fbpx

ମା’ ଯାହାକୁ ସାହା, ଭକ୍ତ ଡ଼ରିବ ଆଉ କିଆଁ, ଜାଣନ୍ତୁ ମା’ ଦ୍ୱାରଶୁଣୀଙ୍କ ମହିମା….

ମୟୂରଭଞ୍ଜ: ଓଡ଼ିଶା ପାକୃତିକ ସୌନ୍ଦର୍ଯ୍ୟରେ ଭରା ଏକ ସୁନ୍ଦର ରାଜ୍ୟ । ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଓଡ଼ିଶା ଏହାର କଳା ସଂସ୍କୃତି ଏବଂ ପରମ୍ପରାକୁ ନେଇ ମଧ୍ୟ ଖୁବ୍ ପ୍ରସିଦ୍ଧ । ତେବେ ଏହିସବୁକୁ ଛାଡ଼ିଦେଲେ ଓଡ଼ିଶାରେ ରହିଛି ଅନେକ ଦେବାଦେବୀଙ୍କ ଛୋଟ ବଡ଼ ମନ୍ଦିର । ଖାଲି ଏତିକି ଏହି ମନ୍ଦିର ପଛରେ ଲୁଚି ରହିଛି ଅନେକ କିମ୍ବଦନ୍ତୀ । ତେବେ ଆଜି ଆସନ୍ତୁ ଜାଣିବା ସେହିପରି ଏକ ମନ୍ଦିର ବିଷୟରେ ଏବଂ ଜାଣିବା ଏହା ପଛରେ ଥିବା ଲୋକକଥା ଏବଂ କିମ୍ବଦନ୍ତୀ ବିଷୟରେ ।

ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହର ଠାରୁ ୪୦ କି.ମି. ଦୂରରେ ପଡ଼େ ମୟୂରଭଞ୍ଜ ତଥା ବାଙ୍ଗରୀପୋଷୀର ପ୍ରସିଦ୍ଧ ଠାକୁରାଣୀ ଅଭୟ ଦାୟିନୀ ମା’ ଦ୍ୱାରଶୁଣୀଙ୍କ ମନ୍ଦିର  । ଆଜକୁ ପ୍ରାୟ ୨୨ ବର୍ଷ ତଳେ ଅର୍ଥାତ୍ ୨୦୦୦ ମସିହାରେ ନିର୍ମାଣ ହୋଇଥିଲା ବ୍ରାହ୍ମଣୀ ଘାଟିରେ ମା’ ଦ୍ୱାରଶୁଣୀଙ୍କ ମନ୍ଦିର । ମା’ ଦ୍ୱାରଶୁଣୀଙ୍କ ଏହି ପ୍ରସିଦ୍ଧ ପୀଠରେ ରାଜା ରାଜୁଡ଼ା ଅମଳରୁ ଦେହୁରୀ ପୂଜକଙ୍କ ଦ୍ୱାରା ପୂଜା ବିଧି ଅନୁଷ୍ଠିତ ହୋଇ ଆସୁଛି ।

ମା’ଙ୍କୁ ନେଇ ରହିଛି ଅନେକ ମାନ୍ୟତା ଏବଂ ବିଶ୍ୱାସ । ମୟୂରଭଞ୍ଜର ବାଙ୍ଗିରୀପୋଷିର ଆରପାରିରୁ ଆରମ୍ଭ ହୁଏ ଶିମିଳିପାଳ ଜାତୀୟ ଉଦ୍ୟାନର ଚର୍ଚ୍ଚିତ ବାବନ ଘାଟି, ଏହି ଘାଟିରେ ୫୨ ଟି ବାଙ୍କ ଥିବାରୁ କେହି କେହି ଏହାକୁ ବାବନ ଘାଟି ମଧ୍ୟ କହିଥାନ୍ତି  । ଏହି ଘାଟିଟି ପାର କରିବା ବେଶ୍ ବିପଦପୂର୍ଣ୍ଣ, କାରଣ ବନ୍ୟଜୀବଙ୍କ ଚଲାପଥ ଓ ବିପଦ ସଂକୁଳ ଅଙ୍କାବଙ୍କା ରାସ୍ତାଦେଇ ଯିବାକୁ ହୋଇଥାଏ ଯାତ୍ରୀଙ୍କୁ  । ଆଉ ରାସ୍ତା ପାର ହେବା ସମୟରେ ସମସ୍ତଙ୍କୁ ସାହା ହୁଅନ୍ତି ଏହି ଘାଟିର ଅଧିଷ୍ଠାତ୍ରୀ ଦେବୀ ମା’ ଦ୍ୱାରଶୁଣୀ  ।

