ବଦଳିଲା LPG ଗ୍ୟାସ ସିଲିଣ୍ଡର ବୁକିଂ ନିୟମ, ଏଣିକି ୪୫ ଦିନ ନୁହେଁ, ୨୫ ଦିନରେ ମିଳିବ ପରବର୍ତ୍ତୀ ସିଲିଣ୍ଡର

କେନ୍ଦ୍ର ସରକାର ଗ୍ୟାସ୍ ସିଲିଣ୍ଡରର ୪୫ ଦିନିଆ ବୁକିଂ ନିୟମକୁ ବଦଳାଇ ଦେଇଛନ୍ତି।

ନୂଆଦିଲ୍ଲୀ: ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାରା ଦେଶର ଗ୍ରାହକଙ୍କ ପାଇଁ ଆସିଛି ବଡ଼ ଖବର। କିଛି ସମୟ ଧରି ଗ୍ୟାସ ଯୋଗାଣକୁ ନେଇ ସମସ୍ୟା ଓ ଅଭାବ ଦେଖାଦେବା ପରେ ସିଲିଣ୍ଡର ବୁକିଂ ମଧ୍ୟରେ ଅଧିକ ଦିନର ବ୍ୟବଧାନ ରଖାଯାଇଥିଲା। ଫଳରେ ଗ୍ରାମାଞ୍ଚଳର ଗ୍ରାହକଙ୍କୁ ପରବର୍ତ୍ତୀ ସିଲିଣ୍ଡର ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଥିଲା।

କିନ୍ତୁ ଏବେ ସରକାର ଏହି ନିୟମରେ ପରିବର୍ତ୍ତନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ କହିଛନ୍ତି ଯେ ଏଣିକି ଘରୋଇ LPG ଗ୍ରାହକମାନେ ସହର ହେଉ କି ଗାଁ, ସମସ୍ତେ ୨୫ ଦିନର ବ୍ୟବଧାନରେ ପରବର୍ତ୍ତୀ ଗ୍ୟାସ ସିଲିଣ୍ଡର ବୁକ୍ କରିପାରିବେ।

୪୫ ଦିନର ଅପେକ୍ଷା ଶେଷ: ତେବେ ଇରାନ ଓ ଆମେରିକା ଭିତରେ ଯୁଦ୍ଧ ଆରମ୍ଭ ହେବା ପରେ ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ଗ୍ୟାସ ଯୋଗାଣକୁ ନେଇ ଚାପ ବଢ଼ିବା ପରେ ଗ୍ରାମାଞ୍ଚଳରେ ଗୋଟିଏ ସିଲିଣ୍ଡର ବୁକ୍ କରିବା ପରେ ପରବର୍ତ୍ତୀ ସିଲିଣ୍ଡର ପାଇଁ ୪୫ ଦିନର ବ୍ୟବଧାନ ରଖାଯାଇଥିଲା। ଏହାକୁ ନେଇ ଅନେକ ଗ୍ରାହକ ଅସୁବିଧାରେ ପଡ଼ୁଥିଲେ। ଏବେ ସେହି ୪୫ ଦିନର ଅପେକ୍ଷାକୁ କମାଇ ୨୫ ଦିନ କରାଯାଇଛି।

ଗାଁ ଓ ସହର ପାଇଁ ସମାନ ନିୟମ: ନୂଆ ବ୍ୟବସ୍ଥାରେ ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି ଗ୍ରାମୀଣ ଓ ସହରାଞ୍ଚଳ ଗ୍ରାହକଙ୍କ ପାଇଁ ବୁକିଂ ବ୍ୟବଧାନ ସମାନ ହୋଇଛି। ଏବେ ଦୁଇ ଅଞ୍ଚଳର ଘରୋଇ LPG ଗ୍ରାହକ ୨୫ ଦିନ ପରେ ରିଫିଲ୍ ବୁକ୍ କରିପାରିବେ। ଏହି ପରିବର୍ତ୍ତନ ୭ ସେପ୍ଟେମ୍ବର ଅର୍ଥାତ୍ ଆଜିଠାରୁ ଲାଗୁ ହୋଇଛି।

କାହିଁକି ବଦଳିଲା ନିୟମ: କିଛି ଦିନ ପୂର୍ବରୁ LPG ଯୋଗାଣ ଉପରେ ଚାପ ବଢ଼ିବା ସହିତ ଅଧିକ ବୁକିଂ ଓ ମହଜୁତକୁ ରୋକିବା ପାଇଁ ବୁକିଂ ବ୍ୟବଧାନ ବଢ଼ାଯାଇଥିଲା। ସରକାରଙ୍କ ଅନୁସାରେ ଏବେ LPG ଯୋଗାଣ ପରିସ୍ଥିତିରେ ସୁଧାର ଆସିଛି ଏବଂ ରିଫିଲ୍ ବ୍ୟାକଲଗ୍ ମଧ୍ୟ କମିଛି। ତେଣୁ ପୁଣିଥରେ ବୁକିଂ ବ୍ୟବଧାନକୁ ୨୫ ଦିନ କରାଯାଇଛି।

ଗ୍ରାହକଙ୍କ ପାଇଁ କ’ଣ ଲାଭ: ଏହି ନିୟମ ପରିବର୍ତ୍ତନ ଫଳରେ ବିଶେଷ କରି ଗ୍ରାମାଞ୍ଚଳର ଗ୍ରାହକମାନେ ଆଶ୍ୱସ୍ତ ହେବେ। ଏବେ ସିଲିଣ୍ଡର ଶେଷ ହୋଇଗଲେ ପରବର୍ତ୍ତୀ ରିଫିଲ୍ ପାଇଁ ୪୫ ଦିନ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ୨୫ ଦିନ ପରେ ହିଁ ପରବର୍ତ୍ତୀ ସିଲିଣ୍ଡର ବୁକ୍ କରିପାରିବେ।

ତେଣୁ ଆପଣ ଯଦି ଘରୋଇ LPG ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ନୂଆ ନିୟମ ଆପଣଙ୍କ ପାଇଁ ଜାଣିବା ଜରୁରୀ। ଏଣିକି ୪୫ ଦିନ ନୁହେଁ, ୨୫ ଦିନ ପରେ ପରବର୍ତ୍ତୀ LPG ରିଫିଲ୍ ବୁକ୍ କରିପାରିବେ।