ମାଡ଼ି ଆସୁଛି ବାତ୍ୟା, ଓଡ଼ିଶାରେ କରିବ ଲ୍ୟାଣ୍ଡଫଲ୍! ଏହି ଦିନ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ

ମାଡ଼ି ଆସୁଛି ବାତ୍ୟା, ଓଡ଼ିଶାରେ କରିବ ଲ୍ୟାଣ୍ଡଫଲ୍

Cyclone in Odisha: ଆଗାମୀ କିଛି ଦିନ ମଧ୍ୟରେ ପାଣିପାଗରେ ବଡ଼ ଧରଣର ପରିବର୍ତ୍ତନ ଆସିବାକୁ ଯାଉଛି। ବିଭିନ୍ନ ପାଣିପାଗ ମଡେଲର ଆକଳନ ଅନୁଯାୟୀ, ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ECMWF ମଡେଲ୍ ଅନୁଯାୟୀ, ମେ ୧୦ ତାରିଖ ବେଳକୁ ଶ୍ରୀଲଙ୍କା ଏବଂ ତାମିଲନାଡୁ ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।

ଓଡ଼ିଶାରେ କାଳବୈଶାଖୀର ପ୍ରଭାବ

ବର୍ତ୍ତମାନ କେନ୍ଦ୍ରୀୟ ଭାରତ ଉପରେ ଏକ ଟ୍ରାପ୍ ଲାଇନ୍ ସକ୍ରିୟ ରହିଛି, ଯାହା ମେ ୯ ତାରିଖ ବେଳକୁ ଓଡ଼ିଶା ଅଭିମୁଖେ ଅଗ୍ରସର ହେବ। ଏହାର ପ୍ରଭାବରେ ମେ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଏବଂ ଝଡ଼ ପବନ ହେବାର ସମ୍ଭାବନା ରହିଛି। ବିଶେଷ କରି ୪ରୁ ୬ ତାରିଖ ମଧ୍ୟରେ ପଶ୍ଚିମ, ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ବର୍ଷା ପାଇଁ ଆଇଏମଡି ପକ୍ଷରୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ରହିପାରେ।

ବାତ୍ୟାକୁ ନେଇ ବଢ଼ିଲା ଆଶଙ୍କା

ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ଅନୁଯାୟୀ, ମେ ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହି ଘୂର୍ଣ୍ଣିବଳୟ ପରବର୍ତ୍ତୀ ସମୟରେ ବାତ୍ୟାର ରୂପ ନେଇପାରେ। ଅନେକ ବିଦେଶୀ ମଡେଲ୍ ମଧ୍ୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ସଙ୍କେତ ଦେଇଛନ୍ତି। ତେବେ ଏହା କେତେ ତୀବ୍ର ହେବ ଏବଂ କେଉଁ ଦିଗକୁ ଗତି କରିବ, ସେ ନେଇ ଚିତ୍ର ମେ ୧୧ ତାରିଖ ପରେ ସ୍ପଷ୍ଟ ହେବ।

ସତର୍କ ରହିବାକୁ ପରାମର୍ଶ

ପାଣିପାଗ ବିଭାଗ ପକ୍ଷରୁ ବର୍ଷା ଓ ପବନ ସମୟରେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ବିଶେଷ କରି ଚାଷୀମାନଙ୍କୁ ସମୟ ପୂର୍ବରୁ ଅମଳ କରିବାକୁ କୁହାଯାଇଛି । ପାଣିପାଗ ବିଭାଗ ସାମୁଦ୍ରିକ ପବନ ଏବଂ ବାୟୁମଣ୍ଡଳୀୟ ଚାପ ଉପରେ ତୀକ୍ଷ୍ଣ ନଜର ରଖିଛି। ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।