ପୂର୍ବରୁ ବାଙ୍ଗିରୀପୋଷି ଘାଟି ବ୍ରାହ୍ମଣୀ ଘାଟି ନାମରେ ପରିଚିତ ଥିଲା । ମା’ ଦ୍ୱାରଶୁଣୀଙ୍କ ମନ୍ଦିର ନିର୍ମାଣ ହେବା ପରେ ବ୍ରାହ୍ମଣୀ ଘାଟି ନିଜର ସ୍ୱତନ୍ତ୍ର ପରିଚୟ ଲାଭକରି ବାଙ୍ଗିରୀପୋଷି ଘାଟି ତଥା ଦ୍ୱାରଶୁଣୀ ଘାଟି ନାମରେ ବିଖ୍ୟାତ ହେଲା । ଘାଟିର ଦୁଆରକୁ ଜଗି ରହିଥିବା ମା’ ଦ୍ୱାରଶୁଣୀଙ୍କ ପ୍ରସିଦ୍ଧି ଓ ମହିମା ଏହି ଅଞ୍ଚଳ ଦେଇ ଗାଡ଼ି ଚାଳନା କରୁଥିବା ଭାରତର ସମସ୍ତ ଲୋକଙ୍କୁ ଜଣା । ପ୍ରତ୍ୟେକ ଯାନବାହାନ ଏହି ବାଟଦେଇ ଯାତାୟତ କରିବା ସମୟରେ ମା’ ଦ୍ୱାରଶୁଣୀଙ୍କୁ ମୁଣ୍ଡିଆ ମାରି ଆଗକୁ ବଢିଥାନ୍ତି ।

ମା’ ଦ୍ୱାରଶୁଣୀଙ୍କର ଏହି ପ୍ରସିଦ୍ଧ ମନ୍ଦିର ଟି ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଅବସ୍ଥିତ । ତେଣୁ ଯାତାଯତ କରୁଥିବା ଗାଡ଼ିମାନଙ୍କ ଉପରେ ଏକ ବିଶେଷ ନିୟମ କାର୍ଯ୍ୟକାରୀ ହୋଇଥାଏ । ପ୍ରତ୍ୟକ ଗାଡ଼ି ମା’ ଦ୍ୱାରଶୁଣୀଙ୍କ ମନ୍ଦିର ଦେଇ ଆସିବା ସମୟରେ ତିନିଥର ହର୍ଣ୍ଣ ଦେଇ ଗାଡ଼ିଟିକୁ ପାର କରିବେ  ।

ଖାଲି ସେତିକି ନୁହେଁ ମା’ ଦ୍ୱାରଶୁଣୀଙ୍କ ପୀଠକୁ ପ୍ରତ୍ୟକ ଅନେକ ଭକ୍ତଙ୍କା ଆଗମନ ହୋଇଥାଏ । ବିଶେଷ କରି ମନୋସ୍କାମନା ପୂର୍ଣ୍ଣ ନିମନ୍ତେ ଅନେକ ଭକ୍ତ ପୂଜାର୍ଚ୍ଚନା କରିବା ସହିତ ଏଠାରେ ରହିଥିବା ପବିତ୍ର ବୃକ୍ଷରେ ମନୋସ୍କାମନା ନିମନ୍ତ ସୁତ୍ର ବାନ୍ଧୁଥିବାର ଦୃଶ୍ୟ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥାଏ ।

