ଯୌବନରେ ହୋଇପାରିଲେନି ଏକାଠି, କିନ୍ତୁ ଜୀବନ ଦେଲା ଦ୍ଵିତୀୟ ସୁଯୋଗ, ୬୦ ବର୍ଷ ବୟସରେ ଝିଅ, ଜ୍ଵାଇଁ କଲେ ବିବାହ

ଜୀବନ ଦେଲା ଦ୍ଵିତୀୟ ସୁଯୋଗ, ୬୦ ବର୍ଷ ବୟରେ ଝିଅ, ଜ୍ଵାଇଁ କଲେ ବିବାହ

ଓଡିଶା ଭାସ୍କର: କୁହାଯାଏ, ପ୍ରତ୍ୟେକ ପ୍ରେମର ଶେଷ ସିନ୍ଦୁର ନୁହେଁ । କିଛି ପ୍ରେମ ଅଧୁରା ହୋଇ ରହିଯାଇଥାଏ । ଏସବୁ ଭିତରେ ଆପଣ ଏକଥା ବି ଶୁଣିଥିବେ ଯେ ସତ ପ୍ରେମ କେବେ ହାରେନା କି ମରେନା । ଯଦି ପ୍ରେମ ସତ୍ୟ ଥାଏ ତେବେ କେବେ ନା କେବେ ତାହା ମିଳିଯାଏ । ଏପରି ଏକ କାହାଣୀର ଉଦାହରଣ ଆମେ ଆଜି ଆପଣଙ୍କୁ ଦେବୁ । ଯାହାକୁ ଶୁଣିଲେ ହୁଏତ ଆପଣ ବି ବିଶ୍ଵାସ କରିବାକୁ ବାଧ୍ୟ ହେବେ ଯେ, “ହଁ ସତ୍ୟ ପ୍ରେମ କେବେ ନା କେବେ ଫେରେ” ।

ଏ କାହାଣୀ ହେଉଛି କେରଳର ଜୟପ୍ରକାଶ ଏବଂ ରଶ୍ମିଙ୍କର । ଯାହା ଆଜି ସୋସିଆଲ ମିଡିଆରେ ଏବେ ପ୍ରତ୍ୟକ ଲୋକଙ୍କ ହୃଦୟକୁ ଛୁଇଁଛି। ଯୌବନର ପ୍ରେମ ହୋଇପାରି ନଥିଲା ପୂରା । କିନ୍ତୁ ଏବେ ୪୦ ବର୍ଷ ପରେ ଉଭୟେ ପରସ୍ପରର ହାତ ଧରିଛନ୍ତି ।

ଯୌବନର ପ୍ରେମ ଅଧୁରା: ମୁଣ୍ଡକ୍କାଲର ବାସିନ୍ଦା ଜୟପ୍ରକାଶ ଏବଂ ରଶ୍ମି ଯୌବନ ଅବସ୍ଥାରେ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ। ଜୟପ୍ରକାଶଙ୍କର ରଶ୍ମୀଙ୍କ ପ୍ରତି ମନରେ ଦୁର୍ବଳତା ଥିଲା, କିନ୍ତୁ ତାହା ପ୍ରକାଶ କରିବାର ସାହସ ନଥିଲା। ଏହି ସମୟରେ, ରଶ୍ମି ବିବାହ କରିଥିଲେ ଏବଂ ଜୟପ୍ରକାଶ ଚାକିରି ପାଇଁ ବିଦେଶ ଚାଲିଗଲେ। ସମୟ ସେମାନଙ୍କୁ ଭିନ୍ନ ରାସ୍ତାରେ ନେଇଗଲା। ଜୟପ୍ରକାଶ ମଧ୍ୟ ବିବାହ କଲେ ଏବଂ ପରିବାର ଆରମ୍ଭ କଲେ। କିନ୍ତୁ ଜୀବନ ଏବେ ପୁଣି ୟୁଟର୍ଣ୍ଣ ନେଲା । ପୁଣି ଭାଗ୍ର ପୂର୍ବ ପ୍ରେମିକା ସହ ଦେଖାଇଦେଲା ।

୬୦ ବର୍ଷ ବୟସରେ ପ୍ରେମ ଏବଂ ବିବାହ: ପ୍ରାୟ ୧୦ ବର୍ଷ ପୂର୍ବରୁ ରଶ୍ମିଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲେ ଏବଂ ଜୟପ୍ରକାଶଙ୍କ ସ୍ତ୍ରୀଙ୍କର ମଧ୍ୟ ପାଞ୍ଚ ବର୍ଷ ପୂର୍ବେ ଦେହାନ୍ତ ହୋଇଥିଲେ। ଏକାକୀତାକୁ ମୁକାବିଲା କରିବା ପାଇଁ, ରଶ୍ମି ସାଂସ୍କୃତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ଏବଂ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ।

ଏଇଠି ଭାଗ୍ୟ ନେଇଥିଲା ୟୁଟର୍ଣ୍ଣ । ଜୟପ୍ରକାଶ ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ରଶ୍ମିଙ୍କୁ ଦେଖିଲେ ଏବଂ ତାଙ୍କ ପରିବାର ମାଧ୍ୟମରେ ତାଙ୍କ ସହିତ ଯୋଗାଯୋଗ କଲେ। ପୁରୁଣା ସ୍ମୃତି, ଚାପି ରହିଥିବା ପ୍ରେମ ଏବଂ ଯନ୍ତ୍ରଣାଦାୟକ ହୃଦୟ ପୁନର୍ବାର ଜାଗ୍ରତ ହୋଇଥିଲା ରଶ୍ମୀଙ୍କ ପ୍ରତି ।

ବିବାହ କରେଇଲେ ସନ୍ତାନମାନେ: ସବୁଠାରୁ ହୃଦୟ ବିଦାରକ ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଉଭୟଙ୍କର ପିଲାମାନେ ଏହି ସମ୍ପର୍କକୁ ସମ୍ପୂର୍ଣ୍ଣ ହୃଦୟର ସହିତ ଗ୍ରହଣ କରିଥିଲେ। ସମସ୍ତଙ୍କ ସମ୍ମତିରେ ରଶ୍ମିଙ୍କ ଝିଅ ଏବଂ ଜ୍ୱାଇଁ, ଏବଂ ଜୟପ୍ରକାଶଙ୍କ ପିଲାମାନେ କୋଚିରେ ବିନା ଜାକଜକମରେ ଉଭୟଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ।

ଉଭୟଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ଲେଖାଯାଇଛି, ‘କେଉଁ ପିଲାମାନଙ୍କୁ ଏପରି ଭାଗ୍ୟ ମିଳିଥାଏ?’

ଜୟପ୍ରକାଶ ଏବଂ ରଶ୍ମିଙ୍କ ଏହି ପ୍ରେମ କାହାଣୀ ପ୍ରମାଣ କରେ ଯେ ଯଦି ପ୍ରେମ ସତ୍ୟ ହୁଏ, ତେବେ ସମୟ ତା’ର ପଥ ପ୍ରସ୍ତୁତ କରେ। କେତେକ ସମୟରେ ଯଦିଓ ବିଳମ୍ବ ହୁଏ, କିନ୍ତୁ ପ୍ରେମ ନିଶ୍ଚିତ ଭାବରେ ତା’ର ଗନ୍ତବ୍ୟସ୍ଥଳ ପାଇବ।