ବିଜେପିର ଦମନମୂଳକ ନୀତି ବିରୋଧରେ ନବୀନ ପଟ୍ଟନାୟକଙ୍କ କଡା ସମାଲୋଚନା
ଓଡ଼ିଶାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବହୁଚର୍ଚ୍ଚିତ ତିଖିରି ପଞ୍ଚାୟତର ସରପଞ୍ଚ ଚମେଲି ଓଝା ବିବାଦକୁ ନେଇ ଓଡ଼ିଶାର ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି
ଭୁବନେଶ୍ୱର: ଓଡ଼ିଶାର ବହୁଚର୍ଚ୍ଚିତ ତିଖିରି ପଞ୍ଚାୟତର ସରପଞ୍ଚ ଚମେଲି ଓଝାଙ୍କ ବିବାଦକୁ ନେଇ ଓଡ଼ିଶାର ବିରୋଧୀ ଦଳ ନେତା (LoP) ନବୀନ ପଟ୍ଟନାୟକ ଭାରତୀୟ ଜନତା ପାର୍ଟି (BJP) ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନିଜର ଏକ୍ସ (X) ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ପଟ୍ଟନାୟକ କହିଛନ୍ତି, “ଜନସାଧାରଣଙ୍କ ସ୍ୱର ଉତ୍ତୋଳନ କରିଥିବାରୁ ଜଣେ ମହିଳା ସରପଞ୍ଚଙ୍କ ବିରୋଧରେ ବିଜେପି ସରକାର ଦମନମୂଳକ ନୀତି ଆପଣାଉଥିବା ଓଡ଼ିଶାବାସୀ ଦେଖୁଛନ୍ତି।”
ସେ ଆହୁରି ମଧ୍ୟ କହିଛନ୍ତି, “ମହାକାଳପଡ଼ାର ତିଖିରି ପଞ୍ଚାୟତର ସରପଞ୍ଚ ଚମେଲି ଓଝାଙ୍କ ବିରୋଧରେ ଏକ ସରକାରୀ ଅଫିସ ଭିତରେ ଯେଉଁ ଅକଥନୀୟ ଅତ୍ୟାଚାର କରାଯାଇଛି, ତାହା ଏକ ଗଣତାନ୍ତ୍ରିକ ଦେଶ ପାଇଁ ଆଦୌ ଶୋଭନୀୟ ନୁହେଁ। ଜଣେ ମହିଳା ସରପଞ୍ଚଙ୍କ ସ୍ୱରକୁ ଚପାଇବା ପାଇଁ ବିଜେପି ସରକାର ସବୁ ସ୍ତରରେ ଯେଉଁ ହୀନ ପ୍ରୟାସ କରୁଛନ୍ତି, ତାହା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି।”
ବିରୋଧୀ ଦଳ ନେତା ପ୍ରଶ୍ନ କରି କହିଛନ୍ତି, “ମହିଳା ସଶକ୍ତିକରଣ ବିଷୟରେ ବଡ଼ ବଡ଼ କଥା କହୁଥିବା ବିଜେପି ଯଦି ପ୍ରକୃତରେ ମହିଳାମାନଙ୍କୁ ସମ୍ମାନ କରେ, ତେବେ ‘ନାରୀ ଶକ୍ତି ବନ୍ଦନା’ର ଅର୍ଥ କଣ? ଯଦି ବିଜେପି ସରକାର ଶାସନରେ ନିଜ ପଞ୍ଚାୟତର ଦାବି ଉପସ୍ଥାପନ କରିବା ପାଇଁ ଜଣେ ମହିଳା ସରପଞ୍ଚଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଛି, ତେବେ ରାଜ୍ୟର ଅଗଣିତ ମହିଳାଙ୍କ ସ୍ଥିତି କଣ ହେଉଥିବ, ତାହା ସହଜରେ ଅନୁମାନ କରାଯାଇପାରେ।”
“ବିଜେପି ନେତାମାନେ ବାରମ୍ବାର ସରକାରୀ ଅଫିସ ଭିତରକୁ ଜୋର ଜବରଦସ୍ତ ପଶି ନିନ୍ଦନୀୟ କାଣ୍ଡ ଭିଆଉଛନ୍ତି ଏବଂ ସମଗ୍ର ଓଡ଼ିଶା ଏହା ଦେଖିଛି। ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି? ବିଜେପି ଶାସନରେ ଆଇନ କଣ ସମସ୍ତଙ୍କ ପାଇଁ ଅଲଗା?” ବୋଲି ସେ ପ୍ରଶ୍ନ କରିଛନ୍ତି। ଶେଷରେ ନବୀନ ପରାମର୍ଶ ଦେଇ କହିଛନ୍ତି, “ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଗଣତନ୍ତ୍ରର ମର୍ଯ୍ୟାଦା ରକ୍ଷା ଏବଂ ମହିଳାଙ୍କ ସ୍ୱାଭିମାନର ସୁରକ୍ଷା ପାଇଁ ଏହି ମାମଲାରେ ସେ ତୁରନ୍ତ ହସ୍ତକ୍ଷେପ କରନ୍ତୁ।”