ପ୍ରତିବର୍ଷ ମୟୂରଭଞ୍ଜର ଗଣପର୍ବ ମକର ସମୟରେ ଅନୁଷ୍ଠିତ ହୋଇଥାଏ ପ୍ରସିଦ୍ଧ ମା’ ଦ୍ୱାରଶୁଣୀ ଙ୍କ ଘାଟି ମେଳା । ମା’ ଦ୍ୱାରଶୁଣୀ ପୀଠର ପୂଜା କମିଟି ଆନୁକୂଲ୍ୟରେ ୫ ଦିନ ଧରି ଅହରାତ୍ର ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମର ଆୟୋଜନ କର।।ଇଥାଏ । ମା’ ଦ୍ୱାରଶୁଣୀଙ୍କ ଏହି ପ୍ରସିଦ୍ଧ ମେଳାରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥାଏ । ପାଞ୍ଚଦିନ ଧରି ହେଉଥିବା ଏହି ମେଳାରେ ମୟୂରଭଞ୍ଜ ତଥା ଓଡ଼ିଶା ବାହାରୁ ମଧ୍ୟ ବିପୁଳ ସଂଖ୍ୟାରେ ଲୋକମାନଙ୍କର ସୁଅ ଛୁଟେ । ସନ୍ଧ୍ୟା ସମୟରେ ସୁସଜ୍ଜିତ ଆଲୋକମାଳା ଓ ଅସଂଖ୍ୟ ଭକ୍ତଙ୍କ ମେଳରେ ମହିମାମୟ ଭୟ ଦାୟିନୀ ମା’ ଦ୍ୱାରଶୁଣୀଙ୍କ ପୀଠ ହୋଇଉଠେ ଅତ୍ୟନ୍ତ ଆକର୍ଷଣୀୟ ।

ତେବେ ମନ୍ଦିର ନିକଟକୁ ପାହାଡ଼କୁ ଲାଗି ରହିଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଗୁମ୍ଫା ଅନ୍ୟ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ । ମେଳା ସମୟରେ ଅନେକ ଭକ୍ତ ପାହାଡ଼ରେ ୭୦ ଫୁଟ ଉପରକୁ କଷ୍ଟକର ପଥଦେଇ ଏହି ଅନ୍ଧକାରମୟ ଗୁମ୍ଫାର ଅଣଓସାରିଆ ରାସ୍ତାଦେଇ ଗଳିଗଳି ଭକ୍ତମାନେ ପାହାଡର ଉପର ଭାଗକୁ ଚଢିଥାନ୍ତି  । ସ୍ଥାନୀୟ ଲୋକମାନଙ୍କଠାରୁ ଶୁଣିବାକୁ ମିଳେ ଏହି ପାହାଡ଼ ଭିତରେ ଥିବା ଗୁମ୍ଫାରେ ସମୟ ସମୟରେ ବିଭିନ୍ନ ହିଂସ୍ର ଜନ୍ତୁ ମଧ୍ୟ ଦେଖିବାକୁ ମିଳିଥାଏ । ପାହାଡ଼ ଶୀର୍ଷରୁ ପାହାଡ଼ର ପାଦଦେଶର ଦୃଶ୍ୟ ଓ ହଜାର ହଜାର ଭକ୍ତଙ୍କ ପାହାଡ଼ ଚଢାର ଦୃଶ୍ୟ ବେଶ୍ ମନ୍ତ୍ରମୁଗ୍ଧକର  ।

ଏହି ପାହାଡ଼ର ଶୀର୍ଷରେ ରହିଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବଙ୍କର ଯେଉଁଠାରେ ରହି ବ୍ରିଟିଶ ସେନା ଶତ୍ରୁ ବିମାନ ଉପରେ ନଜର ରଖିବା ସହ ଗୁପ୍ତରେ ଅବସ୍ଥାନ କରୁଥିଲା । ତେବେ ଏହି ବଙ୍କର ସହିତ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦୁର ବ୍ଳକରେ ଅବସ୍ଥିତ ଥିବା ଏସିହା ମହାଦେଶର ସବୁଠାରୁ ପୁରାତନ ଏୟାରଷ୍ଟିପ୍ ଅମରଦା ଏୟାର ଷ୍ଟିପ୍ ସହ ଏହାର ସମ୍ପର୍କ ଥିବାର ଅନୁମାନ କରାଯାଏ । ତେବେ ସେ ଯାହା ହେଉନା କାହିିଁକି ମା’ଙ୍କର ମହିମାକୁ ଏଠାକୁ ଅସୁଥିବା ସବୁ ଭକ୍ତମାନେ ବିଶ୍ୱାସ କରନ୍ତି । ମା’ ଦ୍ୱାରଶୁଣୀଙ୍କର ଏହି ପ୍ରସିଦ୍ଧ ମନ୍ଦିରଟି ଓଡ଼ିଶା ପର୍ଯ୍ୟଟନର ଅନ୍ତର୍ଭୂକ୍ତ  । ଏହା ଏକ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଭାବରେ ମଧ୍ୟ ପ୍ରସିଦ୍ଧ ।

 

Get real time updates directly on you device, subscribe now.