଦୋକାନ। ସବୁଦିନ ପରି ଶୁକ୍ରବାର ରାତିରେ ଦୋକାନ ବନ୍ଦ କରି ମାଲିକ ଘରକୁ ଯାଇଥିଲେ। ଅଭିଯୋଗ ଅନୁସାରେ ଦୁର୍ବୃତ୍ତମାନେ ଦୋକାନ ବାହାରେ ଥିବା ଏକ ସ୍କୁଟର ଉପରେ ଚଢ଼ି ଛାତକୁ ଯାଇଥିଲେ। ଛାତ ଉପରେ ପହଞ୍ଚିବା ପରେ ସେମାନେ କାନ୍ଥ ଭାଙ୍ଗି ଭିତରେ ପଶିଥିଲେ।

ଅଭିଯୋଗ ଅନୁସାରେ ଦୁର୍ବୃତ୍ତମାନେ ଦ୍ୱିତୀୟ ମହଲାରେ ଏକ କୋଠରୀରେ ପଶିଥିଲେ। ପରେ ତଳ ମହଲାକୁ ଆସିଥିଲେ। ଆଉ ପ୍ରଥମ ମହଲାରେ ଥିବା ସୁନା ଓ ରୁପା ଗହଣା ନେଇ ଚମ୍ପଟ ମାରିଥିଲେ। ଗଲା ବେଳେ ଦୋକାନରେ ଲାଗିଥିବା ଡିଭିଆରକୁ ନେଇଯାଇଛନ୍ତି। ଯେଉଁଥିରେ ସିସିଟିଭି ଫୁଟେଜ ଷ୍ଟୋର ହୋଇ ରହୁଥିଲା।

ଆଜି ସକାଳେ ମାଲିକ ଦୋକାନକୁ ଆସିଥିଲେ। ସେତେବେଳେ ଦୋକାନରେ ଲୁଟ୍ ହୋଇଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଦୋକାନରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ କୋଟିଏ ଟଙ୍କାର ଅଳଙ୍କାର ଲୁଟ୍ ହୋଇଥିବା ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଲୁଟେରାଙ୍କ ପତ୍ତା ପାଉନି।