fbpx

ମହାଭାରତ ଯୁଦ୍ଧ ସମୟରେ ପ୍ରତିଦିନ ବାଦାମ ଖାଉଥିଲେ ଭଗବାନ୍ ଶ୍ରୀକୃଷ୍ଣ: ଜାଣନ୍ତୁ ଏହା ପଛର ରହସ୍ୟ

ମହାଭାରତର ଯୁଦ୍ଧ ବିଷୟରେ ଆପଣ ତ ଅନେକ କିଛି ଶୁଣିଥିବେ ଓ ପଢ଼ିଥିବେ । ଏହି ଯୁଦ୍ଧର ରହସ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ ଓ ଯେ ବି ଏହା ବିଷୟରେ ଶୁଣିଥାଏ ବା ପଢ଼ିଥାଏ ସେ ଆଶ୍ଚର୍ଯ୍ୟ ହୋଇଯାଏ ।

ଆପଣ ସମସ୍ତେ ଜାଣନ୍ତି କି, ଭଗବାନ ଶ୍ରୀକୃଷ୍ଣ ମହାଯୁଦ୍ଧରେ ଅନେକ ଲୀଳା ରଚିଥିଲେ, ଯେଉଁଥିରୁ ମଣିଷ ଜ୍ଞାନ ଓ ଶକ୍ତି ବିଷୟରେ ଅବଗତ ହେଲା । ସେ ବିନା ଅସ୍ତ୍ରଶସ୍ତ୍ର ଉଠାଇ ପାଣ୍ଡବଙ୍କୁ ଯୁଦ୍ଧରେ ଜିତାଇଥିଲେ । ତେବେ ଏହି ଯୁଦ୍ଧ ସମୟରେ ଶ୍ରୀକୃଷ୍ଣ ପ୍ରତିଦିନ ବାଦାମ ଖାଉଥିଲେ । ଏହି ରହସ୍ୟ ଏତେ ବଡ଼ ଥିଲା ଯେ, ଏହାକୁ କେବଳ ଜଣେ ବ୍ୟକ୍ତି ଜାଣିଥିଲା ଓ ତାଙ୍କ ନାଁ ହେଉଛି ଉଡୁପି ରାଜା । ଆସନ୍ତୁ ଜାଣିବା ଏବିଷୟରେ ସବିଶେଷ ତଥ୍ୟ…

ତଥ୍ୟ ଅନୁସାରେ, ଯେତେବେଳେ ମହାଭାରତ ଯୁଦ୍ଧ ଘୋଷଣା ହେଲା, ସେତେବେଳେ କୌରବ ଏବଂ ପାଣ୍ଡବ ଧର୍ମ-ଅଧର୍ମ ନାଁରେ ଏହି ଯୁଦ୍ଧରେ ସାମିଲ ହେବା ପାଇଁ ଦେଶର ସମସ୍ତ ରାଜାଙ୍କର ସାହାଯ୍ୟ ଲୋଡିଥିଲେ । କେତେକ ରାଜା କୌରବଙ୍କୁ ସମର୍ଥନ କରିଥିଲେ ତ ଆଉ କେତେକ ପାଣ୍ଡବଙ୍କୁ ସମର୍ଥନ କରିଥିଲେ । ଅବଶ୍ୟ ଗୋଟିଏ ରାଜ୍ୟ ଥିଲା, ଯାହା କାହାର ସପକ୍ଷରେ ନଥିଲା ଏବଂ ତାହା ଥିଲା ଉଡୁପି । ଉଡୁପି ରାଜା ଭଗବାନ କୃଷ୍ଣଙ୍କ ନିକଟକୁ ଆସି କହିଥିଲେ ଯେ, ‘ଯୁଦ୍ଧରେ କୋଟି କୋଟି ଯୋଦ୍ଧା ସାମିଲ ହେଉଛନ୍ତି । କିନ୍ତୁ ଏହି ସମୟରେ ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କିପରି କରାଯିବ? ଖାଦ୍ୟ ବିନା ଯୋଦ୍ଧାମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁଦ୍ଧ କରିପାରିବେ ନାହିଁ । ତେଣୁ, ଯଦି ଆପଣଙ୍କର ଅନୁମତି ଅଛି, ତେବେ ଉଭୟ ପକ୍ଷଙ୍କୁ ଖାଦ୍ୟର ଦାୟିତ୍ୱ ମୁଁ ନେବି ।’ ଉଡୁୁପି ରାଜ୍ୟ ଏହି ଯୁଦ୍ଧରେ ଜଡିତ ସମସ୍ତଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିବ ।

ଭଗବାନ କୃଷ୍ଣ ଉଡୁପି ରାଜାଙ୍କ କଥାକୁ ପସନ୍ଦ କରିବା ସହ ଏହାକୁ ଅନୁମତି ଦେଇଥିଲେ । କିନ୍ତୁ ରାଜାଙ୍କ ଆଗରେ ଆଉ ଏକ ସମସ୍ୟା ଥିଲା ଯେ, ସେ ପ୍ରତିଦିନ କେତେ ଲୋକଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିବେ? କାରଣ ପ୍ରତ୍ୟେକ ଦିନ ଅନେକ ଯୋଦ୍ଧା ବୀରଗତି ପ୍ରାପ୍ତ କରିବେ । ଯଦି ଖାଦ୍ୟ କମ୍ ରହିବ, ତେବେ ସୈନିକ ଭୋକିଲା ରହିବେ ଏବଂ ଯଦି ଖାଦ୍ୟ ଅଧିକ ରହିବ ତେବେ ମାତା ଅନ୍ନପୂର୍ଣ୍ଣାଙ୍କର ଅପମାନ ହେବ । ଏଭଳି ପରିସ୍ଥିତିରେ ଭଗବାନ କୃଷ୍ଣ ଉଡୁପି ରାଜାଙ୍କ ଚିନ୍ତାକୁ ବୁଝିଥିଲେ ଓ ଏହାର ସମାଧାନ କହିଥିଲେ ।

ଶ୍ରୀ କୃଷ୍ଣ କହିଥିଲେ ଯେ, ‘ମୁଁ ଯୁଦ୍ଧ ପୂର୍ବରୁ ପ୍ରତିଦିନ ସିଝା ବାଦାମ ଖାଇବି । ଯେଉଁଦିନ ମୁଁ ଯେତିକି ବାଦାମ ଖାଇବି, ସେହିଦିନ ସେତିକି ହଜାର ସୈନିକ ଯୁଦ୍ଧଭୂମିରେ ପ୍ରାଣ ହରାଇବେ । ଏହି ପ୍ରକାରରେ ଭଗବାନ ଶ୍ରୀକୃଷ୍ଣ ଏହି ରହସ୍ୟ ଉଡୁପି ରାଜାଙ୍କୁ କହିଥିଲେ । କୁହାଯାଏ କି, ଏହି ରହସ୍ୟ ଯୋଗୁଁ ଯୁଦ୍ଧରେ ସାମିଲ ହେଉଥିବା ସମସ୍ତ ସୈନିକ ଓ ଯୋଦ୍ଧାଙ୍କୁ ସମ୍ପୂର୍ଣ୍ଣ ଖାଦ୍ୟ ମିଳୁଥିଲା ଓ କେବେ ବି ଅନ୍ନର ଅପମାନ ହେଉନଥିଲା ।

Get real time updates directly on you device, subscribe now.