ବଢ଼ିଲା ସସ୍‌ପେନ୍ସ: ଏନ୍‌ଡିଏରେ ସାମିଲ ହୋଇପାରନ୍ତି ଶରଦ ପାୱାର

ଶରଦ ପାୱାର ଏନ୍‌ଡିଏରେ ସାମିଲ ହେବା ନେଇ ଅନେକ ଦିନ ଧରି ଆଲୋଚନା ଚାଲିଛି। ତେବେ ଆଜିର ଭେଟଘାଟ ପରେ ଲାଗୁଛି ସତେଯେମିତି ପାୱାର ଏନ୍‌ଡିଏରେ ସାମିଲ ହେବାକୁ ମନ ସ୍ଥିର କରିସାରିଛନ୍ତି

ମୁମ୍ବାଇ: ପୁଣି ଥରେ ମହାରାଷ୍ଟ୍ରରେ ରାଜନୈତିକ ହଲଚଲ ଆରମ୍ଭ ହୋଇଛି। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବୁଧବାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏନ୍‌ସିପି(ଏସ୍‌ପି) ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିଛନ୍ତି। ଏହି ଭେଟଘାଟକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା। ଶରଦ ପାୱାର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରେ ସାମିଲ ହୋଇପାରନ୍ତି ବୋଲି ଆଲୋଚନା ହେଉଛି।

ସୂଚନାରୁ ପ୍ରକାଶ; ଶରଦ ପାୱାର ଏନ୍‌ଡିଏରେ ସାମିଲ ହେବା ନେଇ ଅନେକ ଦିନ ଧରି ଆଲୋଚନା ଚାଲିଛି। ତେବେ ଆଜିର ଭେଟଘାଟ ପରେ ଲାଗୁଛି ସତେଯେମିତି ପାୱାର ଏନ୍‌ଡିଏରେ ସାମିଲ ହେବାକୁ ମନ ସ୍ଥିର କରିସାରିଛନ୍ତି। ଯଦି ଏପରି ହୁଏ, ତେବେ ମହାରାଷ୍ଟ୍ର ରାଜନୀତିରେ ଏହା ଏକ ବଡ଼ ଘଟଣା ହେବ। ଏହାର ପ୍ରଭାବ ଆଞ୍ଚଳିକ ଓ ଜାତୀୟ ଉଭୟ ସ୍ତରେ ଦେଖିବାକୁ ମିଳିବ।

ଜୟନ୍ତ ପାଟିଲ୍ ଓ ତାବଡେଙ୍କ ଭେଟଘାଟ

ସିନ୍ଦେ ଓ ପାୱାରଙ୍କ ଭେଟଘାଟ ପୂର୍ବରୁ ମୁମ୍ବାଇରେ ଏନ୍‌ସିପି(ଏସ୍‌ପି)ର ପୂର୍ବତନ ରାଜ୍ୟ ଅଧ୍ୟକ୍ଷ ଜୟନ୍ତ ପାଟିଲ ଓ ବିଜେପିର ଜାତୀୟ ମହାସଚିବ ବିନୋଦ ତାବଡେଙ୍କ ମଧ୍ୟରେ ଭେଟ ହୋଇଥିଲା। ଏହି ଭେଟ ପରେ ପାୱାରଙ୍କର ଏନ୍‌ଡିଏରେ ସାମିଲ ହେବା ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି। ତେବେ ପାଟିଲ୍ ଏହାକୁ ଗୋଟିଏ ସାଧାରଣ ଭେଟଘାଟ ବୋଲି କହିଛନ୍ତି।

ଖଣ୍ଡନ କଲେ ମୁଖ୍ୟମନ୍ତ୍ରୀ ଫଡ଼ନବୀସ

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମଧ୍ୟ ଏହିପରି ସମ୍ଭାବ୍ୟ କୌଣସି ରାଜନୈତିକ ଘଟଣାକୁ ଖଣ୍ଡନ କରିଛନ୍ତି। ମଙ୍ଗଳବାର ଦିଲ୍ଲୀରେ ଫଡନବୀସ କହିଛନ୍ତି; ଆମେ ଶରଦ ପାୱାରଙ୍କ ପାର୍ଟିରେ କୌଣସି ପ୍ରକାରର ବିଦ୍ରୋହ କରିବାକୁ ଚେଷ୍ଟା କରୁନାହୁଁ। କୌଣସି ସାଂସଦ ବା ବିଧାୟକଙ୍କୁ ଆମ ପଟକୁ ଆଣିବାର ପ୍ରୟାସ ହେଉନାହିଁ। ମହାରାଷ୍ଟ୍ରରୁ ଆଉ କୌଣସି ନୂଆ ପାର୍ଟି ଏନ୍‌ଡିଏରେ ସାମିଲ ହେବନାହିଁ ବୋଲି କହିଥିଲେ।

ଅନ୍ୟପକ୍ଷରେ ଏନ୍‌ସିପି (ଏସ୍‌ପି)ର କାର୍ଯ୍ୟକାରୀ ଅଧ୍ୟକ୍ଷା ସୁପ୍ରିୟା ସୁଲେ ଏନ୍‌ଡିଏରେ ସାମିଲ ହେବା ନେଇ ଚାଲିଥିବା ଅଟକଳକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୋତେ ପାଟିଲ ଓ ତାବଡେଙ୍କ ବୈଠକ ବିଷୟରେ ଜଣାନାହିଁ। ତାବଡେ ଓ ମୁଁ କର୍ପୋରେଟ ଆଇନ ସହ ଜଡିତ ଗୋଟିଏ ଯୁଗ୍ମ ସଂସଦୀୟ କମିଟିର ସଦସ୍ୟ। ଯେଉଁଠି ଆମେ ଗତ ମାସରେ ୨୦ରୁ ଅଧିକ ଥର ଭେଟିଛୁ। ଆମ ପାର୍ଟିର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ ଓ ତାହା ହେଲା ଜନତାର ଆୱାଜ ଉଠାଇବା ବୋଲି ସୁପ୍ରିୟା କହିଛନ୍ତି।