ଗଞ୍ଜାମ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ନବୀନ
ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବାକୁ ନଭେମ୍ବର ୭ ତାରିଖରେ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହା ପରବର୍ତ୍ତୀ ଆକସ୍ମିକ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବାକୁ ନଭେମ୍ବର ୭ ତାରିଖରେ ଗଞ୍ଜାମ ଗସ୍ତ କରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଗସ୍ତ ସମୟରେ ସେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସ୍ଥାନୀୟ ଲୋକ ଓ ଚାଷୀଙ୍କ ସହ ଆଲୋଚନା କରିବେ।
ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ନବୀନ ପଟ୍ଟନାୟକ ସକାଳ ୧୦ଟାରେ ନିଜ ବାସଭବନ ନବୀନ ନିବାସରୁ ବାହାରି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୦ଟା ୫ ମିନିଟ୍ରେ ପହଞ୍ଚିବେ। ସେଠାରୁ ୧୦ଟା ୧୫ ମିନିଟ୍ରେ ହେଲିକପ୍ଟର ଯୋଗେ ଗଞ୍ଜାମ ଅଭିମୁଖେ ଯାତ୍ରା କରିବେ।
ସକାଳ ୧୧ଟାରେ ଶେରଗଡ଼ସ୍ଥିତ ମହାତ୍ମା ଗାନ୍ଧୀ ହାଇସ୍କୁଲ ପଡ଼ିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍ରେ ପହଞ୍ଚିବେ। ସେଠାରୁ ଶେରଗଡ଼ ସହରର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବେ।
ଏହାପରେ ସେ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ୍ରେ ପହଞ୍ଚି ସେଠାରୁ ନୂଆ ବୁରୁପଡ଼ା ଗ୍ରାମ ପଞ୍ଚାୟତ ଅଞ୍ଚଳକୁ ଯିବେ। ସେଠାରେ ବନ୍ୟା ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତିର ସମୀକ୍ଷା କରିବା ସହ ଚାଷୀମାନଙ୍କ ସହ କଥା ହେବେ।
ପରେ ଆସିକା ନିକଟ କୋଟିନଡ଼ାସ୍ଥିତ ସାଇନ୍ସ କଲେଜ ନିକଟରେ ଥିବା ଅସ୍ଥାୟୀ ହେଲିପ୍ୟାଡ୍ରେ ଅବତରଣ କରିବେ। ସେଠାରୁ ଆସିକା ସହରର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ।
ଅପରାହ୍ନରେ ନବୀନ ସୋରଡ଼ା ବ୍ଲକ୍ର ତାଳବରୀସ୍ଥିତ କନ୍ଧୁଣୀଦେବୀ ପଡ଼ିଆ ହେଲିପ୍ୟାଡ୍ରେ ପହଞ୍ଚିବେ। ସେଠାରୁ ବାଲିଗୋଛା ଅଞ୍ଚଳ ପରିଦର୍ଶନ କରି ବନ୍ୟା ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତିର ସମୀକ୍ଷା କରିବେ। ଏଥିସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିବେ।
ଗସ୍ତ କାର୍ଯ୍ୟସୂଚୀ ଅନୁସାରେ, ଅପରାହ୍ନ ୩ଟା ୩୦ ମିନିଟ୍ରେ ସୋରଡ଼ାରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିବେ ନବୀନ ପଟ୍ଟନାୟକ।
ନବୀନଙ୍କ ଗଞ୍ଜାମ ଗସ୍ତକୁ ଦୃଷ୍ଟିରେ ରଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବା ସହ ଅଗ୍ନିଶମ ଗାଡ଼ି ଓ ଆମ୍ବୁଲାନ୍ସ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବନ୍ୟା ପରିଚାଳନା ଦାୟିତ୍ୱରେ ଥିବା ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ନବୀନଙ୍କ ଗସ୍ତ ସମୟରେ ଉପସ୍ଥିତ ରହିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


