ବିଦ୍ରୋହୀ ସାଂସଦଙ୍କୁ ତୀବ୍ର ସମାଲୋଚନା କଲେ ମହୁଆ ମୋଇତ୍ର
ମହୁଆ ମୋଇତ୍ର କହିଛନ୍ତି; ଏବେ ସେମାନଙ୍କର ପ୍ରକୃତ ଚେହେରା ସମସ୍ତଙ୍କ ସାମ୍ନାକୁ ଆସି ଯାଇଛି। ଏହି ସାଂସଦଙ୍କର ବିଶ୍ୱାସଘାତ ସମସ୍ତେ ଦେଖି ସାରିଲେଣି ବୋଲି ମହୁଆ କହିଛନ୍ତି।
କୋଲକାତା: ତୃଣମୂଳ କଂଗ୍ରେସ(ଟିଏମ୍ସି) ବିଦ୍ରୋହୀ ସାଂସଦଙ୍କ ଉପରେ ବର୍ଷିଲେ ମହୁଆ ମୋଇତ୍ର। ଲୋକସଭା ସଚିବାଳୟ ପକ୍ଷରୁ ଜାରି ନୋଟିସର ଜବାବ ଦେବା ପାଇଁ ଅତିରିକ୍ତ ସମୟ ମାଗିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ମହୁଆ କହିଛନ୍ତି, ଯଦି ସାଂସଦମାନଙ୍କ ପାଖରେ ନିଜ ପକ୍ଷ ରଖିବା ପାଇଁ ଯଥେଷ୍ଟ କାରଣ ରହିଛି, ତେବେ ଧାର୍ଯ୍ୟ ସମୟ ମଧ୍ୟରେ ଜବାବ ଦେବାରେ ସେମାନଙ୍କୁ ଅସୁବିଧା ହେବା କଥା ନୁହେଁ।
ବୁଧବାର ମହୁଆ ମୋଇତ୍ର କହିଛନ୍ତି; ବିଜେପି ସହ ଯାଇଥିବା ୨୦ ଜଣ ବିଦ୍ରୋହୀ ଟିଏମ୍ସି ସାଂସଦଙ୍କ ସଦସ୍ୟତା ରଦ୍ଦ କରିବା ଦାବିରେ ଆମେ ଲୋକସଭା ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲୁ। ଗତ ସପ୍ତାହରେ ଲୋକସଭା ସଚିବାଳୟ ଏହି ସାଂସଦମାନଙ୍କୁ ନୋଟିସ ଜାରି କରି ୭ ଦିନ ମଧ୍ୟରେ ଜବାବ ଦେବାକୁ କହିଥିଲେ। ଏହି ସମୟସୀମା ଏବେ ଶେଷ ହୋଇଯାଇଛି। ହେଲେ ସେମାନେ ଜବାବ ଦେବା ପରିବର୍ତ୍ତେ ଆଉ ୨ରୁ ୩ ସପ୍ତାହ ମାଗୁଛନ୍ତି। ଏହା ପଛରେ କଣ କାରଣ ରହିଛି। ଯଦି ମୋତେ ଜବାବ ମଗାଯାଏ, ତେବେ ମୁଁ ଏତେ ସମୟ ନେବି ନାହିଁ ବୋଲି ମହୁଆ କହିଛନ୍ତି।
ବିଦ୍ରୋହୀ ସାଂସଦଙ୍କୁ ସମାଲୋଚନା କରି ମହୁଆ ମୋଇତ୍ର କହିଛନ୍ତି; ଏବେ ସେମାନଙ୍କର ପ୍ରକୃତ ଚେହେରା ସମସ୍ତଙ୍କ ସାମ୍ନାକୁ ଆସି ଯାଇଛି। ଏହି ସାଂସଦଙ୍କର ବିଶ୍ୱାସଘାତ ସମସ୍ତେ ଦେଖି ସାରିଲେଣି ବୋଲି ମହୁଆ କହିଛନ୍ତି।
ଗତ ମାସରେ ବିଦ୍ରୋହୀ ସାଂସଦମାନଙ୍କୁ ଲୋକସଭା ସଚିବାଳୟ ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ଏହା ପୂର୍ବରୁ ଟିଏମ୍ସିର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସହମତି ପ୍ରକାଶ କରିଥିଲେ। ଆବେଦନରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ସାଂସଦମାନଙ୍କ ଅଯୋଗ୍ୟତା ସମ୍ପର୍କିତ ଆବେଦନ ଉପରେ ଶୀଘ୍ର ନିଷ୍ପତ୍ତି ନେବାକୁ ଦାବି କରାଯାଇଥିଲା।
ବିଦ୍ରୋହୀ ସାଂସଦମାନେ ନିଜ ଜବାବ ଦାଖଲ କରିବା ପୂର୍ବରୁ ଆଇନଗତ ପରାମର୍ଶ ନେଉଥିବା କୁହାଯାଉଛି। ଅତିରିକ୍ତ ସମୟ ମିଳିଲେ ଏହି ମାମଲାର ଆଇନଗତ ପ୍ରକ୍ରିୟା ଆହୁରି ଲମ୍ବିପାରେ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମ୍ସିର ପରାଜୟ ହୋଇଥିଲା। ଏହା ପରେ ଦଳ ମଧ୍ୟରେ ମତଭେଦ ଦେଖାଦେଇଥିଲା। ୨୦ ଜଣ ସାଂସଦ ଅସନ୍ତୋଷ ବ୍ୟକ୍ତି କରି ଦଳଠାରୁ ଅଲଗା ହୋଇଯାଇଥିଲେ। ଆଉ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ଇଏତ ଗଲା ସାଂସଦଙ୍କ କଥା। ବିଧାୟକ ମଧ୍ୟ ଅଲଗା ଗୋଷ୍ଠୀ କରିଛନ୍ତି। ମମତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।


